Pandian
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ଆଜି କାଳିମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ବିରୋଧୀ ଦଳ ଏହାକୁ ପ୍ରାୟୋଜିତ ଓ ବିଜେଡିରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ କହୁଥିବାବେଳେ ପାଣ୍ଡିଆନଙ୍କ ସମର୍ଥନରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନେ ଆଗକୁ ଆସିଛନ୍ତି । ଓଏଏସ୍ ଅଫିସର ସଂଘ ସମେତ ବିଭିନ୍ନ କର୍ମଚାରୀ ସଂଘ ଏହି କାର୍ଯ୍ୟକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । କିଛି ସ୍ଥାନରେ ବିଜେଡି ଆଉ ପାଦେ ଆଗକୁ ଆସି ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ପରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରଥମେ ନିଜ ସୋସିଆଲ ମିଡିଆରେ ଏହି ଘଟଣାକୁ ନିନ୍ଦା କରିବା ସହ ଯେଉଁ ମହିଳାଜଣକ ଆଗକୁ ଆସି ନିଜ ପଣତକାନିରେ ପାଣ୍ଡିଆନଙ୍କ ମୁହଁପୋଛି ଦେଲେ ତାଙ୍କୁ ପ୍ରଶଂସା କରିଛନ୍ତି । ଆଉ ସମ୍ପୃକ୍ତ କାପୁରୁଷ ଅନୁପ୍ରବେଶକାରୀ ଭୟମିଶ୍ରିତ ଘୃଣା ଓ ଖୋଲା ଭଲପାଇବା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ୍ ବୋଲି ଶ୍ରୀ ନାୟକ ଲେଖିଛନ୍ତି । ପାଣ୍ଡିଆନଙ୍କୁ ଆକ୍ରମଣ ଘଟଣା ପରେ ବିଜେଡି ଓ ସରକାର ପକ୍ଷରୁ ପ୍ରଥମ ବ୍ୟକ୍ତି ଭାବେ ଶ୍ରୀ ନାୟକ ନିଜର ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ପ୍ରତିକ୍ରିୟା ରଖିବା ପରେ ଦଳର ଅନ୍ୟ ବିଧାୟକ,ସାଂସଦ ଓ ନେତାମାନେ ନିଜ ସୋସିଆଲ ମିଡିଆରେ କାଳିମାଡ଼ ଘଟଣାର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଜିତ୍ କୁମାର ଓ ଅମର ପଟ୍ଟନାୟକ ସମେତ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ, ସମୀର ରଞ୍ଜନ ଦାସ, ରାଜକିଶୋର ଦାସ ପ୍ରମୁଖ ଘଟଣାର ନିନ୍ଦା କରିଛନ୍ତି । ସନ୍ଧ୍ୟା ୭ଟାରେ ସୋସିଆଲ ମିଡିଆରେ ଭିକେପାଣ୍ଡିଆନ ଫ୍ୟାନକ୍ଲବ ଦ୍ୱାରା ପାଣ୍ଡିଆନଙ୍କ ଉପରେ ଆକ୍ରମଣକୁ ନେଇ ଗୋଷ୍ଠୀଗତ ଆଲୋଚନା ମଧ୍ୟ ହୋଇଥିଲା । ଯେଉଁଥିରେ ସାମିଲ ହୋଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଯେ, କିଛି ଲୋକ ଏହି କାଳିମାଡ଼ ଘଟଣାକୁ ପ୍ରାୟୋଜିତ ବୋଲି ଚିତ୍ରଣ କରୁଛନ୍ତି । ଏଭଳି ମାନସିକତା ରଖୁଥିବା ଲୋକମାନଙ୍କୁ ଖୋଲାଖୋଲି ଜବାବ ଦେବାର ସମୟ ଆସିଯାଇଛି । ଏହା ଏକ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟ । ଯେଉଁମାନେ ଏହି ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ମତ ଦେଇଥିଲେ ।
ବିଜେଡି ସାଂସଦ ସୁଜିତ୍ କୁମାର ଏହି ଘଟଣାକୁ ନିନ୍ଦା କରିବା ସହ ଓଡ଼ିଶାର ଲୋକେ ଶାନ୍ତି ଓ ସୌହାର୍ଦ୍ଧ୍ୟର ସମର୍ଥକ । ଆମେ ସ୍ପଷ୍ଟ ଭାବେ ଏହାକୁ ନିନ୍ଦା କରୁଛୁ ଯାହା ଆମ ରାଜ୍ୟର ଏହି ମୂଲ୍ୟବୋଧ ପ୍ରତି ଚ୍ୟାଲେଞ୍ଜ ବୋଲି କହିଛନ୍ତି । ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଓଡ଼ିଶାର ମା’ ଓ ଝିଅ ଓ ଭଗବାନ ତାଙ୍କର ସୁରକ୍ଷାରେ ଅଛନ୍ତି ଓ ସେମାନଙ୍କର ଆଶୀର୍ବାଦ ଦେଉଛନ୍ତି ।
ବିଜେଡିର ବରିଷ୍ଠ ନେତା ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏହି କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ତାଙ୍କ ଦଳର ଯୁବ,ଛାତ୍ର,ମହିଳା ସଂଗଠନ ପକ୍ଷରୁ ଭବାନୀପାଟଣାଠାରେ ସନ୍ଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଜ ଫେସବୁକ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଏପଟେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ଓଏଏସ୍ ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରାଯାଉ ବୋଲି ଓଏଏସ୍ ସଂଘ ଦାବି କରୁଛି । କାଳିମାଡ଼ ଘଟଣା ଦୁର୍ଭାଗ୍ୟଜନକ । ଓଡ଼ିଶା ପ୍ରଶାସନିକ ସେବା ସଂଘ ଏହାର ଦୃଢ଼ ନିନ୍ଦା କରୁଛି ଓ ଏଭଳି ଆଚରଣ କେବଳ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରୁନି ବରଂ ସରକାରୀ କର୍ମଚାରୀଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ଓ ସେମାନଙ୍କ ମନୋବଳ ହ୍ରାସ ଘଟାଇବ ବୋଲି କହିଛନ୍ତି ।
ସେହିପରି ଓଡ଼ିଶା ସୂଚନା ସେବା ସଂଘ ଉପସଭାପତି ସୁଚେତା ପ୍ରିୟଦର୍ଶିନୀ ଏହି କାଳିମାଡ଼ ଘଟଣାକୁ ତାଙ୍କ ସଂଘ ନନ୍ଦା କରୁଛି ବୋଲି କହିବା ସହ ଏଭଳି ଅଶୋଭନୀୟ ଆଚରଣ ଲୋକଙ୍କ ବିକାଶ ପାଇଁ କର୍ତ୍ତବ୍ୟରତ ସରକାରୀ ଅଧିକାରୀମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା ଓ ପ୍ରତିବଦ୍ଧତା ପ୍ରତି କୁଠାରଘାତ ସଦୃଶ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସ ଏହି ଘଟଣା ପ୍ରାୟୋଜିତ ବୋଲି କହିବା ସହ କଡ଼ାସୁରକ୍ଷା ବଳୟ ମଧ୍ୟରେ ଜଣେ କିଭଳି କାଳିମାଡ଼ କଲା ତାକୁ ନେଇ ପ୍ରଶ୍ନ କରିଛି । ବିଜେପି ଏହି ଘଟଣା ପାଇଁ ବିଜେଡି ଭିତରେ ବଢ଼ୁଥିବା ଅନ୍ତଃକନ୍ଦଳ ଓ ପୁଞ୍ଜିଭୂତ ଅସନ୍ତୋଷକୁ ଦାୟୀ କରିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ବିଜେଡିର ନୁହେଁ ବରଂ ବିଜେପିର ବୋଲି ବିଜେଡି ପାଲଟା ଅଭିଯୋଗ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pandian_1692457429.jpg)