ସରକାରୀ ପାଣ୍ଠିରେ ନବୀନଙ୍କ ନିର୍ବାଚନୀ ଭେଟି, ବିରୋଧୀଙ୍କ ଅକଲଗୁଡୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ କାର୍ଯ୍ୟସୂଚୀ ଘୋଷଣା ହେବାର ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟରେ ୩୦ଲକ୍ଷ ପରିବାରକୁ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଘର ମରାମତି ସହାୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରାଇବା ସହ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଘର ନଦେଲେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି। ଏହାସହିତ ଗତକାଲି […]

CM Naveen Patnaik

Ordigital Desk
  • Published: Tuesday, 21 December 2021
  • , Updated: 21 December 2021, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ କାର୍ଯ୍ୟସୂଚୀ ଘୋଷଣା ହେବାର ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟରେ ୩୦ଲକ୍ଷ ପରିବାରକୁ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଘର ମରାମତି ସହାୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରାଇବା ସହ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଘର ନଦେଲେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି। ଏହାସହିତ ଗତକାଲି ୯୬.୫ଲକ୍ଷ ପରିବାରକୁ ଜୀବିକା ସହାୟତା ବାବଦରେ ୧ହଜାର ଟଙ୍କା ମଧ୍ୟ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଭୋଟରଙ୍କ ଆକାଉଣ୍ଟକୁ ଏହି ଅର୍ଥ ସ୍ଥାନାନ୍ତର ହେବା ନିଶ୍ଚିତ ଭାବେ ରାଜନୀତିକ ହଟଚମଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ସରକାରୀ ପାଣ୍ଠିରେ ନବୀନଙ୍କ ଏଭଳି ରାଜନୀତିକ ମାଷ୍ଟ୍ରରଷ୍ଟ୍ରୋକ୍ ଏବେ ବିରୋଧୀଙ୍କୁ ଅକଲଗୁଡୁମ୍ କରିଦେଇଥିବା ଚର୍ଚ୍ଚା ହେଉଛି।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଜାରି କରାଯାଇଥିବା ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୪ର ପ୍ରଥମ କ୍ୟାବିନେଟ ବୈଠକରେ ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏ ଦିଗରେ ବହୁତ ଭଲ କାମ ହୋଇଛି । ଗ୍ରାମାଂଚଳରେ ଘର ତିଆରି କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ୨୦୧୪ ମସିହାରୁ ୨୨ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଲେଣି । ଗାଁର ଗରିବ ଲୋକମାନଙ୍କୁ ପକ୍କା ଘର ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଂଚଳ ପକ୍କାଘର ଯୋଜନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ରାଜ୍ୟ ସରକାର ପ୍ରାୟ ଅଧା ଖର୍ଚ୍ଚ ବହନ କରୁଛନ୍ତି । ଅନେକ ଯୋଗ୍ୟ ପରିବାର କେନ୍ଦ୍ରର ଆବାସ ଯୋଜନାରେ ଘରଟିଏ ପାଇବାକୁ ଅପେକ୍ଷା କରି ରହିଛନ୍ତି । ପଶ୍ଚିମ ଓଡ଼ିଶା ଓ ଜନଜାତି ଅଂଚଳ ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ କୋଭିଡ୍ ଯୋଗୁ ଗରିବ ପରିବାରର କଷ୍ଟକୁ ଉପଲବ୍ଧ କରି ରାଜ୍ୟ ସରକାର ଘରର ଛୋଟମୋଟ ମରାମତି କରିବା, ଚୁୂନ ଦେବା ପାଇଁ ରାଜ୍ୟ କ୍ୟାବିନେଟରେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ନିଷ୍ପତ୍ତି ନେବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଂଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ବାବଦରେ ୩ହଜାର ଟଙ୍କାର ସହାୟତା ଦେବାକୁ ରାଜ୍ୟ କ୍ୟାବିନେଟ ସ୍ଥିର କରିଥିବାବେଳେ କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଂଚିତ ହୋଇ ଅସୁବିଧାରେ ରହିଥିବା ଯୋଗ୍ୟ ପରିବାରଙ୍କୁ ୫ହଜାର ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ୩୦ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪୪୪କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଉଭୟ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ବିଜୁ ପକ୍କାଘର ଯୋଜନାରୁ ଏହି ଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ପଂଚାୟତ ନିର୍ବାଚନରେ ନିଜ ଦଳ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟର ଭାଇଭଉଣୀମାନଙ୍କୁ ଘର ପାଇଁ ହଇରାଣ ହେବାକୁ ଦେବେ ନାର୍ହି । ସମସ୍ତେ ସମ୍ମାନର ସହ ବଂଚିବା ସେ ଚାହାଁନ୍ତି । କେନ୍ଦ୍ର ଯୋଜନାରୁ ଘର ଆଣିବାକୁ ଚେଷ୍ଟା କରାଯାଉଛି । ଯଦି କେନ୍ଦ୍ର ସରକାର ନ୍ୟାୟପୂର୍ଣ୍ଣ ଦାବିକୁ ଗ୍ରହଣ ନକରିବେ ତଥାପି ଚିନ୍ତା କରିବାର ନାହିଁ । ରାଜ୍ୟ ସରକାର ଘର ଦେବା ପାଇଁ ପଦକ୍ଷେପ ନେବ । ପଂଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଭଳି ବୟାନ ଦେଇ ମୁଖ୍ୟ ବିରୋଧୀ ବିଜେପିକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।

ନିର୍ବାଚନ ପାଇଁ ତାରିଖ ଘୋଷଣାର ଠିକ୍ ପୂର୍ବରୁ ୩୦ଲକ୍ଷ ପରିବାରକୁ ଘର ମରାମତି ପାଇଁ ୩ରୁ ୫ହଜାର ଟଙ୍କା, ଜୀବିକା ସହାୟତା ପାଇଁ ୯୬.୫ଲକ୍ଷ ପରିବାରକୁ ୧ହଜାର ଟଙ୍କାର ସହାୟତା ଦେଇ ଶାସକ ବିଜେଡି ଆଗାମୀ ପଂଚାୟତ ନିର୍ବାଚନକୁ ନିଜ ସପକ୍ଷକୁ ନେବା ପାଇଁ ଏକ ‘ମାଷ୍ଟରଷ୍ଟ୍ରୋକ’ ମାରିଛି । ତେବେ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ଓ ପଦକ୍ଷେପକୁ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ମୁକାବିଲା କରୁଛନ୍ତି ତାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି ।

Related story