Advertisment

ବିଜେଡି ପଦଯାତ୍ରାରେ ମନ୍ତ୍ରୀ କହିଲେ,‘ନିତ୍ୟାନନ୍ଦ ନୁହଁନ୍ତି, ବସ୍ତାରୁ ଲଢ଼ିବେ ସୁବାସିନୀ’

ଅଶ୍ୱିନୀଙ୍କ ଏହି ମନ୍ତବ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ବାଲେଶ୍ୱର ରାଜନୀତିରେ କଂପନ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Nityanada sahoo

Nityanada sahoo

Advertisment

ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତା ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ଼ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏଭଳି ଖୋଲାଖୋଲି ଘୋଷଣା କରିଛନ୍ତି।

Advertisment

ଗତକାଲି ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ହୋଇଥିଲା। ଏହି ସମୟରେ ନିଜ ମନ୍ତବ୍ୟ ରଖିବାବେଳେ ମନ୍ତ୍ରୀ କହିଥିଲେ, ଆଗାମୀ ନିର୍ବାଚନରେ ବସ୍ତା ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ନେବେ ବାଲିଆପାଳ ମାଟିର ଓ ବସ୍ତା ନିର୍ବାଚନ ମଣ୍ଡଳୀର ଝିଅ ଶ୍ରୀମତି ସୁବାସିନୀ ଜେନା ମହୋଦୟା।

ଅଶ୍ୱିନୀଙ୍କ ଏହି ମନ୍ତବ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ବାଲେଶ୍ୱର ରାଜନୀତିରେ କଂପନ ସୃଷ୍ଟି ହୋଇଛି। ଏଥିସହ ବାଲେଶ୍ୱର ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଛି।

Advertisment

ଗତକାଲି ବସ୍ତା ନିର୍ବାଚନ ମଣ୍ଡଳୀର ମୁକୁଳିଶି ଚନ୍ଦନ ପଡ଼ିଆରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ସମାବେଶରେ ବ୍ଲକ୍‌ ବିଜେଡି ସଭାପତି ଅନୀଲ୍‌ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ପ୍ରତାପ ଦେବ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ରାଜ୍ୟ ମହିଳା ଜନତା ଦଳର କାର୍ୟ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିଲା ଜନସମ୍ପର୍କ ପଦଯାତ୍ରାରେ ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁ ଉପସ୍ଥିତ ନଥିଲେ।

ଜନ ସମ୍ପର୍କ ପଦଯାତ୍ରାରେ ବିଧାୟକଙ୍କ ଅନୁପସ୍ଥିତ ନେଇ ପ୍ରତାପ ଦେବଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ନାନା ପ୍ରଶ୍ନ ପଚାରିଥିଲେ। ବିଧାୟକଙ୍କ ଦେହ ଖରାପ ଅଛି। ବର୍ତ୍ତମାନ ଗରମରେ ଯେମିତି ଗୁଳିଗୁଳି ହେଉଛି ତାଙ୍କୁ ଆଣି ହଇରାଣ କରିବାକୁ ଚାହୁଁନାହୁଁ ବୋଲି ପ୍ରତାପ ଦେବ କହିଥିଲେ।

ଅନ୍ୟପକ୍ଷରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ ପ୍ରାର୍ଥୀ ଘୋଷଣା କରାଯାଇଥାଏ। ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସଭାପତି ଭାବେ ଘୋଷଣା କରନ୍ତି। ଇଏ କେମିତି ଘୋଷଣା କରିଦେଲେ ମୁଁ କିଛି କହିପାରିବି ନାହିଁ। ଗତକାଲି ବସ୍ତାରେ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ମୋତେ ଡକାଯାଇଥିଲା। ମୁଁ ଅସୁସ୍ଥ ଥିବାରୁ ଯାଇପାରି ନଥିଲି। ବିଜୁ ଜନତା ଦଳରୁ ଯିଏ ଟିକେଟ ପାଇବ ମୁଁ ତାକୁ ସମର୍ଥନ କରିବି।

BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe