ଜେଏସଡବ୍ଲ୍ୟୁ ପ୍ରୀତି: ଆଇନକାନୁନ୍ ଫୁ’ କରିଦେଇଛନ୍ତି ରାଜ୍ୟ ସରକାର, ଅନିଶ୍ଚିତତାରେ ପରିବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁରର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ କମ୍ପାନୀକୁ ବିନା ଏମଓୟୁରେ ମେଗା ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରାଇବା ନିମନ୍ତେ ସୁଯୋଗ ଦେବାକୁ ଓଡ଼ିଶା ସରକାର ସବୁ ଆଇନକାନୁନକୁ ଫୁ’ କରିଦେଇଛନ୍ତି। ଜାନୁୟାରୀ ୨୮ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ୍ସପର୍ଟ ଆପ୍ରାଇଜାଲ୍ କମିଟିର ୫୨ତମ ବୈଠକର ଦସ୍ତାବିଜରୁ ହିଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଆଖି ଖୋସି ହୋଇଯିବା ଭଳି ଅହେତୁକ ଅନୁକମ୍ପା ରାଜ୍ୟ ସରକାର ଦେଖାଇବାକୁ ପଛାଇ ନଥିବା ଜଣାପଡ଼ିଛି । ଜନଶୁଣାଣିଠୁ ଆରମ୍ଭ […]

jsw-and-dhinkia

Ordigital Desk
  • Published: Friday, 04 February 2022
  • , Updated: 05 February 2022, 11:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁରର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ କମ୍ପାନୀକୁ ବିନା ଏମଓୟୁରେ ମେଗା ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରାଇବା ନିମନ୍ତେ ସୁଯୋଗ ଦେବାକୁ ଓଡ଼ିଶା ସରକାର ସବୁ ଆଇନକାନୁନକୁ ଫୁ’ କରିଦେଇଛନ୍ତି। ଜାନୁୟାରୀ ୨୮ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ୍ସପର୍ଟ ଆପ୍ରାଇଜାଲ୍ କମିଟିର ୫୨ତମ ବୈଠକର ଦସ୍ତାବିଜରୁ ହିଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଆଖି ଖୋସି ହୋଇଯିବା ଭଳି ଅହେତୁକ ଅନୁକମ୍ପା ରାଜ୍ୟ ସରକାର ଦେଖାଇବାକୁ ପଛାଇ ନଥିବା ଜଣାପଡ଼ିଛି ।

ଜନଶୁଣାଣିଠୁ ଆରମ୍ଭ କରି ସାମାଜିକ ପ୍ରଭାବ ଆକଳନ, ପ୍ରକଳ୍ପ ପାଇଁ ଜଳ ଆବଶ୍ୟକତା ପୂରଣ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ପ୍ରଦୂଷଣ ମାତ୍ରା, ପରିବେଶ ନଷ୍ଟ ଓ ମାନବାଧିକାର ଉଲ୍ଲଘଂନ ଆଦି ସବୁ କ୍ଷେତ୍ରରେ ଜେଏସଡବ୍ଲ୍ୟୁ କମ୍ପାନୀ ରାଜ୍ୟ ସରକାରଙ୍କ ସହ ମିଶି ନିଜକୁ ସୁହାଇବା ଭଳି ରିପୋର୍ଟ ପ୍ରସ୍ତୁତ କରିଥିବା ତଥ୍ୟ ପଦାକୁ ଆସିଛି। ଆଉ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି(ଇଏସି) ଆଗରେ ଜେଏସଡବ୍ଲ୍ୟୁ ଯେଉଁ ଢଙ୍ଗରେ ସ୍ପଷ୍ଟୀକରଣ ରଖିଛି ତାହା ପରୋକ୍ଷରେ ଓଡ଼ିଶା ସରକାରଙ୍କ ଶାସନ କଳ ଉପରେ କମ୍ପାନୀର ମାତ୍ରାଧିକ ପ୍ରଭାବକୁ ପଦାରେ ପକାଇ ଦେଇଛି । ଅବଶ୍ୟ ଜେଏସଡବ୍ଲ୍ୟୁ କମ୍ପାନୀକୁ ଜଗତସିଂହପୁରରେ ମେଗା ଇସ୍ପାତ ପ୍ରକଳ୍ପ ଓ ଜେଟି ନିର୍ମାଣ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ଉପରେ ଏକ୍ସପର୍ଟ ଆପ୍ରାଇଜାଲ କମିଟି ୧୮ଟି ଦିଗ ଉପରେ ତର୍ଜମା କରିବା ସହ ୧୦ଟି ପ୍ରସଙ୍ଗରେ ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ସୁପାରିଶ କରିଛନ୍ତି । ଏହାପରେ ହିଁ କମ୍ପାନୀର ପରିବେଶ ଅନୁମତି ଆବେଦନ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ଇଏସି ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଜାନୁୟାରୀ ୨୮ତାରିଖରେ ଡଃ ଚଛିନାଥ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୮ଜଣିଆ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟିର ୫୨ତମ ବୈଠକରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ଦ୍ୱାରା ଜଗତସିଂହପୁରର ପ୍ରସ୍ତାବିତ ପୋସ୍କୋ ଅଂଚଳରେ ବାର୍ଷିକ ୧୩.୨ ନିୟୁତ ଟନ୍ କ୍ରୁଡ୍ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଂଟ୍ , ବାର୍ଷିକ ୧୦ ନିୟୁତ ଟନର ସିମେଣ୍ଟ କାରଖାନା ଓ ୯୦୦ ମେଗାୱାଟ କ୍ୟାପଟିଭ୍ ପାୱାର ପ୍ଳାଂଟ୍ ନିମନ୍ତେ ପରିବେଶ ଅନୁମତି ଆବେଦନ ଉପରେ ବିଚାରବିମର୍ଶ ହୋଇଥିଲା । ତେବେ କମିଟି ଦ୍ୱାରା କମ୍ପାନୀର ପରିବେଶ ଅନୁମତି ଆବେଦନ ଉପରେ ୧୮ଟି ଦିଗ ଉପରେ ତର୍ଜମା କରିବା ସହ ୧୦ଟି ପ୍ରସଙ୍ଗ ଉପରେ ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ସୁପାରିଶ କରାଯାଇଛି । ଏସବୁ ତଥ୍ୟ ମିଳିବା ପରେ ହିଁ କମ୍ପାନୀର ପରିବେଶ ଅନୁମତି ଆବେଦନ ଉପରେ କମିଟି ବିଚାର କରିବେ ବୋଲି କହିଛନ୍ତି ।

ତେବେ କମିଟିଙ୍କ ପାଖରେ ଜେଏସଡବ୍ଲ୍ୟୁ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟ ଅନୁସାରେ ୨୦୧୨ ମସିହା ପରଠୁ ଓଡ଼ିଶାରେ ଶିଳ୍ପ ସ୍ଥାପନ ନିମନ୍ତେ ସରକାରଙ୍କ ସହ ଏମଓୟୁ କରିବା ଜରୁରୀ ନୁହେଁ । କମ୍ପାନୀ ଯୁକ୍ତି ବାଢ଼ିଛି ଯେ, ଜଙ୍ଗଲ ଅଧିକାର ଆଇନ-୨୦୦୬ର ପ୍ରାବଧାନ ଅନୁସାରେ ପ୍ରକଳ୍ପ ସ୍ଥାପନ ପାଇଁ ଜନଶୁଣାଣିରେ ଲୋକଙ୍କ ସହମତିର ଆବଶ୍ୟକତା ଜରୁରୀ ନୁହେଁ । କେବଳ ନିର୍ଦ୍ଧାରିତ ଫର୍ମାଟରେ ଜନଶୁଣାଣି ହେବ, ଆଉ ପ୍ରକଳ୍ପ କରୁଥିବା କମ୍ପାନୀକୁ ଏସବୁ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳିବ । ତେଣୁ ପ୍ରକଳ୍ପ ଅଂଚଳରେ ଜନଶୁଣାଣିରେ କୌଣସି ଚଂଚକତା ହୋଇନାହିଁ । ଏପରିକି କମ୍ପାନୀ ନଭେମ୍ବର ମାସରେ ହୋଇଥିବା ଜନଶୁଣାଣିକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଡିସେମ୍ବରରେ ହୋଇଥିବା କହିଛି ।

ସେହିପରି ମହାନଦୀରେ ଜଳସ୍ତର ହ୍ରାସ ପାଉଛି ବୋଲି ଚିତ୍କାର କରି ଛତିଶଗଡ଼ ସହ ମାମଲା ଲଢ଼ୁଥିବା କ୍ଷମତାସୀନ ବିଜେଡି ସରକାର ପ୍ରଥମେ ଯୋବ୍ରା ବ୍ୟାରେଜ ନିକଟରୁ ୧୧୭.୩ କ୍ୟୁସେକ ଜଳ ଦେବାକୁ ସମ୍ମତି ଜଣାଇଥିଲେ,କିନ୍ତୁ କମ୍ପାନୀ ପୁଣିଥରେ ସଂଶୋଧିତ ଅନୁରୋଧ ପରେ ଜେଏସଡବ୍ଲ୍ୟୁକୁ ଜଗତପୁର ନିକଟରୁ ୯୮.୧ କ୍ୟୁସେକ ପାଣି ଦେବାକୁ ହାତ କାଟି ଲେଖି ଦେଇଛନ୍ତି । କେ. ରୟ ପଲ କମିଟି ପୂର୍ବରୁ ମହାନଦୀରେ ଜଳାଭାବ ଥିବା ଦର୍ଶାଇ ପୋସ୍କୋକୁ ସେଠାରୁ ଜଳ ନଦେବା ପାଇଁ ସୁପାରିସ କରିଥିଲେ । କିନ୍ତୁ ଜେଏସଡବ୍ଲ୍ୟୁ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ଏହାକୁ ଅଣଦେଖା କରି ଜେଏସଡବ୍ଲ୍ୟୁର ଜଳ ଆବଶ୍ୟକତାର ସ୍ଥାୟୀ ସ୍ରୋତ ଭାବେ ମହାନଦୀରୁ ପୂରଣ କରିବାକୁ ହାତକାଟି ଲେଖିଛନ୍ତି ।

ସେହିପରି ପ୍ରକଳ୍ପ ଅଂଚଳରେ ସାମାଜିକ ପ୍ରଭାବ ଆକଳନ ଠିକ୍ ଭାବେ ହୋଇନଥିବାବେଳେ ଏହାର ଆବଶ୍ୟକତା ନଥିବା ସପକ୍ଷରେ ଜେଏସଡବ୍ଲ୍ୟୁ କମ୍ପାନୀ ଯୁକ୍ତି ବାଢ଼ିଛି । ପ୍ରକଳ୍ପ ଅଂଚଳରେ ମାତ୍ର ଅଢ଼େଇ ଏକର ଘରୋଇ ଜମି ଥିବାରୁ ସାମାଜିକ ପ୍ରଭାବ ଆକଳନ ରିପୋର୍ଟକୁ ଜେଏସଡବ୍ଲ୍ୟୁ ଗୁରୁତ୍ୱ ଦେଇନି ।

ସେହିପରି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଓ ପରିବେଶ ଅନୁମତିକୁ ନେଇ ଅନିଶ୍ଚିତତା ଥିବାବେଳେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଂଚଳରେ ଦୁଇଟି ବିରାଟ କଣ୍ଟେନର ରଖି ସେଠାରେ ଅସ୍ଥାୟୀ ଅଫିସ କରିବା ସହ ବାଲି ଠିପ ନଷ୍ଟ କରି ରାସ୍ତା ନିର୍ମାଣ କରିଥିବାର ଅଭିଯୋଗକୁ ବି କମ୍ପାନୀ ସିଧାସଳଖ ଖଣ୍ଡନ କରିଦେଇଛି । ପ୍ରକଳ୍ପ ହେଉଥିବା ଢ଼ିଙ୍କିଆ ଚାରିଦେଶରେ ବ୍ୟାପକ ପୁଲିସ ମୁତୟନ, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମାନବାଧିକାର ଉଲ୍ଲଘଂନ ନେଇ ମାମଲା ଆଦିକୁ ପ୍ରଶାସନର କାର୍ଯ୍ୟ କହି କମ୍ପାନୀ ଏଡ଼ାଇ ଯାଇଛି । ଏହାସହିତ ପାରାଦୀପ ଦେଶର ସର୍ବାଧିକ ପ୍ରଦୂଷିତ ଅଂଚଳ ହୋଇଥିଲେ ବି ପ୍ରକଳ୍ପ ଅଂଚଳରେ ପ୍ରଦୂଷଣର ମାତ୍ରା ଅଧିକ ରହିବ ତଥା ସ୍ୱାସ୍ଥ୍ୟଗତ ଗୁରୁତର ସମସ୍ୟା ଦେଖାଦେବାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ରିପୋର୍ଟ ଓ ଆଶଙ୍କାକୁ କମ୍ପାନୀ ଫାଙ୍କି ଦେଇଛି।

ପ୍ରକଳ୍ପ ଅଞ୍ଚଳରେ ଥିବା ୧.୩୦ ଲକ୍ଷ ଗଛ କାଟିବାର ଆବଶ୍ୟକତା ଥିବାରୁ, ତା’ର କ୍ଷତିପୂରଣ ବାବଦରେ କମ୍ପାନୀକୁ ୯.୩୦ ଲକ୍ଷ ଗଛ ଥିବା ଜଙ୍ଗଲ ସୃଷ୍ଟି କରିବାର ବାଧ୍ୟବାଧକତା ରହିଛି। ଏହା ସହିତ ମୋଟ ପ୍ରକଳ୍ପ ଅଞ୍ଚଳର ଏକତୃତୀୟାଂଶ ଅର୍ଥାତ ୩୯୪.୨୦ ହେକ୍ଟର ଜମିରେ ବନୀକରଣ କରିବାକୁ ପଡ଼ିବ। ଏସବୁ ଦିଗପ୍ରତି କମ୍ପାନୀ ଆଖି ବୁଜି ଦେଇଛି।

ଅନ୍ୟପକ୍ଷରେ କମିଟି ତାଙ୍କର ସୁପାରିସରେ ପ୍ରସ୍ତାବିତ ପ୍ରକଳ୍ପ ଅଂଚଳରେ ଜମି ଅଧିଗ୍ରହଣ ପାଇଁ ଜଙ୍ଗଲ ମନ୍ତ୍ରଣାଳୟର ଆଂଚଳିକ କାର୍ଯ୍ୟାଳୟ ସହ ହୋଇଥିବା ୨୦୧୪ ଅକ୍ଟୋବର ୭ରେ ସ୍ମାରକପତ୍ର ଓ ତତସଂଲଗ୍ନ ଦସ୍ତାବିଜ ଦାଖଲ କରିବାକୁ କହିିଛନ୍ତି। ଏହାସହିତ ଜଟାଧାରୀ ମୁହାଣରେ ଜେଟି ଓ ପ୍ରସ୍ତାବିତ ଇସ୍ପାତ କାରଖାନା ଅଂଚଳ ମଧ୍ୟରେ ଥିବା ଜଙ୍ଗଲ ଜମିର ସୁରକ୍ଷା, ପ୍ରକଳ୍ପ ଅଂଚଳର ଉତ୍ତ ପୂର୍ବ ଦିଗରେ ଉଚ୍ଚ ଜୁଆର ଓ ବାଲିପାହାଡ଼ର ସୁରକ୍ଷା ପାଇଁ ସଂଶୋଧିତ ପ୍ଲାଂଟ୍ ଲେ-ଆଉଟ୍ , ସମୁଦ୍ରରେ ଅଧିକ ଫ୍ଲୋରାଇନ୍ ଓ ଫିନେଲ କଣିକା ମିଳିବାର କାରଣ, ଆଇରନ୍ ସ୍ଲରିରୁ ନିର୍ଗତ ହେବାକୁ ଥିବା ବର୍ଜ୍ୟଜଳର ପୁନଃ ଉପଯୋଗ ପାଇଁ ନେବାକୁ ଥିବା ବ୍ୟବସ୍ଥା, ପ୍ରକଳ୍ପ ସ୍ଥାନକୁ ରାସ୍ତା ନିର୍ମାଣ, ପ୍ରକଳ୍ପ ଅଂଚଳରେ ୧.୩୦ଲକ୍ଷ ଗଛ କାଟିବା ଓ ତା’ର କ୍ଷତିପୂର୍ତ୍ତି ପାଇଁ ବନୀକରଣ , ସିଆରଜେଡ୍ ପ୍ରକଳ୍ପ ଅଂଚଳରେ ନିର୍ମାଣ ନକରିବା ଆଦି ସମ୍ପର୍କରେ ବିସ୍ତୃତ ଦସ୍ତାବିଜ ଦାଖଲ କରିବାକୁ କମିଟି ସୁପାରିଶ କରିଛନ୍ତି ।

ସୂଚନାଯୋଗ୍ୟ, ଏରସମାର ୩ଟି ପଂଚାୟତ ଗଡ଼କୁଜଙ୍ଗ, ଢିଙ୍କିଆ ଓ ନୂଆଗାଁର ୧୧୨୫.୨୮୪ ହେକ୍ଟର ଜମିରେ କମ୍ପାନୀ ନିଜର ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପ କରିବ । ଏଥିରେ ୧୦୬୯.୫୮୧ ହେକ୍ଟର ଜଙ୍ଗଲ ଜମି ହୋଇଥିବାବେଳେ ୫୫.୭୦ ହେକ୍ଟର ଅଣଜଙ୍ଗଲ ଜମି ରହିଛି, ଯାହାକୁ ଇଡକୋ ଦ୍ୱାରା କମ୍ପାନୀକୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରସ୍ତାବିତ ପ୍ରକଳ୍ପ ଅଂଚଳରେ ପାନ, ମୀନ ଓ ପନିପରିବା ଆଦି ଚାଷ କରି ସ୍ଥାନୀୟ ୫୦ହଜାର ଲୋକ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

Related story