ଆସନ୍ତା ମାସରେ ନୂଆ ପିସିସି ମୁଖ୍ୟ: ବିଧାୟକ ଦଳ ନେତା ପଦ ଛାଡ଼ିପାରନ୍ତି ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଗୋଷ୍ଠୀକନ୍ଦଳ ପୁଣିଥରେ ତୀବ୍ର ରୂପ ଧାରଣ କରିଥିବାବେଳେ ଆସନ୍ତା ମାସରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନାଁରେ କିଛି ବିଧାୟକ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାରୁ ତାଙ୍କୁ ଉକ୍ତ ପଦରୁ ହଟାଇବାକୁ ମଧ୍ୟ ଯୋଜନା ଚାଲିଥିବା ଜଣାପଡ଼ିଛି । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ […]

Narasingh Mishra

Ordigital Desk
  • Published: Tuesday, 26 April 2022
  • , Updated: 26 April 2022, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଗୋଷ୍ଠୀକନ୍ଦଳ ପୁଣିଥରେ ତୀବ୍ର ରୂପ ଧାରଣ କରିଥିବାବେଳେ ଆସନ୍ତା ମାସରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନାଁରେ କିଛି ବିଧାୟକ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାରୁ ତାଙ୍କୁ ଉକ୍ତ ପଦରୁ ହଟାଇବାକୁ ମଧ୍ୟ ଯୋଜନା ଚାଲିଥିବା ଜଣାପଡ଼ିଛି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ ଆଜି ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ କରିଥିଲେ । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଥିବାରୁ ବିଧାୟକ, ସାଂସଦ ଓ ସବୁ ନେତାମାନଙ୍କ ବିଚାରବିମର୍ଶ କରିଥିଲେ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଭିନ୍ନ ଭିନ୍ନ ଭାବେ ପ୍ରାୟ ୩୦ମିନିଟ୍ ଲେଖାଏଁ ଧରି ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ । ସବୁ ନେତାମାନଙ୍କ ସହ ଆଲୋଚନାବେଳେ ପିସିସି ସଭାପତି ପଦ ନିମନ୍ତେ ୩ଜଣଙ୍କ ନାଁ ପ୍ରସ୍ତାବ ଦେବାକୁ ସେ କହିଥିବା ଜଣାପଡ଼ିଛି ।

ଶ୍ରୀ ଚେଲାକୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ତାଙ୍କର ଇସ୍ତଫା ଦେଇସାରିଛନ୍ତି । ଦଳର ବିଧାୟକ ଓ ନେତାମାନଙ୍କୁ ଭେଟି ପରବର୍ତ୍ତୀ ନୂଆ ପିସିସି ମୁଖ୍ୟ କିଏ ହେବେ ସେ ନେଇ ମତାମତ ସଂଗ୍ରହ କରିବା ନିମନ୍ତେ ଭୁବନେଶ୍ୱର ଆସିଛି । ସମସ୍ତଙ୍କର ମତାମତ ନେଇ ସେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବେ ଓ ସୋନିଆ ଗାନ୍ଧି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ତେବେ ପିସିସି ସଭାପତି ଭାବେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେବା ଚର୍ଚ୍ଚାକୁ ଶ୍ରୀ ଚେଲାକୁମାର ଏଡ଼ାଇ ଯାଇଛନ୍ତି । କଂଗ୍ରେସ ସମ୍ବିଧାନରେ ଏଭଳି କୌଣସି ନିୟମ ଥିବା ସେ ଜାଣିନଥିବା କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ବିଧାୟକ ଆଜି ଆଲୋଚନାବେଳେ ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କୁ ବିଧାୟକ ଦଳ ନେତା ପଦରୁ ଅପସାରଣ କରିବା ପାଇଁ ଦାବି ଜଣାଇଥିଲେ । ନରସିଂହଙ୍କ ବଦଳରେ କାହାକୁ ଏହି ପଦରେ ଆସୀନ କରାଯିବ ସେ ନେଇ ଚେଲାକୁମାର ପ୍ରସ୍ତାବ ମାଗିଥିଲେ ମଧ୍ୟ ବିଧାୟକମାନଙ୍କ ମଧ୍ୟରେ ସହମତି ହୋଇପାରିନି । ଏପଟେ ରୁଦ୍ଧ ଦ୍ୱାର ଆଲୋଚନାବେଳେ ନରସିଂହଙ୍କୁ ବିଧାୟକମାନେ କରୁଥିବା ବିରୋଧ ସମ୍ପର୍କରେ ଚେଲାକୁମାର ଅବଗତ କରାଇଥିଲେ । ଯଦି ବିଧାୟକମାନେ ବିରୋଧ କରୁଛନ୍ତି ତା’ହେଲେ ବିଧାୟକ ଦଳ ନେତା ପଦରୁ ଅବ୍ୟାହତି ନେବାକୁ ପ୍ରସ୍ତୁତ, କିନ୍ତୁ ସେହି ବିଧାୟକମାନେ କିଏ ଓ ସେମାନଙ୍କର ସଂଖ୍ୟା କେତେ ତାହା ଜାଣିବାକୁ ନରସିଂହ ଚାହିଁଥିବା ପିସିସି ସୂତ୍ରରୁ ସୂଚନା ମିଳିଛି । ତେବେ ନରସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଆଜି ଦିନତମାମ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଉଭୟ ପିସିସି କିମ୍ବା ନରସିଂହଙ୍କ ପକ୍ଷରୁ କେହି କିଛି ମୁହଁ ଖୋଲି ନାହାନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟାରେ ନରସିଂହ କହିଛନ୍ତି ଯେ, ଉଚିତ୍ ସମୟ ଆସିଲେ ସେ ଏ ପ୍ରସଙ୍ଗରେ କହିବେ ।

Related story