ଓଡ଼ିଶାର ଗର୍ବ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ: ସରକାରଙ୍କ ମିଛ ପ୍ରଚାର କାହିଁକି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ଆଜି ଉଦଘାଟନ ହେବା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛି । ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ‘ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ’ ବୋଲି କୁହାଇ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଏକ ନୂଆ ବିବାଦ ଓ ମିଛ ପ୍ରଚାରକୁ ଜନ୍ମ […]

Naveen

Ordigital Desk
  • Published: Thursday, 05 January 2023
  • , Updated: 05 January 2023, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ଆଜି ଉଦଘାଟନ ହେବା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛି । ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ‘ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ’ ବୋଲି କୁହାଇ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଏକ ନୂଆ ବିବାଦ ଓ ମିଛ ପ୍ରଚାରକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଏପରିକି ବିରୋଧୀ ଦଳ ବିଜେପି ଓ ସୋଶାଲ ମିଡିଆରେ ଏହି ମିଛ ପ୍ରଚାରକୁ ନେଇ ଆପତ୍ତି ଉଠାଯିବା ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ ମଧ୍ୟ କରାନଯିବା ପରୋକ୍ଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ବେପରୁୱା ମନୋଭାବକୁ ଉଜାଗର କରୁଛି । ଏହି ଷ୍ଟାଡ଼ିୟମକୁ ନେଇ ସକାରାତ୍ମକ ପ୍ରଚାର ପରିବର୍ତ୍ତେ ସୋଶାଲ ମିଡିଆରେ ନକାରାତ୍ମକ ପ୍ରଚାର ବେଶୀ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବିଶ୍ୱକପ୍ ହକି ମ୍ୟାଚ ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମକୁ ଉଦଘାଟନ କରିଛନ୍ତି । କିନ୍ତୁ ଏହି ଷ୍ଟାଡ଼ିୟମକୁ ଉଦଘାଟନର ପ୍ରଚାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଟ୍ୱିଟରରୁ ବିର୍ସା ମୁଣ୍ଡା ଷ୍ଟାଡ଼ିୟମକୁ ବିଶ୍ୱର ସର୍ବବୃହତ୍ ଷ୍ଟାଡ଼ିୟମ ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ଆଜି ଷ୍ଟାଡ଼ିୟମକୁ ଉଦଘାଟନ କରିବା ଅବସରରେ ଏହାକୁ ବିଶ୍ୱର ସର୍ବବୃହତ୍ ବୋଲି କହିବାକୁ ପଛାଇ ନାହାନ୍ତି। ସମ୍ବାଦପତ୍ରରେ ବଡ଼ ବଡ଼ ବିଜ୍ଞାପନ ଦେଇ ଏହାକୁ ସର୍ବବୃହତ୍ ହକି ଷ୍ଟାଡ଼ିୟମ ବୋଲି ମଧ୍ୟ ସରକାରୀସ୍ତରରେ କୁହାଯାଇଛି। ବିଜେପି ବିଧାୟକ ଶଙ୍କର ଓରାମ ଏହା କିଭଳି ବିଶ୍ୱର ସର୍ବବୃହତ୍ ବୋଲି ପ୍ରଶ୍ନ କରିବା ସହ ପାକିସ୍ତାନର ଲାହୋର, ଚଣ୍ଡିଗଡ଼ ଓ ଲସଏଞ୍ଜେଲସରେ ଏହାଠୁ ବି ବଡ଼ ହକି ଷ୍ଟାଡ଼ିୟମ ରହିଛି ବୋଲି କହିବା ସହ ଏଭଳି ମିଛ ପ୍ରଚାରକୁ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୋଶାଲ ମିଡିଆରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମିଛ ପ୍ରଚାରକୁ ନେଇ ମଧ୍ୟ କଡ଼ା ସମାଲୋଚନା ହେଉଛି ।

ତେବେ ପ୍ରଶ୍ନ ଉଠୁଛି, ଏହା କିଭଳି ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ? ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ଏଭଳି ମିଛ ପ୍ରଚାର କରୁଛନ୍ତି କାହିଁକି? ସରକାରୀସ୍ତରରେ କୌଣସି ତଥ୍ୟ ମିଛ ପ୍ରଦାନ କରାଗଲେ, ଅବା ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କୌଣସି ମିଛ କୁହାଗଲେ ତାହା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାଏ । ମାତ୍ର ଏହାକୁ ଖାତିର ନକରି ସରକାରୀସ୍ତରରେ ମିଛ ପ୍ରଚାର ଜାରି ରହିଛି ।

ଅନ୍ୟପକ୍ଷରେ ଅଲମ୍ପିକ କ୍ରୀଡ଼ାର ଆନୁଷ୍ଠାନିକ ୱେବସାଇଟ୍ ‘ଅଲମ୍ପିକ୍ସ ଡଟ୍ କମ୍ ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାକିସ୍ତାନର ଲାହୋରସ୍ଥିତ ନ୍ୟାସନାଲ ହକି ଷ୍ଟାଡ଼ିୟମ ହେଉଛି ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ । ଯାହାର ଦର୍ଶକ କ୍ଷମତା ୪୫ହଜାର । ଏହା ଗଦ୍ଦାଫି ହକି ଷ୍ଟାଡ଼ିୟମ ଭାବେ ପରିଚିତ ତଥା ୧୯୮୨ ମସିହାରେ ଏହାର ଲୋକାର୍ପଣ ହୋଇଥିଲା ।

ସେହିପରି ୧୯୬୦ ମସିହାରେ ଚଣ୍ଡିଗଡ଼ ହକି ଷ୍ଟାଡ଼ିୟମର ନିର୍ମାଣ ହୋଇଥିଲା । ଏହା ଭାରତର ସର୍ବବୃହତ୍ ହକି ଷ୍ଟାଡ଼ିୟମ ତଥା ଏହାର ଦର୍ଶକ କ୍ଷମତା ୩୦ହଜାର । ଏହି ହକି ଷ୍ଟାଡ଼ିୟମ କମ୍ପେ୍ଲକ୍ସ ୪୦ଏକରରୁ ଅଧିକ ପରିମିତ ଜାଗାରେ ଅବସ୍ଥାପିତ । ଏହି ହକି ଷ୍ଟାଡ଼ିୟମରେ ବକ୍ସିଂ, କବାଡ଼ି, ହ୍ୟାଣ୍ଡବଲ୍‌, ଜୁଡ଼ୋ, ଭାରଉତ୍ତୋଳନ ସୁବିଧା ମଧ୍ୟ ରହିଛି । ସର୍ବଭାରତୀୟସ୍ତରର ହକି ମ୍ୟାଚଗୁଡ଼ିକର ଆୟୋଜନ ମଧ୍ୟ ଏଠାରେ ହୋଇଥାଏ ।

କାଲିଫର୍ଣ୍ଣିଆର ଲସ ଏଞ୍ଜେଲସ୍ ସହରରେ ୱିନଗାର୍ଟ ଷ୍ଟାଡ଼ିୟମ ରହିଛି, ଯାହାର ଦର୍ଶକ କ୍ଷମତା ୨୨୩୫୫ । ଏହା ପୂର୍ବରୁ ଇଷ୍ଟ ଲସଏଞ୍ଜେଲସ୍ କଲେଜ ଷ୍ଟାଡ଼ିୟମ ବୋଲି ପରିଚିତ ଥିଲା । କିନ୍ତୁ ୧୯୮୪ ମସିହା ଅଲମ୍ପିକ୍ସ ପୁରୁଷ ଓ ମହିଳା ହକି ମ୍ୟାଚ ଏଠାରେ ଖେଳାଯାଇଥିଲା । ପାକିସ୍ତାନକୁ ଏଠାରେ ପୁରୁଷ ହକିରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ମିଳିଥିଲା ।

ଏବେ ରାଉରକେଲାରେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ଲୋକାର୍ପିତ ହୋଇଛି । ଯାହାର ଦର୍ଶକ କ୍ଷମତା ୨୦ହଜାର । ବିଶ୍ୱକପ୍ ହକି ମ୍ୟାଚ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ବିପିୟୁଟିର ୧୫ଏକର ପରିମିତ ଜମିରେ ଅବସ୍ଥିତ । ଏହି ଷ୍ଟାଡ଼ିୟମ ପରିସରରେ ସୁଇମିଂ ପୁଲ, ଫିଟନେସ ସେଂଟର, ଡ୍ରେସିଂ ରୁମ୍ ଓ ପ୍ରାକ୍ଟିସ ପିଚ୍ ସହ ଖେଳାଳୀଙ୍କ ରହିବା ପାଇଁ ୨୨୫ଟି ରୁମ୍ ମଧ୍ୟ ରହିଛି ।

ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଯାଉଥିବାବେଳେ ଏଠାର ଦର୍ଶକ କ୍ଷମତା ୧୫ହଜାର ବୋଲି ଅଲମ୍ପିକ୍ସ ୱେବସାଇଟରେ ଉଲ୍ଲେଖ ରହିଛି । ତେବେ ଏସବୁ ତଥ୍ୟ ଜାଣି ମଧ୍ୟ ରାଜ୍ୟ ସରକାର କାହିଁକି ଏଭଳି ମିଛ ପ୍ରଚାର କରୁଛନ୍ତି ଓ ନିଜର ବିଶ୍ୱସନୀୟତା ହରାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି?

Related story