ନବୀନଙ୍କୁ ଚେତାଇଲେ ଓ ଡରାଇଲେ ସୌମ୍ୟ, ବିଜେଡି କୋରଟିମ୍ ନିର୍ବାକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ, ଆଚରଣ ଓ ଉଚ୍ଚାରଣ ଉପରେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ବାଦପତ୍ରର ସମ୍ପାଦକୀୟରେ ନବୀନଙ୍କୁ ଚେତାଇବା ଓ ଡରାଇବା ସହ ଇତିହାସରେ ସବୁଦିନ ସ୍ମରଣୀୟ ହେବା ଭଳି କାର୍ଯ୍ୟ କରିବାକୁ ସୌମ୍ୟ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିବା ହିଁ ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ଓ ରାଜନୀତିକ ବିକଳ୍ପର ଅଭାବ ଯୋଗୁ ତାଙ୍କୁ […]

pandian,-naveen-and-soumya

Ordigital Desk
  • Published: Tuesday, 26 October 2021
  • , Updated: 27 October 2021, 11:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ, ଆଚରଣ ଓ ଉଚ୍ଚାରଣ ଉପରେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ବାଦପତ୍ରର ସମ୍ପାଦକୀୟରେ ନବୀନଙ୍କୁ ଚେତାଇବା ଓ ଡରାଇବା ସହ ଇତିହାସରେ ସବୁଦିନ ସ୍ମରଣୀୟ ହେବା ଭଳି କାର୍ଯ୍ୟ କରିବାକୁ ସୌମ୍ୟ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିବା ହିଁ ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ଓ ରାଜନୀତିକ ବିକଳ୍ପର ଅଭାବ ଯୋଗୁ ତାଙ୍କୁ ସହଜରେ ସଫଳତା ମିଳୁଛି ବୋଲି ଚେତାଇ ଦେଇଛନ୍ତି। ନିଜର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ବାର୍ତ୍ତାଳାପର ସୁଯୋଗ ନଥିବାରୁ ସମ୍ଭବତଃ ସୌମ୍ୟ ଏବେ ନିୟମିତ ଭାବେ ଗତ କିଛି ମାସ ଧରି ନିଜର ସମ୍ପାଦକୀୟରେ କଡ଼ା ଭାଷାରେ ନବୀନଙ୍କ ଦୋଷତ୍ରୁଟିକୁ ଉଜାଗର କରିବାରେ ଲାଗିଛନ୍ତି।

ସୌମ୍ୟଙ୍କର ଏଭଳି ଆଚରଣ ଏବେ ବିଜେଡିର କୋରଟିମ୍ ପାଇଁ ଗଳାର ‘କଣ୍ଟା’ ସଦୃଶ ହୋଇଛି। ଯାହାକୁ କାଢ଼ିବା କି ଢ଼ୋକିବା ସମ୍ଭବପର ହେଉନଥିବାବେଳେ ବିରୋଧୀଙ୍କ ସହ ସ୍ୱର ମିଶାଇ ସୌମ୍ୟଙ୍କ ନିୟମିତ ଭାବେ ଏଭଳି ଷଣ୍ଢୁଆସୀ ଆକ୍ରମଣ କରୁଥିବାରୁ ବିଜେଡି ନିର୍ବାକ୍ ହୋଇପଡ଼ିଛି। ଏବେ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଲାଗି ରହିଥିବାବେଳେ ସୌମ୍ୟ ଏ ସମ୍ପର୍କରେ ସିଧାସଳଖ ପଦୁଟିଏ କହିନାହାନ୍ତି। ସମ୍ପାଦକୀୟ ମାଧ୍ୟମରେ ସୌମ୍ୟ ନିଜର କଥାକୁ ସିନା ସମଗ୍ର ରାଜ୍ୟବାସୀଙ୍କ ପାଖରେ ପହଂଚାଇବାରେ ସଫଳ ହେଇଛନ୍ତି , କିନ୍ତୁ ଯାହାଙ୍କ(ନବୀନ ପଟ୍ଟନାୟକ) ଉଦ୍ଦେଶ୍ୟରେ ଲେଖିଛନ୍ତି ସେ ଏସବୁ ଜାଣୁଛନ୍ତି କି ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଓ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡି ଉପସଭାପତି, ପର୍ଯ୍ୟବେକ୍ଷକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ନିଜ ମାଲିକାନାରେ ଥିବା ‘ସମ୍ବାଦ’ର ସମ୍ପାଦକୀୟରେ ‘ନବୀନବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ....’ଶୀର୍ଷକ ଏକ ଲେଖା ଲେଖିଛନ୍ତି। ନବୀନ ସରକାରର ୨୦ବର୍ଷର କାର୍ଯ୍ୟକାଳକୁ ସୌମ୍ୟ ତାଙ୍କ ଲେଖାରେ ସମୀକ୍ଷା କରିବା ସହ ନବୀନଙ୍କ କାର୍ଯର୍୍ୟଶୈଳୀ ଓ ଆଚରଣରେ ଆସିଥିବା ଫରକ ସମ୍ପର୍କରେ ମଧ୍ୟ ଚେତାଇ ଦେବାକୁ ପଛାଇ ନାହାନ୍ତି । ସୌମ୍ୟ ଲେଖିଛନ୍ତି, ରାଜନୀତିକ ବିକଳ୍ପ ନଥିବାରୁ ନବୀନଙ୍କୁ ନିର୍ବାଚନୀ ସଫଳତା ମିଳୁଛି ଓ ଏହା ତାଙ୍କୁ ଅହଙ୍କାରୀ କରାଇ ଦେଇଛି, ଯାହାକି ନବୀନଙ୍କ ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ’ ନୀତିକୁ ମଧ୍ୟ ସଙ୍କୁଚିତ କରିଛି। ଆଉ ସାଧାରଣ ଲୋକ ମଧ୍ୟ ଏହା ଅନୁଭବ କଲେଣି ।

ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନ କିଭଳି ଅଧିକ ଭୋଟ ପାଇ ଜିତିହେବ ଓ ସେଥିପାଇଁ ଯାହା ଦରକାର ଏବଂ କରିବାକୁ ପଡ଼ୁଛି ତାହା ସେ କରୁଛନ୍ତି । ନବୀନଙ୍କ ପ୍ରଥମ ୧୦ବର୍ଷର କାର୍ଯ୍ୟଶୈଳୀ ହିଁ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ମନରେ ଏଭଳି ଏକ ଭଲପାଇବା ସୃଷ୍ଟି କରାଇଛି ଯାହା କମ୍ ରାଜନେତାଙ୍କ ଭାଗ୍ୟରେ ଜୁଟିଥାଏ । ୨୦୨୪ ନିର୍ବାଚନ ବେଳକୁ ନବୀନ ହୁଏତ ଚାମଲିଙ୍ଗ ଓ ଜ୍ୟୋତିବସୁଙ୍କର ସର୍ବାଧିକ ସମୟ କ୍ଷମତାସୀନ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ଭଙ୍ଗ କରିବେ । କିନ୍ତୁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନିଜ ନାଁ ଲିପିବଦ୍ଧ ହେବା ଭଳି କାର୍ଯ୍ୟ ସେ କରିପାରିନାହାନ୍ତି। ଚାମଲିଙ୍ଗ ଓ ଜ୍ୟୋତିବସୁଙ୍କ ଯେପରି ଏବେ ମନେ ପକାଇବା ଲୋକଙ୍କ ସଂଖ୍ୟା ନଗଣ୍ୟ ଠିକ୍ ସେଭଳି ଅବସ୍ଥା ନବୀନଙ୍କର ବି ହୋଇପାରେ ବୋଲି ଚେତାବନୀ ଦେବାକୁ ସୌମ୍ୟ ପଛାଇ ନାହାନ୍ତି।

ବିରୋଧୀଙ୍କ ସହ ସ୍ୱର ମିଳାଇ ସୌମ୍ୟ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ସହାୟକ ହୋଇଥିବା ଯୁଗାନ୍ତକାରୀ ଯୋଜନାଗୁଡ଼ିକର ସଫଳତା ଉପରେ ପ୍ରଶ୍ନ ଉଠାଇଚନ୍ତି । ପ୍ରଶିକ୍ଷିତ ଶିକ୍ଷକଙ୍କ ସଂଖ୍ୟା ନବଢାଇ ସ୍କୁଲ କୋଠାକୁ ଚକଚକ୍ କରିବା ଅବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମୃଦ୍ଧ ନକରି ‘ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ’ ବାଣ୍ଟିଲେ ଓଡ଼ିଆ ଯୁବକମାନଙ୍କ ସ୍ୱପ୍ନ ସାକାର ହୋଇପାରିବ ନାହିଁ । କ୍ଷମତାସୀନ ବ୍ୟକ୍ତିଙ୍କୁ ପୁଲିସ ସୁରକ୍ଷା ଦେବାରେ ଅଧିକ ତତ୍ପର ଥିବାରୁ ‘ମୋ ସରକାର ଯୋଜନା’ ବି ଫେଲ୍ ମାରିଛି ବୋଲି କହିବାକୁ ସୌମ୍ୟ ପଛାଇ ନାହାନ୍ତି ।

ମହିଳା କାର୍ଡ ଖେଳୁଥିବା ନବୀନ ପଟ୍ଟନାୟକ ଓଡ଼ିଶାକୁ ନିଶାମୁକ୍ତ କରିବା, ଦୈନିକ ବଢ଼ୁଥିବା ଅପରାଧକୁ ନିିୟନ୍ତ୍ରଣ ତଥା ମହିଳାଙ୍କୁ ଅଧିକ ସୁରକ୍ଷିତ ପରିବେଶ ଦେବାରେ ବିଫଳ ହୋଇଛି ବୋଲି ସୌମ୍ୟ ପରୋକ୍ଷରେ କହିଛନ୍ତି । ନବୀନଙ୍କ ଡାହାଣ ହାତ ସାଜିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କଠୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ ହେବାର ଉଦାହରଣ ଦେଇ ରାଜ୍ୟରେ ଦୁର୍ନୀତି ଏବେ କେଉଁସ୍ତରରେ ପହଂଚିଛି ଓ ନିର୍ବାଚନରେ ପ୍ରତିଥର ଆବଶ୍ୟକ ପଡ଼ୁଥିବା ଅଧିକ ଅର୍ଥ ଯୋଗାଡ଼ରେ ସମସ୍ତେ ବ୍ୟସ୍ତ ଥିବାରୁ ସ୍ୱଚ୍ଛତା କମିବା ଓ ଦୁର୍ନୀତି ବଢ଼ିବା ଛଡ଼ା ଅନ୍ୟ ବାଟ ନାହିଁ ବୋଲି ସୌମ୍ୟ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସୌମ୍ୟ ଏତେ କଠୋର ଭାବେ ଓ ଖୋଲାଖୋଲି ନିଜ ଦଳର ସରକାର ଓ ନିଜର ନେତାଙ୍କୁ ଗଣମାଧ୍ୟମରେ ସମାଲୋଚନା କରୁଥିବାବେଳେ ତାଙ୍କୁ ବିଜେଡି କୋରଟିମ୍ ହଜମ କରିବା ଏବେ ବାଧ୍ୟବାଧକତା ହୋଇଯାଇଛି । ନବୀନଙ୍କୁ ନିଜର ନେତା ଓ ପ୍ରଭୁ ମାନୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ କିମ୍ବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତାଙ୍କ ଉପରେ ସିନା ଆକ୍ରୋଶ ରଖି ବିଜେଡି କୋରଟିମ୍ କାର୍ଯ୍ୟାନୁଷ୍ଠାନ କରିବାରେ ସକ୍ଷମ ହେଲା ମାତ୍ର ସୌମ୍ୟଙ୍କ ଦେହରେ ହାତ ମାରିଲେ ସେ କେତେ ଯେ ଭୟଙ୍କର ହେବେ ତାକୁ ଆକଳନ କରୁଥିବା ବିଜେଡି କ୍ଷମତାକେନ୍ଦ୍ର ଏବେ ନିରବ ରହିବାକୁ ଏକପ୍ରକାର ବାଧ୍ୟ ବୋଲି ସାଧାରଣରେ ଚର୍ଚ୍ଚା ।

Related story