/odisha-reporter/media/post_attachments/uploadimage/library/16_9/16_9_0/ISRO_1692874565.jpg)
ISRO
ଜହ୍ନରେ ପାଦ ଥାପିଲା ଭାରତ। ବୁଧବାର ସନ୍ଧ୍ୟା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଚନ୍ଦ୍ରଯାନ-୩। ଏହି ରହସ୍ୟମୟ ଚନ୍ଦ୍ରପୃଷ୍ଠରେ ଯେତେବେଳେ ପାଦ ଥାପୁଥିଲା ଚନ୍ଦ୍ରଯାନ-୩, ସେତେବେଳେ ଗର୍ବରେ ଫୁଲି ଉଠୁଥିଲା ଓଡ଼ିଶାର ଛାତି। କାରଣ, ଏହି ମାଟିର ସୁଯୋଗ୍ୟ ସନ୍ତାନଙ୍କ ଭୂମିକାରେ ସମ୍ପୂର୍ଣ୍ଣ ହୋଇଥିଲା ଇସ୍ରୋର ଚନ୍ଦ୍ର ଅଭିଯାନ। ବାଲେଶ୍ୱରରୁ ତାଳଚେର, ବ୍ରହ୍ମପୁରରୁ ଭୁବନେଶ୍ୱର। ଓଡ଼ିଆ ପୁଅଙ୍କ ଅବଦାନକୁ ମିଳିଛି ଭୁରି ଭୁରି ପ୍ରଶଂସା।
ଚନ୍ଦ୍ରଯାନ -୩ ମିଶନରେ ବ୍ରହ୍ମପୁରର ଯୁବ ବୈଜ୍ଞାନିକ ଦେବାଶିଷ ମହାପାତ୍ରଙ୍କ ଭୂମିକା ରହିଛି। ୨୦୦୬ ମସିହାରୁ ଦେବାଶିଷ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରୟାନ-୩ରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଏବେ ଚନ୍ଦ୍ରଯାନ-୩ ସଫଳ ହେବା ପରେ ଦେବାଶିଷଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ସାରା ବିଶ୍ୱରେ ଭାରତ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସାରା ବିଶ୍ୱରେ ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ଚର୍ଚ୍ଚା। ତେବେ ଚନ୍ଦ୍ରୟାନ-୩ ସଫଳତାରେ ଜଣେ ଓଡ଼ିଆ ଇଞ୍ଜିନିୟରଙ୍କର ମଧ୍ୟ ହାତ ରହିଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲିଆ ଗାଁର ସୁଶୀଲ ନାୟକ। ସୁଶୀଲ ଏବେ ଇସ୍ରୋର VAST (VECHILE ASSEMBLY AND STATIC TEST FECILITIES) ବିଭାଗର ଡେପୁଟି ହେଡ୍ ଭାବେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରୟାନ-୩ ପ୍ରସ୍ତୁତିରେ VAST ଡିପାର୍ଟମେଣ୍ଟର ରହିଛି ପ୍ରମୁଖ ଭୂମିକା। ତେଣୁ ଚନ୍ଦ୍ରରେ ଚନ୍ଦ୍ରୟାନର ସଫଳ ଲ୍ୟାଣ୍ଡିଂ ପରଠୁ ବାଲିଆ ଗାଁରେ ଖୁସିର ପରିବେଶ। ସୁଶୀଲଙ୍କ ପରିବାର ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।
ଚନ୍ଦ୍ରଯାନ -୩ ମିଶନରେ ରହିଛି ଆଉ ଜଣେ ଓଡ଼ିଆ ବୈଜ୍ଞାନିକଙ୍କ ହାତ। ତାଳଚେର ପାଇଁ ଗର୍ବ ଗୌରବ ଆଣିଲେ ଇସ୍ରୋ ବୈଜ୍ଞାନିକ ଶରତ କୁମାର ଦାସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଗୋବିନ୍ଦପୁର ଗାଁ ବାସିନ୍ଦା ହେଉଛନ୍ତି ଶରତ। ଦୀର୍ଘ ୩୦ରୁ ଅଧିକ ବର୍ଷ ଧରି ହେବ ତାଳଚେରରେ ସେ ରହି ଆସୁଛନ୍ତି। ଡାକ୍ତର ଶରତ କୁମାର ଦାଶ ବେଙ୍ଗାଲୁରୁରେ ରହୁଛନ୍ତି। ଚନ୍ଦ୍ରଯାନର ସଫଳ ଅବତରଣ ପରେ ବେଶ ଖୁସି ଅନୁଭବ କରିଛନ୍ତି ଶରତଙ୍କ ପରିବାର ଲୋକେ।
ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି ଆଉ ଜଣେ ଓଡ଼ିଆ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ହାତ। ସେ ହେଉଛନ୍ତି ବାଲେଶ୍ୱର ମାନସିଂ ବଜାରର ମାନସ ଭଦ୍ର। ମାନସ ଇସ୍ରୋର ବୈଜ୍ଞାନିକ ଭାବେ ରିସର୍ଚ୍ଚ ଆଣ୍ଡ ପ୍ଲାନିଂରେ କାମ କରୁଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ବୈଜ୍ଞାନିକ ମାନସଙ୍କ ସହ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।
ସେପଟେ ଆଜି ଚାଲିଲା ପ୍ରଜ୍ଞାନ। ଲ୍ୟାଣ୍ଡରରୁ ଅଲଗା ହେବା ପରେ ପ୍ରଜ୍ଞାନ ଗଡିବା ଆରମ୍ଭ କରିଛି। ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲ୍ୟାଣ୍ଡରରୁ ଅଲଗା ହେବା ପରେ ଚନ୍ଦ୍ରରେ ଗଡିବା ଆରମ୍ଭ କରିଛି ରୋଭର ‘ପ୍ରଜ୍ଞାନ’। ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର।
ଗତକାଲି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଭାବେ ଐତିହାସିକ ଲ୍ୟାଣ୍ଡିଂ କରିଥିଲା । ଲ୍ୟାଣ୍ଡ କରିବା ପରେ ଏହି ପ୍ରଥମ ଖବର ଆସିଛି। ଚନ୍ଦ୍ରର ଦକ୍ଷିଣ ମେରୁରରେ ଅବତରଣ କରିଥିଲା ଲ୍ୟାଣ୍ଡର ବିକ୍ରମ । ଅବତରଣ ପରେ ଚନ୍ଦ୍ର ପୃଷ୍ଠରେ ସୃଷ୍ଟି ହୋଇଥିବା ଧୂଳି ଜମିବାକୁ ଅପେକ୍ଷା କରିଥିଲା ଇସ୍ରୋ। ସେଠାରେ ଲ୍ୟାଣ୍ଡିଂ ପରେ ପ୍ରଥମ ଫଟୋ ମଧ୍ୟ ପଠାଇ ସାରିଛି ଲ୍ୟାଣ୍ଡର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
