ରୁଚିକା ଆତ୍ମହତ୍ୟା ମାମଲା: ଗୃହରେ ବୟାନ ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ରାଗିଂ ଯୋଗୁ ମୃତ୍ୟୁ ବୋଲି ମାନିଲେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ୫୪ ଘଂଟା ପରେ ବି ପୁଲିସ ହାତ ଖାଲି । ‘କେବଳ ପଚାର ଉଚୁରା’ ମଧ୍ୟରେ ପୁଲିସ ତଦନ୍ତ ସୀମିତ ରହିଥିବା ଓ କାହାରିକୁ ଦୋଷୀ ପାଇନଥିବା ଏବଂ ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କରିଛନ୍ତି ବୋଲି ସିଧାସଳଖ ସ୍ୱୀକାର କରିବାକୁ ରାଜ୍ୟ ସରକାର କୁଣ୍ଠାବୋଧ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି । […]

Ruchika-and-Tusar

Ordigital Desk
  • Published: Monday, 04 July 2022
  • , Updated: 04 July 2022, 07:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ୫୪ ଘଂଟା ପରେ ବି ପୁଲିସ ହାତ ଖାଲି । ‘କେବଳ ପଚାର ଉଚୁରା’ ମଧ୍ୟରେ ପୁଲିସ ତଦନ୍ତ ସୀମିତ ରହିଥିବା ଓ କାହାରିକୁ ଦୋଷୀ ପାଇନଥିବା ଏବଂ ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କରିଛନ୍ତି ବୋଲି ସିଧାସଳଖ ସ୍ୱୀକାର କରିବାକୁ ରାଜ୍ୟ ସରକାର କୁଣ୍ଠାବୋଧ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି ।

ବିଜେବି କଲେଜ ହଷ୍ଟେଲରେ ର‌୍ୟାଗିଂ ଯୋଗୁ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ହୋଇଥିବାର ଅଭିଯୋଗ ଆଣି ଆଜି ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ସହ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶରେ ସରକାର ଏହି ପ୍ରସଙ୍ଗରେ ଗୃହରେ ବିବୃତ୍ତି ଦେଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଇତିହାସ ଅନର୍ସ ବିଭାଗର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଓ ଅତି ଦୁଃଖଦ ଘଟଣା । ତାଙ୍କ ଘର ଚୌଦ୍ୱାର ଅନ୍ତର୍ଗତ କଖଡ଼ିରେ । ତାଙ୍କୁ କାରୁବାକୀ ମହିଳା ଛାତ୍ରାବାସର ଡର୍ମୋଟୋରୀରେ ରୁମ୍ ଦିଆଯାଇଥିଲା। ସେ ତାଙ୍କର ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମରେ ରହୁଥିଲେ।

୨ ତାରିଖ ସକାଳ ସାଢ଼େ ୧୧ଟାରେ ରୁଚିକାଙ୍କ ଶବକୁ ତାଙ୍କ ବାନ୍ଧବୀରଙ୍କ ବନ୍ଦ ଥିବା ରୁମରୁ କଲେଜ ପ୍ରିନ୍ସିପାଲ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମିଳିଥିଲା । ପରେ ରୁଚିକାଙ୍କ ପରିବାର ଓ ପୁଲିସକୁ ଅବଗତ କରାଯାଇଥିଲା । ବରଗଡ଼ ଥାନା ପୁଲିସ ମୃତା ରୁଚିକାଙ୍କ ଲୋକାଲ ଗାର୍ଡିଅନଙ୍କ ଉପସ୍ଥିତିରେ ତାଙ୍କ ପକେଟରୁ ଏକ ଚିଠି ଜବତ କରିଥିଲେ । ମୃତ ରୁଚିକାଙ୍କ ମାଆ ବିଦ୍ୟୁତପ୍ରଭା ମହାନ୍ତିଙ୍କ ରିପୋର୍ଟ ଆଧାରରେ ବରଗଡ଼ ଥାନାରେ ଆଇପିସିର ୩୦୬ ଓ ୩୪ରେ ଏକ ମାମଲା ପଞ୍ଜିକୃତ ହୋଇଛି ।

ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କ ତଦାରଖ ଓ ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ତଦନ୍ତ ଚାଲିଛି । ପରିବାର ସଦସ୍ୟ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତଥାପିତ ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି । ପୁଲିସ ଏହି ଘଟଣାରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, କଲେଜ ପ୍ରିନ୍ସିପାଲ ଓ ମାଟ୍ରନ୍ ଓ ହଷ୍ଟେଲରେ ଥିବା ଛାତ୍ରୀମାନଙ୍କୁ ପଚରାଉଚୁରା କରୁଛି । ଏହି କେସର ତଦନ୍ତ ବରଗଡ଼ ଥାନା ଅଧିକାରୀ କରୁଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ର‌୍ୟାଗିଂକୁ ପ୍ରତିହତ କରିବା ପାଇଁ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ରୁଚିକାଙ୍କ ଆତ୍ମହତ୍ୟାର ୫୪ ଘଂଟା ବିତି ଯାଇଥିଲେ ମଧ୍ୟ ପୁଲିସ ତଦନ୍ତ ଏବେ କେଉଁ ଦିଗରେ ରହିଛି ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ କାହିଁକି ସରକାର ଦେଲେନି ସେ ସମ୍ପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ନିରବ ରହିଛନ୍ତି। ୫୪ ଘଂଟା ପରେ ମଧ୍ୟ ପୁଲିସ କେବଳ ନିଜର ତଦନ୍ତକୁ ପଚରାଉଚୁରା ମଧ୍ୟରେ ସୀମିତ ରଖିଛି। ରୁଚିକା ଆତ୍ମହତ୍ୟା ପୂର୍ବରୁ ଯେଉଁ ଚିଠି ଲେଖିଛନ୍ତି ଓ ଯେଉଁ ୩ଜଣ ସିନିୟରଙ୍କୁ ଦୋଷ ଦେଇଛନ୍ତି ପୁଲିସ କାହିଁକି ସେମାନଙ୍କୁ ଆଗକୁ ଆଣୁନି ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କାହିଁକି ଏନେଇ ଚୁପ୍ ରହିଛନ୍ତି ତାହା ବୁଝାପଡ଼ିନି? ଏହି ଆତ୍ମହତ୍ୟା ଯେ ରାଗିଂଜନିତ ତାହା ମଧ୍ୟ ସ୍ୱୀକାର କରିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କୁଣ୍ଠାବୋଧ କରିଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

Related story