Advertisment

ଶରତ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି।

author-image
Jitendra Garnayak
Nabin Chandra Narayan Das

Nabin Chandra Narayan Das

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ଦାସ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ତାଙ୍କ ଅସନ୍ତୋଷ ଝାଡ଼ିଛନ୍ତି।

ଇସ୍ତଫା ପତ୍ରରେ ଶ୍ରୀ ଦାସ ଲେଖିଛନ୍ତି, ମୁଁ 1969ରୁ କଂଗ୍ରେସରେ ଅଛି। କୌଣସି ଆଶା ନ ରଖି ଦଳ ପାଇଁ କାମ କରିଛି। କିନ୍ତୁ ଅଳ୍ପ କିଛି ମାସ ହେଲା ମୁଁ ଦେଖୁଛି, ପିସିସି ସଭାପତି ଶରତ ପଟ୍ଟନାୟକ ରାଜା ଭଳି ବ୍ୟବହାର କରୁଛନ୍ତି। ସେ ଦଳର କୌଣସି ବରିଷ୍ଠ ବା ଅଭିଜ୍ଞ ସଦସ୍ୟଙ୍କୁ ଗୁରୁତ୍ବ ଦେଉ ନାହାନ୍ତି। ଦଳର ସଂଗଠନକୁ ମଜବୁତ କରିବା ପାଇଁ ସେ ବରିଷ୍ଠ ବା ଅଭିଜ୍ଞ ସଦସ୍ୟଙ୍କ ସହିତ କୌଣସି ଆଲୋଚନା କରୁ ନାହାନ୍ତି କି ସେମାନଙ୍କ ମତାମତ ନେଉ ନାହାନ୍ତି। ଏମିତିକି ସେ ଦଳୀୟ ନେତା ଓ କର୍ମୀଙ୍କ ସହିତ ମିଶିବା ପାଇଁ ଜିଲ୍ଲାଗୁଡ଼ିକୁ ଗସ୍ତ କରୁ ନାହାନ୍ତି। ଜିଲ୍ଲାଗୁଡ଼ିକୁ ସେ ଗସ୍ତ କରି ଦଳୀୟ ଲୋକଙ୍କ ସହିତ ମିଶିଲେ ସେମାନଙ୍କ ମନୋବଳ ବଢ଼ନ୍ତା।

Advertisment

ସେ ତାଙ୍କ ଇସ୍ତଫା ପତ୍ରରେ ଆହୁରି ଲେଖିଛନ୍ତି, ମୁଁ ମୋ ସମୟରେ ଅନେକ ପିସିସି ସଭାପତିଙ୍କୁ ଦେଖିଛି। ସେମାନଙ୍କ ବ୍ୟବହାର ସୌହାଦ୍ୟପୂର୍ଣ୍ଣ ଥିଲା। ସେମାନେ ଭାଇ ଭଳି ବ୍ୟବହାର କରୁଥିଲେ। ସେମାନେ ସ୍ନେହୀ ଓ ପ୍ରଭାବଶାଳୀ ଥିଲେ। କିନ୍ତୁ ଏଭଳି କୌଣସି ଗୁଣ ମୁଁ ବର୍ତ୍ତମାନର ପିସିସି ସଭାପତିଙ୍କ ନିକଟରେ ପାଇଲି ନାହିଁ। ତେଣୁ ମୁଁ କଂଗ୍ରେସ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲି।

ସେହିଭଳି ସାମ୍ବାଦିକ ସମ୍ମିଳନୀରେ ନବୀନ ଚନ୍ଦ୍ର ନାରାୟଣ ଦାସ କହିଥିଲେ, ପିସିସି ସଭାପତିଙ୍କୁ କିଛି ଲୋକ ଘେରି ରହିଛନ୍ତି। ସେମାନଙ୍କ କଥାରେ ସେ ପରିଚାଳିତ ହେଉଛନ୍ତି। ଆସନ୍ତା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଘଟିବ। ଦଳ 90 ଆସନ ଜିତିବାକୁ ଯେଉଁ ଲକ୍ଷ୍ୟ ରଖିଛି, ସେଥରୁ 9 କାଟି ଦିଅନ୍ତୁ। ଦଳର ଫଳାଫଳ ଶୂନ ହେବ।

କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ରାଜନୀତିରୁ ସନ୍ୟାସ ନେବେ ନାହିଁ ବୋଲି କହିଛନ୍ତି ଶ୍ରୀ ଦାସ। ତେବେ ଏଯାବତ୍ ଅନ୍ୟ କୌଣସି ଦଳରେ ମିଶିବା ନେଇ ନିଷ୍ପତ୍ତି ନେଇ ନଥିବା ସେ କହିଛନ୍ତି।

ନବୀନ ଚନ୍ଦ୍ର ନାରାୟଣ ଦାସ 1995ରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେ ତତ୍‌କାଳୀନ କଂଗ୍ରେସ ସରକାରରେ ପଞ୍ଚାୟତିରାଜ, ବାଣିଜ୍ୟ ପରିବହନ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ।

ଶ୍ରୀ ଦାସଙ୍କ ସହିତ ଢେଙ୍କାନାଳର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ ଓ ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଇସ୍ତଫା ଦେଇଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।

ସୂଚନାଯୋଗ୍ୟ, 5 ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେଡିରେ ମିଶିଥିଲେ।

Congress Sarat Patnaik PCC President