ରିଟାର୍ଡ ଅଫିସରଙ୍କ ‘କ୍ଲବ ହାଉସ୍‌’ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଆଳ ଦେଖାଇ ତାଟି କବାଟ ପକାଇ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି। ଏକ ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହୁଛନ୍ତି କିନ୍ତୁ ତାଙ୍କ ଜିଲ୍ଲା ଦାଦନ ଖଟିବାରେ ଏକ ନମ୍ବରରେ ରହିଛି । ଯେଉଁ ଅଫିସରମାନେ ଅତୀତରେ ସରକାରଙ୍କ ଅଧସ୍ତନ ହୋଇ କାମ କରୁଥିଲେ ଏବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ରିଟାର୍ଡ ଅଫିସରମାନଙ୍କ ‘କ୍ଲବ ହାଉସ୍ ’ ପାଲଟିଛି। […]

Image of Odisha Congress bhawan

Ordigital Desk
  • Published: Tuesday, 25 January 2022
  • , Updated: 25 January 2022, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଆଳ ଦେଖାଇ ତାଟି କବାଟ ପକାଇ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି। ଏକ ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହୁଛନ୍ତି କିନ୍ତୁ ତାଙ୍କ ଜିଲ୍ଲା ଦାଦନ ଖଟିବାରେ ଏକ ନମ୍ବରରେ ରହିଛି । ଯେଉଁ ଅଫିସରମାନେ ଅତୀତରେ ସରକାରଙ୍କ ଅଧସ୍ତନ ହୋଇ କାମ କରୁଥିଲେ ଏବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ରିଟାର୍ଡ ଅଫିସରମାନଙ୍କ ‘କ୍ଲବ ହାଉସ୍ ’ ପାଲଟିଛି। ଏଭଳି ଢଙ୍ଗରେ କଡ଼ା ଭାଷାରେ କଂଗ୍ରେସ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ଅଧସ୍ତନ କର୍ମଚାରୀ ପରବର୍ତ୍ତୀ ସମୟରେ ଉପରିସ୍ଥ ହୋଇ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ବାସ୍ତବ ସ୍ଥିତି ଅପପ୍ରଚାର ଭଳି ଲାଗିବ। କରୋନାର ଆଳ ଦେଖାଇ ତାଟି କବାଟ ପକାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି । ନିର୍ବାଚନୀ କାର୍ଯ୍ୟ ଓ କଳିଙ୍ଗ ଷ୍ଟାଡିୟମ ଗଲେ କରୋନା ହେଉନାହିଁ । ନିଜ ସରକାରର ମନ୍ତ୍ରୀ ଓ ନିଜ ଦଳ ବିଧାୟକଙ୍କ ଭିତରେ ବିଧାନସଭାରେ ତାଙ୍କୁ କରୋନା ହେବାର ଭୟ ହେଉଛି । ମୁଖ୍ୟମନ୍ତ୍ରୀଙ୍କର ଏହି ଦୋହରା ମାନସିକତା ପାଇଁ ସେ ହୁଏତ ପ୍ରଚାର ଓ ଅପପ୍ରଚାରର ସଂପର୍କରେ ଭିନ୍ନତାକୁ ବାରି ପାରୁନାହାନ୍ତି । କିମ୍ବା ସେ ଓଡ଼ିଶାର ବାସ୍ତବ ସ୍ଥିତିକୁ ଆକଳନ କରିପାରୁ ନାହାନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।

ସେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଚାକିରିରୁ ଅବସର ପରେ ଆଇଏଏସ୍ ଆର. ବାଲକ୍ରିଷ୍ଣନ ଓ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା । ସେହିପରି ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କର ଓଏସଡି । ଆହୁରି ଅନେକ ଅବସରପ୍ରାପ୍ତ ଅଫିସର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଆଶ୍ରୟ ଦିଆଯାଇଛି । ଯାହାଙ୍କର ପ୍ରଶାସନିକ ଉତ୍ତରଦାୟିତ୍ୱ ନାହିଁ । କହିବାକୁ ଗଲେ ରାଜ୍ୟର ସର୍ବାଧିକ ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ‘ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ’ ଏବେ କେତେକ ଅବସରପ୍ରାପ୍ତ ଓ ପ୍ରଶାସନିକ ସ୍ତରରେ ଅନଫିଟ୍ ଅଫିସରଙ୍କର କ୍ଳବ ହାଉସ ଓ କଫି ସେଂଟରରେ ପରିଣତ ହୋଇଛି । ଏହି ଅବସରପ୍ରାପ୍ତ ବିବାଦୀୟ ଅଫିସରମାନଙ୍କ ମଉଜ ମଜଲିସ୍ ପାଇଁ ସରକାରୀ ତହବିଲ୍‌ରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି ଓ ଏମାନଙ୍କ ମାଧ୍ୟମରେ ବିଭିନ୍ନ କ୍ରଟାଂକ୍ଟର, କମ୍ପାନୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ।

ସେ ଉଦାହରଣ ଦେଇ କହିଛନ୍ତି ଯେ, ପ୍ରଶାସନିକ ଉତ୍ତରଦାୟିତ୍ୱ ନଥିବା ଅସିତ ତ୍ରୀପାଠୀ କିଛିଦିନ ତଳେ ଢ଼େଙ୍କାନାଳର ନାଲକୋ ଗେଷ୍ଟହାଉସରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବା ଏହାର ଜ୍ୱଳନ୍ତ ପ୍ରମାଣ । ଯଦି ସରକାରଙ୍କର ଶିଳ୍ପ ନୀତି କିଛି କାର୍ଯ୍ୟକ୍ରମ ନେବାର ଥିଲା ତାହାହେଲେ ଶିଳ୍ପ ସଚିବ ମାଧ୍ୟମରେ କରାଇପାରିଥାନ୍ତେ । ଗୋଟିଏ ପଟେ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର ଅବସରପ୍ରାପ୍ତ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ମୂଳପୋଛ କରିଦେବାର ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲିଛି କି? ନଳିନୀ ପ୍ରଧାନ ନାମକ ଜଣେ ଇଂଜିନିୟର ପୂର୍ତବିଭାଗର ସଚିବ ଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ଗୁରୁପ୍ରିୟା ସେତୁ, ଭୁବନେଶ୍ୱର ବ୍ରଜି ଭୁଷୁଡ଼ିବା, ଏଷ୍ଟିମେଟେଡ କଷ୍ଟରୁ ଠିକାଦାରଙ୍କୁ ଅଧିକ ଅର୍ଥ ଭଳି ଘଟଣା ଘଟିଥିଲା । କୁହାଯାଉଥିଲା କି ସେହି ପତ୍ତସଚିବ ବିଜୁ ଜନତା ଦଳ ପାଇଁ ପାଣ୍ଠି ଯୋଗାଡ଼ ଦାୟୀତ୍ୱରେ ଥିଲେ । ଯେଉଁଥିପାଇଁ ଅବସରପରେ ସମ୍ବଲପୁରରୁ ଲୋକସଭା ଟିକେଟ ଦିଆଯାଇଥିଲା । ଯଦି ସତ୍‌ସାହସ ଅଛି ଏହା ପ୍ରଚାର ନା ଅପପ୍ରଚାର ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related story