ପୌର ନିର୍ବାଚନ: ନାମାଙ୍କନ ପତ୍ର ଫେରାଇ ନେଲେ ୬୪୧ ପ୍ରାର୍ଥୀ, ମଇଦାନରେ ୬୪୧୧ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ଅବଧି ଶେଷ ହେବା ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬୪୧ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ୬୪୧୧ଜଣ ପ୍ରାର୍ଥୀ ରହିଛନ୍ତିି । ଏଥିରେ ୫୮୫୨ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଥିବାବେଳେ ୫୬୯ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ମଇଦାନରେ ରହିଛନ୍ତି। ଆସନ୍ତା ୨୪ତାରିଖରେ ଏହି ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା କରିବେ। […]

State Election commission

Ordigital Desk
  • Published: Monday, 14 March 2022
  • , Updated: 14 March 2022, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ଅବଧି ଶେଷ ହେବା ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬୪୧ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ୬୪୧୧ଜଣ ପ୍ରାର୍ଥୀ ରହିଛନ୍ତିି । ଏଥିରେ ୫୮୫୨ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଥିବାବେଳେ ୫୬୯ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ମଇଦାନରେ ରହିଛନ୍ତି। ଆସନ୍ତା ୨୪ତାରିଖରେ ଏହି ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା କରିବେ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୌର ନିର୍ବାଚନରେ ମୋଟ ୧୦୬ଟି ପୌର ପରିଷଦ,ଏନଏଏସିର ଅଧ୍ୟକ୍ଷ ପଦବୀ ଓ ୩ଟି ମହାନଗରର ମେୟର ପଦବୀ ନିମନ୍ତେ ମୋଟ ୬୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଯାଂଚରେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଥିବାବେଳେ ୧୦୨ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଫେରାଇ ନେଇଛନ୍ତି ।

ସେହିପରି ୩ଟି ମହାନଗର ନିଗମର ୧୬୮ଟି ୱାର୍ଡ ସମେତ ୧୦୬ ପୌର ଓ ଏନଏସିର ମୋଟ ୧୮୯୯ଟି ୱାର୍ଡରେ ୬୪୫୯ଜଣ କର୍ପୋରେଟର/କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୭୮ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଥିବାବେଳେ ୫୩୯ଜଣ ନିଜର ନାମାଙ୍କନ ପତ୍ର ଫେରାଇ ନେଇଛନ୍ତି । ନାମାଙ୍କନ ପତ୍ର ଯାଂଚରେ ମୋଟ ୧୦୦ଜଣ(୭୮ଜଣ କାଉନସିଲର ଓ କର୍ପୋରେଟର ପ୍ରାର୍ଥୀ)ଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଥିଲା ଓ ମୋଟ ୬୪୧ଜଣ ପ୍ରାର୍ଥୀ(୧୦୨ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମିଶାଇ) ନିଜର ନାମାଙ୍କନ ପତ୍ର ଫେରସ୍ତ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପୌର ନିର୍ବାଚନ ପାଇଁ ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଥିବାବେଳେ ଆଜି ଅର୍ଥାତ୍ ୧୪ ତାରିଖ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଅପରାହ୍ନ ୫ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ମୋଟ ୪୪୭୫ଟି ବୁଥରେ ପ୍ରାୟ ୪୧ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

Related story