ପଞ୍ଚାୟତ ଭୋଟ୍‌: କଂଗ୍ରେସ ଆଣିଲା ଅଭିଯୋଗ ଫର୍ଦ୍ଦ: ଫେରିଲା ବ୍ଲାକରୋଜ୍‌ ଓ ଚିଟ୍‌ଫଣ୍ଡ ସ୍କାମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ନିକଟତର ହେବାକୁ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ କରିଛି । ବିଜେଡି ବିରୁଦ୍ଧରେ ୨୨ବର୍ଷର ଶାସନର କଳା କାରନାମାର ୨୨ଟି ଅଭିଯୋଗ ଆଣିଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ୫ଟି ଅଭିଯୋଗ ଆଣି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଛି । ଏହାସହିତ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରରେ ଥିବା ବ୍ଲାକରୋଜ ଜାହାଜ ବୁଡ଼ିର ସିବିଆଇ ତଦନ୍ତ ଓ ଚିଟଫଣ୍ଡ ତଦନ୍ତକୁ ମଧ୍ୟ […]

Image of Odisha Congress bhawan

Ordigital Desk
  • Published: Thursday, 03 February 2022
  • , Updated: 03 February 2022, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ନିକଟତର ହେବାକୁ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ କରିଛି । ବିଜେଡି ବିରୁଦ୍ଧରେ ୨୨ବର୍ଷର ଶାସନର କଳା କାରନାମାର ୨୨ଟି ଅଭିଯୋଗ ଆଣିଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ୫ଟି ଅଭିଯୋଗ ଆଣି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଛି । ଏହାସହିତ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରରେ ଥିବା ବ୍ଲାକରୋଜ ଜାହାଜ ବୁଡ଼ିର ସିବିଆଇ ତଦନ୍ତ ଓ ଚିଟଫଣ୍ଡ ତଦନ୍ତକୁ ମଧ୍ୟ କଂଗ୍ରେସ ପୁଣିଥରେ କଂଗ୍ରେସ ଉଠାଇ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କ ଆସ୍ଥାଭାଜନ ପାଇଁ ପ୍ରୟାସ କରିଛି।

ଆଜି କଂଗ୍ରେସ ଭବନରେ ଏହି ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ ହୋଇଛି । ଏହି ଅବସରରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଚିଟଫଣ୍ଡର ଶିକାର ହୋଇଥିବା ରାଜ୍ୟର ୩୦ଲକ୍ଷ ପରିବାର ନିଜର ୬୦ ହଜାର କୋଟି ଟଙ୍କା ହରାଇଥିଲେ ମଧ୍ୟ ଏହାର ସିବିଆଇ ତଦନ୍ତ ସନ୍ଦେହଜନକ ଭାବେ ଶିଥିଳ ହେବା ଓ ପାରାଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ସହ ନିଳାଚଳ ଇସ୍ମାତ ନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ଆଜି ଉଭୟ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛି । ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ମେଂଟ ଅଛି । ବିଜେଡି ରାଜ୍ୟରେ ଆନ୍ଦୋଳନ କରେ କିନ୍ତୁ ଦିଲ୍ଲୀରେ ଚୁପ୍‌।

ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ ରାଜ୍ୟରେ କିନ୍ତୁ ଦିଲ୍ଲୀରେ ଏମାନଙ୍କ ମୁହଁ ମଧ୍ୟ ବନ୍ଦ । ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢ଼ୁଥିଲେ ମଧ୍ୟ ଏମାନଙ୍କ ଭିତରେ ଭିତରି ସଂପର୍କ ରହିଛି । ପାରାଦ୍ୱୀପ ବନ୍ଦର ବ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍‌ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥିଳତା ଏହାର ବଳିଷ୍ଠ ପ୍ରମାଣ । କଂଗ୍ରେସ ନବୀନ ସରକାରର ୨୨ ବର୍ଷରେ ୨୨ କଳାକାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଖକୁ ଯିବ । ସେହିପରି କେନ୍ଦ୍ରରେ ବିଜେପି ସରକାରର ୫ଟି କଳା କାରନାମାର ଅଭିଯୋଗ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଚିଟ୍‌ଫଣ୍ଡ ସ୍କାମରେ ଶାସକ ବିଜେଡ଼ି ଦଳର ୨୭ ବିଧାୟକ ଓ ୪ଜଣ ମନ୍ତ୍ରୀ ସଂପୃକ୍ତ । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ? ଏଭଳି ବହୁ ସ୍ପର୍ଶକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ଆଣିବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦଳର ନେତା ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ଚିନ୍ମୟ ସୁନ୍ଦର ଦାସ, ଜ୍ଞାନଦେବ ବେଉରା, ଶାନ୍ତନୁ ସାହୁ ଓ ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Related story