ଆଗୁଆ ନିର୍ବାଚନକୁ ଯାଇପାରନ୍ତି ନବୀନ, ଫୋକସରେ ଅଧିକ ଲୋକସଭା ସିଟ୍‌

ଦଳର ସମ୍ପୂର୍ଣ୍ଣ ଫୋକସ୍ ବିଧାନସଭା ଆସନ ଉପରେ ରହୁଥିବା ତଥା ବିଧାୟକ ଓ ନେତାମାନେ ବିଧାନସଭା ନିର୍ବାଚନ ଜିତିବା ଉପରେ ଗୁରୁତ୍ୱ ଦେଉଥିବାରୁ ଲୋକସଭା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Monday, 22 May 2023
  • , Updated: 22 May 2023, 06:49 PM IST

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନକୁ ଯାଇପାରନ୍ତି । ଅଧିକ ସଂଖ୍ୟକ ଲୋକସଭା ସିଟ୍ ଜିତିବା ନିମନ୍ତେ ନବୀନ ପୃଥକ୍ ଭାବେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ରଣନୀତି କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ନବୀନ ନିଜର ବରିଷ୍ଠ ନେତାମାନଙ୍କୁ ଡାକି ଦଳ ଆଗାମୀ ନିର୍ବାଚନରେ କିଭଳି ଅଧିକ ସଂଖ୍ୟକ ଲୋକସଭା ସିଟ୍ ଜିତିବ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଗତ ପ୍ରାୟ ୩-୪ମାସ ଧରି ନବୀନ ତାଙ୍କର ଫୋକସରେ ଅଧିକ ଲୋକସଭା ସିଟ୍ ଥିବା ନେଇ ତାଙ୍କୁ ଭେଟୁଥିବା ବରିଷ୍ଠ ଦଳୀୟ ନେତାମାନଙ୍କୁ ବାରମ୍ବାର କହି ଆସୁଥିବାବେଳେ ଆଗାମୀ ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ନିମନ୍ତେ ଆଗୁଆ ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିପାରନ୍ତି ବୋଲି ଜଣାପଡ଼ିଛି । ଚଳିତବର୍ଷ ଡିସେମ୍ବର ମାସରେ ମଧ୍ୟପ୍ରଦେଶ, ରାଜସ୍ତାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହି ରାଜ୍ୟଗୁଡ଼ିକ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ନବୀନ ଆଗୁଆ ବିଧାନସଭା ଭଙ୍ଗ କରିପାରନ୍ତି । ରାଜ୍ୟରେ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ତାହା ତାଙ୍କ ଦଳ ବିଜେଡି ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେଉଛି । ଦଳର ସମ୍ପୂର୍ଣ୍ଣ ଫୋକସ୍ ବିଧାନସଭା ଆସନ ଉପରେ ରହୁଥିବା ତଥା ବିଧାୟକ ଓ ନେତାମାନେ ବିଧାନସଭା ନିର୍ବାଚନ ଜିତିବା ଉପରେ ଗୁରୁତ୍ୱ ଦେଉଥିବାରୁ ଲୋକସଭା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ୁଛି । ତେଣୁ ଦଳ ଗତ କିଛିମାସ ଧରି ଆଗୁଆ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତି କରିବାରେ ଲାଗିଛି । ଅବଶ୍ୟ ମୁଖ୍ୟ ବିରୋଧୀ ଦଳ ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ନବୀନ ସଜବାଜ ହେଉଥିବା ନେଇ ଗଣମାଧ୍ୟମରେ ବୟାନ ଦେଇସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେଡି କୁ ୧୧୨ଟି ସିଟ୍ ମିଳିଥିଲା । କିନ୍ତୁ ସମାନୁପାତରେ ଲୋକସଭା ଆସନ ଜିତିବାରେ ବିଜେଡି ସକ୍ଷମ ହୋଇନଥିଲା । ଦଳକୁ ମାତ୍ର ୧୨ଟି ଲୋକସଭା ଆସନରେ ସୀମିତ ହେବାକୁ ପଡ଼ିଥିଲା । ଯଦିଓ ବିଜେପିକୁ ମାତ୍ର ୨୩ଟି ବିଧାନସଭା ଆସନ ମିଳିଥିଲା, କିନ୍ତୁ ବିଜେପି ୮ଟି ଲୋକସଭା ଆସନ ଜିଣିବାରେ ସଫଳ ହୋଇଥିଲା । କଂଗ୍ରେସ ୯ଟି ବିଧାନସଭା ଓ ୧ଟି ଲୋକସଭା ସିଟ୍ ଜିତିଥିଲା ।

ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ନବୀନ ଆଗୁଆ ବିଧାନସଭା ନିର୍ବାଚନ କରାଇ ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ସିଟଗୁଡ଼ିକ ଉପରେ ନିଜର ଏକଚାଟିଆ ପ୍ରଭାବ ବିସ୍ତାର କରିବାକୁ ଯୋଜନା କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଅବସରେ ବିଜେଡି ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବ ଓ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବନି ବୋଲି କହି ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ବିଜେଡିର ଏଭଳି ଆଭିମୁଖ୍ୟ ପରୋକ୍ଷରେ ବିଜେପି ପାଇଁ ସହାୟକ ହେଉଥିବାରୁ ନବୀନଙ୍କ ଆଗୁଆ ନିର୍ବାଚନ ଯୋଜନାରେ କେନ୍ଦ୍ର ସରକାର ବିଶେଷ ସମସ୍ୟା ସୃଷ୍ଟି କରିବେ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Related story