/odisha-reporter/media/post_attachments/uploads/2021/07/RAHUL-PRIYANAKA-PK.jpg)
RAHUL-PRIYANAKA-PK
ନୂଆଦିଲ୍ଲୀ: ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ମଙ୍ଗଳବାର ଦିଲ୍ଲୀ ସ୍ଥିତ ୧୦ ଜନପଥ ଯାଇଥିଲେ। ୨୦୧୭ରେ ୟୁପି ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରି ବିଫଳ ହୋଇଥିବା ପ୍ରଶାନ୍ତ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଯେଉଁ ସମୟରେ କି ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଯଦିଓ ଭେଟଘାଟର ଉଦ୍ଦେଶ୍ୟ କଣ ରହିଛି ଜଣାପଡିନି। କିନ୍ତୁ ଏହି ଭେଟଘାଟ ବେଳେ ପ୍ରଶାନ୍ତ ରାହୁଲ୍, ପ୍ରିୟଙ୍କା ଏବଂ ସୋନିଆଙ୍କୁ ଭେଟିଥିବା ସ୍ପଷ୍ଟ ହୋଇଛି। ରାଜନୀତିକ ବିଶାରଦ ମାନେ ଏହି ସବୁ ପ୍ରକାର ଆକଳନ କରୁଛନ୍ତି।
ଲକ୍ଷ୍ୟ ୨୦୨୪ ସାଧାରଣ ନିର୍ବାଚନ !
ଦେଶରେ ଏବେ ବି ମୋଦି ମ୍ୟାଜିକ ରହିଛି। ହେଲେ ପୂର୍ବ ଅପେକ୍ଷା ଟିକିଏ ମଳିନ ପଡ଼ିଛି। ଆଉ ଛବି ମଳିନ ପଡ଼ିବା ପଛରେ ପଶ୍ଚିମବଙ୍ଗରେ ଟିଏମସି ବିଜୟୀ ଧାରା ଜାରି ରଖିବା, ତାମିଲନାଡୁରେ ଏଆଇଡିଏମକେ ଓ ବିଜେପି ମେଣ୍ଟ ହାରିବା, କେରଳରେ ବିଜେପି ହାରିବା ଇତ୍ୟାଦି ପ୍ରସଙ୍ଗ ରହିଛି। ଅନ୍ୟପଟେ ଅଣ ବିଜେପି ଦଳ ଆନ୍ଧ୍ର ପ୍ରଦେଶର ଓ୍ୱାଇଏସଆର କଂଗ୍ରେସ, ଡିଏମକେ, ଆମ୍ ଆଦମୀ ପାର୍ଟ, ଟିଏମସି ଭଳି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବାରୁ ପ୍ରଶାନ୍ତ ହିଁ ସମସ୍ତ ବିରୋଧୀ ଦଳକୁ ଏକାଠି କରିପାରିବାର କ୍ଷମତା ରଖିଛନ୍ତି ବୋଲି କୁହାଯାଉଛି। ତେଣୁ ସାଧାରଣ ନିର୍ବାଚନକୁ ଟାର୍ଗେଟ୍ କରି ପ୍ରଶାନ୍ତ ଏବେ ସମସ୍ତ ଅଣ ବିଜେପି ଦଳକୁ ଏକାଠି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପଞ୍ଜାବରେ ଅମରିନ୍ଦର-ସିଦ୍ଧୁ ସମୀକରଣର ପ୍ରଭାବ ପଡ଼ିବ କି?
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ହେଉଛନ୍ତି ପ୍ରଶାନ୍ତ କିଶୋର। ଅର୍ଥାତ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ କଲମ ଧାରରେ ଅମରିନ୍ଦର ନିର୍ବାଚନ ବିଗୁଲ ଫୁଙ୍କିବେ ଆଉ ସରକାର ଗଢ଼ିବେ ବୋଲି ଦଳ ଆଶା ରଖିଛି। ହେଲେ ରାଜ୍ୟରେ ଦଳ ପାଇଁ କେଁ ପାଲଟିଛନ୍ତି ନବଜୋତ ସିଂ ସିଦ୍ଧୁ। ଶିଖ ନେତା ସହିତ ଘରେ ଘରେ ସିଦ୍ଧୁଙ୍କ ଫ୍ୟାନ ରହିଥିବାରୁ ଅମରିନ୍ଦର କିମ୍ୱା କଂଗ୍ରେସ ଉପରେ ନିର୍ବାଚନ ବେଳେ ପ୍ରଭାବ ପକାଇବ କି ବୋଲି ଏକ ପ୍ରଶ୍ନ ଉଠୁଛି। ରାହୁଲ ଗାନ୍ଧୀ ପ୍ରଶାନ୍ତଙ୍କ ସହ ଏ ବାବଦରେ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି।
ୟୁପି ବିଧାନସଭା ପାଇଁ ପ୍ରସ୍ତୁତି?
ୟୁପିରେ କଂଗ୍ରେସର ସ୍ଥିତି ବେହାଲ ରହିଛି। ୨୦୧୭ ବିଧାନସଭା ନିର୍ବାଚନ ପରେ ୟୁପିରେ ଯୋଗୀରାଜ ଚାଲିଛି। ରାଜ୍ୟର ସମାଜବାଦୀ ପାର୍ଟି ଯଦିଓ ଟିକିଏ ଅସ୍ତିତ୍ୱ ରଖିଛି ହେଲେ କଂଗ୍ରେସ ଏକ ପ୍ରକାର ନିସ୍ତେଜ ହୋଇଯାଇଛି। ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସର ସକ୍ରିୟତା ଦେଖିବାକୁ ମିଳିନାହିଁ। ହେଲେ ରାଜ୍ୟରେ କଂଗ୍ରେସର ପ୍ରଭାରୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ତେଣୁ ଆଗାମୀ ଦିନରେ କଣ ହେବା ଦରକାର ନିର୍ବାଚନୀ ଏଜେଣ୍ଡା ସେ ବାବଦରେ କଂଗ୍ରେସକୁ ଏକ ପ୍ରେଜେଣ୍ଟେସନ ପ୍ରଶାନ୍ତ ଦେଖାଇଥିବା କୁହାଯାଉଛି। ଯଦି ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବ ତାହେଲେ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି କଂଗ୍ରେସ ଭାଣ୍ଡିଆ ହେବାକୁ ଇଚ୍ଛା ରଖୁନଥିବା କୁହାଯାଉଛି।
ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ହେବ କି?
ମହାରାଷ୍ଟ୍ରରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ରହିଛି। ରାଜ୍ୟରେ ଶିବସେନା ଏବଂ କଂଗ୍ରେସ ମଧ୍ୟରେ କଳି ଜୋରଦାର ହେଉଛି। ତେଣେ ଶିବସେନା ବେଳେ ବେଳେ ତାର ପୁରୁଣା ସହଯୋଗୀ ଦଳର ମୁଖ୍ୟ ନେତାଙ୍କୁ ଏବେ ବିଭିନ୍ନ ଆଳରେ ପ୍ରଶଂସା କରିବାକୁ ଭୁଲୁ ନାହିଁ। ଯଦି ଶିବସେନା ମେଣ୍ଟରୁ ଓହରିବ ତାହେଲେ ଏନସିପି-କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଲେ ପ୍ରଭାବ କଣ ହେବ? ମହାରାଷ୍ଟ୍ରରେ କଂଗ୍ରେସ ନେତା ନାନା ପାଟୋଲେଙ୍କ ମନ୍ତବ୍ୟ ଏନସିପି ପାଇଁ ଅଡୁଆ ହେଉଛି କି? କାରଣ ନାନା ପଟୋଲେଙ୍କ ବିରୋଧରେ ଦଳୀୟ ନେତା ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ନାନାଙ୍କ ଆଖି ଏବେ ମୁଖ୍ୟମନ୍ତ୍ରୀ ଆସନ ଉପରେ ରହିଛି। ହେଲେ ଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଶରଦ ପାଓ୍ୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ?
ଏସବୁ ଚର୍ଚ୍ଚା ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି କରାଇବାକୁ ପ୍ରଶାନ୍ତ ଏଜେଣ୍ଟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କୁହାଯାଉଛି। ନିକଟରେ ଶରଦ ପାଓ୍ୱାରଙ୍କୁ ପ୍ରଶାନ୍ତ ତାଙ୍କ ବାସଭବନରେ ଭେଟିଥିଲେ। ଏହାପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଦେଶର ଏହି ଭେଟେରାନ ନେତାଙ୍କୁ ଯଦି ସମସ୍ତ ବିରୋଧୀ ଦଳ ଏକ ହୋଇ ରାଷ୍ଟ୍ରପତି କରାଇ ଦେବେ ତାହେଲେ କେନ୍ଦ୍ରର ମୋଦି ସରକାର ବିରୋଧରେ ଅଙ୍କୁଶ ଲଗାଇ ହେବ ବୋଲି ରାଜନୀତିକ ମହଲି ଅନୁମାନ କରୁଛନ୍ତି। ଯଦି ସମସ୍ତ ବିରୋଧୀ ଏକ ହୋଇଯିବେ ତାହେଲେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରର ଶାସକ ଦଳ ବିଜେପି ପାଇଁ ଏହି ନିର୍ବାଚନ ସେତେଟା ସହଜ ହେବ ନାହିଁ।
କଂଗ୍ରେସରେ ସାମିଲ୍ ହେବେ ପ୍ରଶାନ୍ତ!
ଟିଏମସି ନିର୍ବାଚନ ପରେ ପ୍ରଶାନ୍ତ କହିଥିଲେ ସେ ଆଉ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ। ତେବେ ପ୍ରଶାନ୍ତ ଏହି ଘୋଷଣା କରିବା ପୂର୍ବରୁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇସାରିଥିଲେ। ଏଥିସହ ତାଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ଦେଇଛନ୍ତି ଅମରିନ୍ଦର। ଏହାପରେ ଏକ ପିଆଇଏଲର ଶୁଣାଣି କରି ସୁପ୍ରିମକୋର୍ଟ ପଞ୍ଜାବ ସରକାରକୁ ସମନ କରିଥିଲେ। କେଉଁ ଆଧାରରେ ପ୍ରଶାନ୍ତ କିଶୋରଙ୍କୁ କ୍ୟାବିନେଟ ପାହ୍ୟା ଓ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି, ତା’ର ଜବାବ ମାଗିଥିଲେ। ଜଷ୍ଟିସ ଏସକେ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ଯେତେବେଳେ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଏଭଳି ନିଯୁକ୍ତି କାହିଁକି? ଏବେ କିନ୍ତୁ ପ୍ରଶାନ୍ତ ଅମରିନ୍ଦରଙ୍କ ପରାମର୍ଶଦାତା ହୋଇଥିବାରୁ ଆଗାମୀ ଦିନରେ ନିର୍ବଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ଜଣାପଡ଼ିଛି। ହେଲେ ମୋଦିଙ୍କୁ ପିଏମ କରାଇବାରେ କିଙ୍ଗ ମେକର ସାଜିଥିବା ଏହି ବ୍ୟକ୍ତି କଂଗ୍ରେସରେ ସାମିଲ ହୋଇ ନିଜର ରାଜନୀତିକ କ୍ୟାରିଅର ଆଗକୁ ବଢ଼ାଇବାକୁ ଚିନ୍ତା କରୁଥିବା କୁହାଯାଉଛି। ଯଦିଓ ପୂର୍ବରୁ ଜେଡିୟୁରେ ସାମିଲ୍ ହୋଇଥିଲେ ପ୍ରଶାନ୍ତ କିଶୋର। ପରେ ଦଳରୁ ବହିଷ୍କୃତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
