Advertisment

ପୁରୀରେ ହେବ ବିହାର ଭବନ, ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ଦେଢ଼ ଏକର ଜମି

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Naveen and Nitish

Naveen and Nitish

ପୁରୀରେ ବିହାର ସରକାର ନିର୍ମାଣ କରିବେ ବିହାର ଭବନ। ଏଥିପାଇଁ ଓଡ଼ିଶା ସରକାର ମାଗଣାରେ ଯୋଗାଇ ଦେବେ ଦେଢ଼ ଏକର ଜମି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ବେଶ୍ କିଛି ସମୟ ଧରି ଆଲୋଚନା ହୋଇଥିଲା। ଦୁଇ ମୁଖ୍ୟମନ୍ତ୍ରୀ ସାଙ୍ଗ ହୋଇ ଭୋଜନ ମଧ୍ୟ କରିଥିଲେ। ଏହା ପରେ ନୀତୀଶ ‘ନବୀନ ନିବାସ’ରୁ ବିଦାୟ ନେବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ଭବନ ପାଇଁ ଜମି ଯୋଗାଇ ଦିଆଯିବା କଥା ଘୋଷଣା କରିଥିଲେ।

ନବୀନ କହିଥିଲେ, ନୀତୀଶ ଜୀ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି। ଆମେ ଦୁହେଁ ପୁରୁଣାବନ୍ଧୁ। ଏକାଠି କାମ କରିଛୁ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ଆମେ ଦୁହେଁ ମନ୍ତ୍ରୀ ଥିଲୁ। ପୁରୀରେ ବିହାର ଭବନ ନିର୍ମାଣ ନିମନ୍ତେ ଜମି ଦେବା ବିଷୟରେ ଆମେ ଆଲୋଚନା କଲୁ। ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିହାରରୁ ଆସୁଥିବା ଲୋକଙ୍କ ରହଣି ପାଇଁ ସେଠାରେ ବିହାର ଭବନ ନିର୍ମାଣ ପାଇଁ ତାଙ୍କ ସରକାର ଇଚ୍ଛା ପ୍ରକାଶ କରିଥିଲେ। ଆମେ ତାଙ୍କୁ ବିହାର ଭବନ ନିର୍ମାଣ ପାଇଁ ମାଗଣାରେ ଦେଢ଼ ଏକର ଜମି ଯୋଗାଇ ଦେବୁ। ଆମ ମଧ୍ୟରେ ଆଜି କୌଣସି ପ୍ରକାର ମେଣ୍ଟ ନେଇ କିଛି ଆଲୋଚନା ହୋଇନାହିଁ ବୋଲି ନବୀନ କହିଥିଲେ।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଆମେ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲୁ। ଆଉ ଆଜି ତାହାକୁ ମଞ୍ଜୁରୀ ମିଳିଗଲା। ନବୀନ ତାଙ୍କର ପୁରୁଣା ବନ୍ଧୁ ଓ ଆଜି ତାଙ୍କ ସହିତ କୌଣସି ପ୍ରକାର ରାଜନୀତିକ ଆଲୋଚନା ହୋଇନାହିଁ। କେବଳ ତାଙ୍କୁ ଭେଟିବାକୁ ଇଚ୍ଛା ହେବାରୁ ଚାଲି ଆସିଲେ ବୋଲି କହିଥିଲେ ନୀତୀଶ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାକୁ ନୀତୀଶ ଆରମ୍ଭ କରିଥିବା ଅଭିଯାନ ସ୍ୱରୁପ ଆଜି ଓଡ଼ିଶା ଆସିଥିବା ନେଇ ଆଲୋଚନା ହେଉଥିଲେ ହେଁ ଉଭୟ ନୀତୀଶ ଓ ନବୀନ ସେମାନଙ୍କ ମଧ୍ୟରେ କୌଣସି ରାଜନୀତିକ ଆଲୋଚନା ହୋଇନାହିଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁରୀରେ ‘ବଙ୍ଗ ଭବନ’ ନିର୍ମାଣ ପାଇଁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ୨ ଏକର ଜମି ଯୋଗାଇ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ବଙ୍ଗ ଭବନ ପାଇଁ ୨ ଏକର ଜମି ଯୋଗାଇ ଦିଆଯିବା କଥା କହିଥିଲେ।

Naveen Patnaik Cmo Of Odisha Bihar Nitish Kumar