Advertisment

ବିଧାନସଭାରେ ଶୋକ ପ୍ରସ୍ତାବ: ନବଙ୍କ ଜନ୍ମସ୍ଥାନକୁ ନେଇ ଭୁଲ୍ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ

ନବଙ୍କ ଜନ୍ମ ୧୯୬୨ ମସିହା ଜାନୁୟାରୀ ୭ ତାରିଖରେ ଝାରସୁଗୁଡ଼ାର ସରବହାଲଠାରେ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ।

author-image
Ordigital Desk
Naveen Patnaik

Naveen Patnaik

ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଉପରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ନବ ଦାସଙ୍କ ଜନ୍ମସ୍ଥାନ ସଂକ୍ରାନ୍ତରେ ଭୁଲ୍ ତଥ୍ୟ ଦେଇଥିବା ଜଣାପଡ଼ିଛି । ଗୃହର ସଦସ୍ୟ ତଥା ମନ୍ତ୍ରୀ ଦିଂବଗତ ନବ କିଶୋର ଦାସଙ୍କ ସମ୍ମାନରେ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରଛନ୍ତି । ଶୋକ ପ୍ରସ୍ତାବ ଉପରେ ଆଲୋଚନାବେଳେ ନବଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହର ରେକର୍ଡରେ ଉଲ୍ଲେଖ କରିବାକୁ ପଛାଇ ନଥିବାବେଳେ ନବଙ୍କର ଦୁଃଖଦ ପରିସ୍ଥିତିରେ ମୃତ୍ୟୁ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ବିବୃତିରେ ଦର୍ଶାଇଛନ୍ତି ।

Advertisment

ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ଉଭୟ ବିଜେପି ଓ କଂଗ୍ରେସ ବର୍ଜନ କରିବା ପରେ ଗୃହରେ ଦିବଂଗତ ସଦସ୍ୟ ନବ କିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହି ଶୋକ ପ୍ରସ୍ତାବ ଆଲୋଚନାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ମନ୍ତ୍ରୀ ତଥା ଗୃହର ସିଟିଂ ସଦସ୍ୟ ନବ ଦାସଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା କହିବା ସହ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ନେତୃତ୍ୱରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୋଭିଡ-୧୯ ମହାମାରୀ ପରିଚାଳନା, ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା, କ୍ୟାପିଟାଲ ହସ୍ପିଟାଲକୁ ପିଜି ଶ୍ରେଣୀକୁ ଉନ୍ନୀତ ହେବା ଓ ବିଜୁ ସ୍ମାର୍ଟ କାର୍ଡ ବଂଟନ ଆଦି ସମ୍ଭବ ହୋଇଥିଲା ବୋଲି କହିଥିଲେ । ନବ ଙ୍କ ଜନ୍ମ ୧୯୬୨ ମସିହା ଜାନୁୟାରୀ ୭ ତାରିଖରେ ଝାରସୁଗୁଡ଼ାର ସରବହାଲଠାରେ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ । ତେବେ ନବଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଭୁଲ୍ ବୋଲି ଜଣାପଡ଼ିଛି ।

କାରଣ ନବ ଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ନିକଟସ୍ଥ ମିର୍ଗାମୁଣ୍ଡା ଗାଁରେ ହୋଇଥିଲା । ତାଙ୍କର ପ୍ରାଥମିକ ଓ କଲେଜ ଶିକ୍ଷା ସମ୍ବଲପୁର ଜିଲ୍ଲାରେ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ସେ ନିଜର କର୍ମକ୍ଷେତ୍ର ଭାବେ ଝାରସୁଗୁଡ଼ାକୁ ବାଛିବା ପରେ ସରବହାଲରେ ଘର କରି ରହିଥିଲେ।

Advertisment

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଭଳି ନିଜର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜନ୍ମସ୍ଥାନ ସଂକ୍ରାନ୍ତରେ ମିଛ ତଥ୍ୟ ଦେଲେ ଓ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କୁହାଯାଉଥିବା ତଥ୍ୟକୁ କିଭଳି ଯାଂଚ କରାଗଲାନି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଅନ୍ୟପକ୍ଷରେ ଗୃହରେ ଶୋକ ପ୍ରସ୍ତାବ ଉପରେ ଆଲୋଚନାବେଳେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ସ୍ମୃତିଚାରଣ କରାଯାଇ ତାଙ୍କର ଭଲ କାର୍ଯ୍ୟକୁ ରେଖାଙ୍କିତ କରାଯାଇଥାଏ । ସମ୍ଭବତଃ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ଶୋକ ପ୍ରସ୍ତାବ ସମୟରେ ଜଣେ ଦିବଂଗତ ସଦସ୍ୟ(ନବ ଦାସ)ଙ୍କ ମୃତ୍ୟୁକୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ବୋଲି ଗୃହର ବିବରଣୀରେ ରେକର୍ଡ କରାଯାଇଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୋକ ପ୍ରସ୍ତାବ ଉପରେ ଆଲୋଚନାବେଳେ ନବ ଦାସଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି, ତାଙ୍କ ମୃତ୍ୟୁରେ ସେ ଦୁଃଖିତ ତଥା ମର୍ମାହତ ବୋଲି କହିଛନ୍ତି ।

ଏହି ଶୋକ ପ୍ରସ୍ତାବରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନବ ତାଙ୍କର ବନ୍ଧୁ ଥିଲେ ଓ ସେ ନିଜର ଜଣେ ଭଲ ବନ୍ଧୁଙ୍କୁ ହରାଇଲେ ବୋଲି କହିଥିଲେ ।

Naveen Patnaik Naba Das Odisha Assembly Odisha Assembly Budget Session Naba Das Murder