Advertisment

କିଏ କହୁଛନ୍ତି ସତ? ନବୀନ-ନୀତୀଶ ନା ଜେଡିୟୁ ଟ୍ୱିଟ୍‌

ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ନବୀନ ଓ ନୀତୀଶ କହୁଥିବା ବେଳେ ଜନତା ଜେଡିୟୁ ପାର୍ଟି ଅଫିସ୍‌ ଟ୍ୱିଟ୍‌କୁ ନେଇ ରାଜନୀତି ହଲ୍‌ଚଲ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Naveen And Nitish

Naveen And Nitish

ସତ କିଏ କହୁଛନ୍ତି? ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ଟ୍ୱିଟ୍‌ ନା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ସାକ୍ଷାତ ଆଲୋଚନା ଓ ମଧ୍ୟାହ୍ନ ଭୋଜନ ପରେ ଉଭୟ ନବୀନ ଓ ନୀତୀଶ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଆଉ ଜଣେ ପରେ ଜଣେ କହିଥିଲେ ଯେ ଆଜି ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। କିନ୍ତୁ ଦୁଇ ନେତାଙ୍କ ସିକ୍ରେଟ୍‌ ମିଶନ୍‌କୁ ଗଡ଼ବଡ଼ କରି ଦେଇଥିଲା ଜେଡିୟୁ ପାର୍ଟି ଅଫିସ୍‌ ଟ୍ୱିଟ୍‌ର ହ୍ୟାଣ୍ଡେଲ। ଆଉ ଏହାକୁ ନେଇ ଓଡ଼ିଶାରୁ ବିହାର ଯାଏ ସରଗରମ ହୋଇଛି ରାଜନୀତି।

Advertisment

ପ୍ରଥମେ ନବୀନ କହିଥିଲେ, ଆଜି ଭୁବନେଶ୍ୱର ଆସିଛନ୍ତି ନୀତୀଶ କୁମାର। ଆମେ ଦୁଇ ଜଣ ବହୁ ପୁରୁଣା ବନ୍ଧୁ। ବାଜେପେୟୀଙ୍କ କ୍ୟାବିନେଟ୍‌ରେ ଆମେ ସାଙ୍ଗ ହୋଇ କାମ କରିଥିଲୁ। ପୁରୀରେ ବିହାର ଭବନ ନିର୍ମାଣ କରାଯିବ। ସେଥିପାଇଁ ମାଗଣାରେ ବିହାର ସରକାରଙ୍କୁ ଦେଢ଼ ଏକର ଜମି ପ୍ରଦାନ କରାଯାଇଛି।

ରାଜନୈତିକ ଆଲୋଚନା ନେଇ ପ୍ରଶ୍ନ ହେବାରୁ ନବୀନ କହିଥିଲେ, ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି।

Advertisment

ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ତାଙ୍କ (ନବୀନଙ୍କ) ସହିତ ସମ୍ପର୍କ ଆଜିର ନୁହେଁ। ତାଙ୍କ ବାପାଙ୍କ ପରେ ତାଙ୍କ ସହିର ମୋର ଭଲ ସମ୍ପର୍କ ରହିଛି। ମୁଁ ବହୁବାର ଏଠାକୁ ଆସିଛି। ଏକଥା ଆପଣମାନଙ୍କୁ ଜଣାଥିବ। କିନ୍ତୁ କରୋନା ଯୋଗୁ ଆସିପାରିନଥିଲି। ଭେଟିବା ପାଇଁ ଇଚ୍ଛାଥିଲା। ତେଣୁ ଆସିଲି ବୋଲି ନୀତୀଶ କହିଥିଲେ।

ରାଜନୈତିକ ଆଲୋନା ନେଇ ପ୍ରଶ୍ନ ହେବାରୁ ନୀତୀଶ କହିଥିଲେ, ନବୀନଙ୍କ ସହିତ ଆମର ପୁରୁଣା ସମ୍ପର୍କ ରହିଛି। ରାଜନୀତି କଥା ଚିନ୍ତା କରନ୍ତୁ ନାହିଁ। ଆମର ସମ୍ପର୍କ ଏତେ ଭଲ ଯେ ରାଜନୀତି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କିନ୍ତୁ ଏ ସମ୍ପର୍କକୁ ବାକି ଲୋକଙ୍କ ସହିତ ତୁଳନା କରନ୍ତୁ ନାହିଁ ବୋଲି ନୀତୀଶ କୁମାର କହିଥିଲେ।

ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ରାଜନୈତିକ ଆଲୋଚନା ହୋଇନଥିବା ନବୀନ ଓ ନୀତୀଶ କହିଥିବା ବେଳେ ଜେଡିୟୁ ପାର୍ଟି ଅଫିସ୍‌ କରିଥିବା ଟ୍ୱିଟ୍‌କୁ ନେଇ ରାଜନୀତି ହଲ୍‌ଚଲ ହୋଇଛି। ଜେଡିୟୁର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟ୍‌ରେ ଲେଖାଯାଇଛି, ବିରୋଧୀଙ୍କୁ ଏକଜୁଟ୍‌ କରିବାରେ ପ୍ରମୁଖ ଭୂମିକା ନେଉଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିନା କୌଣସି ବ୍ୟକ୍ତିଗତ ମହତ୍ୱକାଂକ୍ଷାରେ ବିପକ୍ଷଙ୍କୁ ଏକଜୁଟ୍‌ କରୁଛନ୍ତି ନୀତୀଶ। ଏହି ତିନୋଟି ଯାକ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ କିଏ ସତ କହୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ। 

କୁହାଯାଉଛି, ଉଭୟଙ୍କ ମଧ୍ୟରେ ରାଜନୀତି ପ୍ରସଙ୍ଗ ନିଶ୍ଚୟ ଉଠିଥିବ। ବିଜେପି ବିରୋଧରେ ମହାମେଣ୍ଟ କଥା ବି ଉଠିଥିବ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରୁଥିବା ଦାବି କରୁଥିବାରୁ ନୀତୀଶଙ୍କ ମେଣ୍ଟ ପ୍ରସ୍ତାବରେ ରାଜି ହୋଇ ନଥିବେ।

ସୂଚନାରୁ ପ୍ରକାଶ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀଙ୍କୁ ଏକଜୁଟ୍‌ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଜଣେ ପରେ ଜଣେ ନେତାକୁ ଭେଟୁଛନ୍ତି। ଆଉ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହି ମର୍ମରେ ଆଜି ନୀତୀଶ ଓଡ଼ିଶା ଆସିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ନୀତୀଶ କୁମାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

BjD Naveen Patnaik Nitish Kumar JDU