Advertisment

ବବିଙ୍କ ଭାଇ ଭବ ଅଟକ; ଅଧାରାତିରେ ଉଠାଇ ଆଣିଲା ପୁଲିସ

ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhaba Prakash Das

Bhaba Prakash Das

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଅଟକ ରଖିଛି ଯାଜପୁର ଟାଉନ ପୁଲିସ। ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣିଥିଲା ପୁଲିସ। ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି।

Advertisment

ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ମା’ ବିରଜା ହାଟକୁ  ମଦନ ନାୟକ ନାମକ ଜଣଙ୍କ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ। ସେ ୧୦ ହଜାର ଟଙ୍କାର ବାଇଗଣ, ଫୁଲକୋବି ଓ ଟମାଟୋ ଆଦି ବିକ୍ରି କରିବାକୁ ଆଣିଥିଲେ। ସେହି ସମୟରେ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ। କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ବିଧା ଓ ଗୋଇଠା ମାରିଥିଲେ। ଏହା ସହିତ ସେମାନେ ତାଙ୍କ ପରିବା ନଷ୍ଟ କରି ଦେଇଥିଲେ। ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିଲେ।

ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ଭବଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି। ଏନେଇ ପ୍ରଣବ ପ୍ରକାଶ ଦାସଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
BjD Pranab Prakash Das Bhaba Prakash Das