ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜଧାନୀ ଭୁବନେଶ୍ୱରରୁ ଷ୍ଟିଲ୍ ସିଟି ରାଉରକେଲାକୁ ଉଡିଛି ବିମାନ। ଏହା ନିଶ୍ଚିତ ଦୁଇ ମହାନଗର ପାଇଁ ଖୁସିର ଖବର। ହେଲେ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ପୃଷ୍ଟା ପୃଷ୍ଟା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା। ସେହିପରି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହାର ଜବାବ ଦେଇଛି ଶାସକ ବିଜେଡି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜନୈତିକ ଦ୍ୱନ୍ଦ୍ୱ ରହିବ। କିନ୍ତ ରାଜ୍ୟ ସ୍ୱାର୍ଥ କଥା ଉଠିଲେ, ଏକାଠି ହେବା। ବାଲିରେ ଥିବା ବେଳେ ପ୍ରଧାନମନ୍ତ୍ରୀ ବାଲିଯାତ୍ରା କଥା ଉଠାଇଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଥିଲେ। କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେନି। ଆଜି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା। ଏହା ଓଡ଼ିଆ ପରମ୍ପରା ନୁହେଁ, ଛୋଟ ମନରେ ବଡ଼ କାମ ହୁଏନି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ ବୋଲି କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କୌଣସି ସିଧା ସିଧା ଉତ୍ତର ରଖିନାହାନ୍ତି। ସେ କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ କରିବା। ବିରୋଧୀ ସବୁବେଳେ ବିଭିନ୍ନ ପ୍ରକାର ଅଭିଯୋଗ କରନ୍ତି। ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଉନ୍ନତି ପରେ ଉନ୍ନତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି। ଆଜି ଜନ ସାଧାରଣଙ୍କ ହୃଦୟରେ ସେ ଅଛନ୍ତି। ବହୁ ଦିନର ଦାବି ଥିଲା ପଶ୍ଚିମ ଓଡ଼ିଶାର ରାଉରକେଲାକୁ ବିମାନ ଉଡାଣ ପାଇଁ। ଯାହା ଆଜି ପୂରଣ ହୋଇଛି। ଜାତୀୟ ସ୍ତରର ହକିକୁ ଓଡ଼ିଶା ଆଣି ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ସେହି ହକି ଚାଲିଥିବା ବେଳେ ଖେଳାଳିମାନଙ୍କ ପାଇଁ ଚାର୍ଟଡ଼ ପ୍ଲେନ୍ ଚାଲିବ। ୧୨ ତାରିଖରୁ କମରସିଆଲ ପ୍ଲେନ ରେଗୁଲାର ଚାଲିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଭାରତ ସରକାରଙ୍କ ସହଯୋଗ ଲାଗି ଧନ୍ୟବାଦ ଦେଉଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି।