Advertisment

ଅଶୋକଙ୍କ ଘୋଷଣାରେ ପାଟ୍ଟଶାଣୀ ନିରାଶ! କହିଲେ- ଦଳ ଆଉ ସେ ଭୁଲ୍ କରିବନି

ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ ପଦଯାତ୍ରାବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳର ରଣନୀତି ସମ୍ପର୍କରେ ଘୋଷଣା କରିଥିଲେ ।

author-image
Jitendra Garnayak
ଅଦ୍ୟତନ ହୋଇଛି
Prasanna Patsani

Prasanna Patsani

ଏକାମ୍ର ନିର୍ବାଚନମଣ୍ଡଳୀର ବିଜେବି ନଗର ଅଂଚଳର ୫୬ନମ୍ବର ୱାର୍ଡରେ ବିଜେଡି ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଥିବା ବେଳେ ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

Advertisment

ଏହି ଆସନରୁ ୫ ଥର ବିଜୟୀ ହୋଇ ଗତଥର ଟିକେଟ୍ ପାଇ ନଥିବା ଶ୍ରୀ ପାଟ୍ଟଶାଣୀ କହିଛନ୍ତି, କେତେ ଏମିତି ଆସିବେ ଆଉ ଯିବେ। ଆମେ ଲୋକଙ୍କ ସହ ଅଛୁ। ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି। ମୁଁ କେବେ ହାରିନି। ମୋତେ ଟିକେଟ ଦେଇଥିଲେ ମୁଁ ବହୁ ଭୋଟ୍‌ରେ ଜିତିଥା’ନ୍ତି। ଯଦି ତାଙ୍କୁ ଟିକେଟ ଦେଲେ, ତେବେ ଭଲକଥା। କିନ୍ତୁ ମୋର ବିଶ୍ୱାସ ଅଛି, ଦଳ ଏ ଭୁଲ୍‌ କେବେ କରିବନି। ଦଳ ଥରେ ଭୁଲ୍‌ କରିଥିଲା, ଯାହା ଅବସ୍ଥା ହେଲା ସମସ୍ତେ ଜାଣିଛନ୍ତି।

ପ୍ରସନ୍ନ ପାଟ୍ଟଶାଣୀଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି ଯେ ସେ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜେଡି ଟିକେଟ୍‌ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ୨୦୧୯ରେ ଟିକେଟ୍ ମିଳି ନଥିବାରୁ ତାଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ବି ସେ ପ୍ରକାଶ କରି ଦେଇଛନ୍ତି।

Advertisment

ପ୍ରସନ୍ନ ପାଟ୍ଟଶାଣୀ ଲଗାତାର ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ ରେ ଭୁବନେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କ ବଦଳରେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ୍ ଦେଇଥିଲେ। ସେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ହାରି ଯାଇଥିଲେ।

ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜଟଣୀ, ଜୟଦେବ ଓ ବେଗୁନିଆରେ ଦଳୀୟ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ଦଳ ପକ୍ଷରୁ ଶ୍ରୀମୟୀ ମିଶ୍ରଙ୍କୁ ସଂସଦୀୟ ଆସନର ପ୍ରାର୍ଥୀ ବୋଲି ଉପସ୍ଥାପନ କରାଯାଇ ସାରିଛି । ଦଳ ଶ୍ରୀମୟୀଙ୍କ ପାଇଁ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଆୟୋଜନ କରି ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୩ଦିନ ତଳେ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀ ପଦଯାତ୍ରାବେଳେ ଶ୍ରୀମୟୀ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ସ୍ଲୋଗାନ ପଡ଼ିଥିଲା । ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ ପଦଯାତ୍ରାବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳର ରଣନୀତି ସମ୍ପର୍କରେ ଘୋଷଣା କରିଥିଲେ ।