Advertisment

ଜେଲ ଗଲେ ବବିଙ୍କ ଭାଇ ଭବ

ଆଜି ସକାଳେ ଯାଜପୁର ଟାଉନ ପୁଲିସ ଭବ ଦାସଙ୍କୁ ଗିରଫ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Babi and Bhaba

Babi and Bhaba

ଜେଲ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ଭାଇ ଭବ ପ୍ରକାଶ ଦାସ। ତାଙ୍କୁ ଯାଜପୁର ସବ୍‌ ଜେଲକୁ ପଠାଇ ଦିଆଯାଇଛି। ଆଜି ସକାଳେ ଯାଜପୁର ଟାଉନ ପୁଲିସ ତାଙ୍କୁ ଗିରଫ କରିଥିଲା।  ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Advertisment

ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ  ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜେଏମ୍‌ଙ୍କ ବାସଭବନ ହାଜର କରାଯାଇଥିଲା। ପରେ ତାଙ୍କୁ ଯାଜପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। 

ଭବ ପ୍ରକାଶ ଦାସଙ୍କ ବିରୋଧରେ ଲଗାଯାଇଥିବା ଦଫା ଗୁଡିକ ମଧ୍ୟରୁ ପ୍ରାୟ ସମସ୍ତ ଦଫା ଜାମିନ ଯୁକ୍ତ ହୋଇଥିବା ବେଳେ BNS 303(2) ଅର୍ଥାତ୍ ଚୋରି କରିବା ଜାମିନ ବିହୀନ ଦଫା ହୋଇଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା କରାଯାଉଥିଲା।   

Advertisment

ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ମା’ ବିରଜା ହାଟକୁ ମଦନ ନାୟକ ନାମକ ଜଣଙ୍କ ପରିବା ବ୍ୟବସାୟୀ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ। ସେ ୧୦ ହଜାର ଟଙ୍କାର ବାଇଗଣ, ଫୁଲକୋବି ଓ ଟମାଟୋ ଆଦି ବିକ୍ରି କରିବାକୁ ଆଣିଥିଲେ। ସେହି ସମୟରେ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ। କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ବିଧା ଓ ଗୋଇଠା ମାରିଥିଲେ। ଏହା ସହିତ ସେମାନେ ତାଙ୍କ ପରିବା ନଷ୍ଟ କରି ଦେଇଥିଲେ। ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିଲେ।

ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ଭବଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଥଲା। ପରେ ତାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।  ଏନେଇ ବବି ଦାସଙ୍କ ର କୌଣସି ପ୍ରତିକ୍ରିୟା ମିଳିନାହିଁ। 

BjD Pranab Prakash Das Bhaba Prakash Das