Advertisment

ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା; ପ୍ରାର୍ଥୀ ହେବେ ଝିଅ

ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ ପ୍ରଦେଶ କଂଗ୍ରେସ।

author-image
Tapaswini Nayak
ଅଦ୍ୟତନ ହୋଇଛି
congress

congress

ନିର୍ବାଚନ ଲଢ଼ିବେନି ପୂର୍ବତନ ଆଳି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା। ତାଙ୍କ ସ୍ଥାନରେ ଝିଅ ଦେବସ୍ମିତା ଶର୍ମା କଂଗ୍ରେସର ଆଳି ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବୋଲି ସେ ଚାହାଁନ୍ତି। ଏନେଇ ଦେବେନ୍ଦ୍ର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ମୋତେ ୬୫ବର୍ଷ ହେଲାଣି। ମୁଁ ନିର୍ବାଚନ ଲଢ଼ିବିନି ବୋଲି ନିଷ୍ପତ୍ତି ନେଇଛି। ଆସନ୍ତା ନିର୍ବାଚନରେ ମୋ ଝିଅ ଦେବସ୍ମିତା କଂଗ୍ରେସ ଟିକେଟରେ ଲଢ଼ିବାକୁ ଆଗ୍ରହୀ ଅଛି। ମୋ ଝିଅ ଜଣେ ଡାକ୍ତର। ସେ ପ୍ରାର୍ଥୀ ହେବା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛି। ଆଳି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବାକୁ କଂଗ୍ରେସ ନିର୍ବାଚନ କମିଟି ନିକଟରେ ଆବେଦନ ମଧ୍ୟ କରିଛି।।

ଦେବେନ୍ଦ୍ର ଆହୁରି କହିଛନ୍ତି, ନିର୍ବାଚନ ଜିତିବା ଲୋକପ୍ରିୟତାର ପରିଚୟ ନୁହେଁ। ସେବା କରିବା ଓ ଖରାପ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା- ଏହି ସବୁ ଦାୟିତ୍ୱ ଯିଏ ତୁଲାଇ ପାରିବ, ସେ ରାଜନୀତିକୁ ଆସିବା ଦରକାର। ସେସବୁ ଗୁଣ ମୋ ଝିଅ ପାଖରେ ରହିଛି। ନିର୍ବାଚନ ଲଢ଼ିଲେ ସେ ଭଲ କରିବ ବୋଲି ଆଶା ରହିଛି।

Advertisment

ସବୁଜାଗାରେ ଯୁବ ବର୍ଗଙ୍କୁ ଆଗକୁ ଅଣାଯିବା ଦରକାର। ମୋ ଝିଅ ମଧ୍ୟ କଂଗ୍ରେସ ଦଳରେ ମୂଳରୁ ରହିଛି ବୋଲି ପୂର୍ବତନ ଆଳି ବିଧାୟକ କହିଛନ୍ତି।

ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା କହିଛନ୍ତି, ମୋ ଜେଜେବାପା ଓ ବାପା ହେଉଛନ୍ତି ମୋର ଆଦର୍ଶ। ସେମାନଙ୍କ ପ୍ରେରଣାରେ ଆଗକୁ ଯିବାକୁ ଚାହୁଁଛି।  ବାପାଙ୍କ ପରାମର୍ଶ ନେଇ କଂଗ୍ରେସରୁ ଟିକେଟ ପାଇଁ ଆବେଦନ କରିଛି।

ସୂଚନାଯୋଗ୍ୟ,ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ ପ୍ରଦେଶ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ ବୋଲି ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଦେଇଛନ୍ତି।

Congress