/odisha-reporter/media/media_files/2026/02/18/laxmi-2026-02-18-17-18-10.jpg)
ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଞ୍ଚାୟତର ବନ୍ଧଗୁଡ଼ା ଗାଁରେ ରହନ୍ତି ଲକ୍ଷ୍ମୀ ଖେମୁଡୁ। ସେ ଦଶମ ଶ୍ରେଣୀର ଛାତ୍ରୀ। ଆସନ୍ତାକାଲିଠାରୁ ସେ ଦେବେ ମାଟ୍ରିକ୍ ପରୀକ୍ଷା।
ଲକ୍ଷ୍ମୀ ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ। ତାଙ୍କ ହାତ ଅଚଳ। ହାତରେ ସେ କିଛି କରିପାରନ୍ତି ନାହିଁ। ଗୋଡ଼ରେ ସେ ଚାଲି ପାରନ୍ତି ନାହିଁ। ସେ ବସି ପାରନ୍ତି। ଘୋଷରି ଘୋଷରି ଘର ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେ ଯାଆନ୍ତି।
/filters:format(webp)/odisha-reporter/media/media_files/2026/02/18/laxmi2-2026-02-18-17-20-06.jpg)
୫ ବର୍ଷର ହୋଇଥିବା ବେଳେ ପାଠପଢ଼ା ପ୍ରତି ଆଗ୍ରହ ଦେଖାଇଥିଲେ ଲକ୍ଷ୍ମୀ। ପଢ଼ିପାରିଲେ, କିନ୍ତୁ ହାତ ସଂପୂର୍ଣ୍ଣ ଅଚଳ ହୋଇଥିବାରୁ ଲେଖି ପାରିଲେନି। ତେଣୁ ଗୋଡ଼ରେ ଲେଖିବା ଅଭ୍ୟାସ ଆରମ୍ଭ କଲେ। ଧୀରେ ଧୀରେ ଗୋଡ଼ରେ ସେ ଏତେ ସୁନ୍ଦର ଲେଖିଲେ ଯେ ହାତରେ ଲେଖୁଥିବା ପିଲାଙ୍କ ଅକ୍ଷର ଠାରୁ ତାହା କୌଣସି ପ୍ରକାରେ କମ୍ ନଥିଲା।
ଲକ୍ଷ୍ମୀଙ୍କର ପାଠ ପଢ଼ିବାର ଆଗ୍ରହ ଦେଖି ବାପାମା’ ତାଙ୍କୁ ଘରଠାରୁ ୬ କିଲୋମିଟର ଦୂର ସିନ୍ଧ୍ରିମାଳ ସ୍କୁଲରେ ନାମ ଲେଖାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ବଢ଼ାଇଥିଲେ ସହଯୋଗର ହାତ। ସେ କିଭଳି ଅନ୍ୟ ପିଲାଙ୍କ ପରି ଶ୍ରେଣୀ ଗୃହରେ ବସି ସମାନ ବ୍ୟବହାର ପାଇବେ ଏବଂ ନିଜକୁ ଅନ୍ୟମାନଙ୍କଠାରୁ ନ୍ୟୁନ ମନେ ନ କରିବେ, ସେଥିପ୍ରତି ଯତ୍ନବାନ ହୋଇଥିଲେ ସ୍କୁଲ କର୍ତ୍ତୃପକ୍ଷ।
/filters:format(webp)/odisha-reporter/media/media_files/2026/02/18/laxmi4-2026-02-18-17-21-15.jpg)
ମାଟ୍ରିକ ପରୀକ୍ଷାରେ ତାଙ୍କ ପାଇଁ ଅନ୍ୟ ଜଣେ ଛାତ୍ରୀଙ୍କୁ ଲେଖିବା ପାଇଁ ନିୟୋଜିତ କରିବାକୁ ମନସ୍ଥ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏଥିପାଇଁ ବୋର୍ଡକୁ ଆବଶ୍ୟକ ଅନୁମତି ମାଗିବା ପାଇଁ ସେମାନେ ପ୍ରସ୍ତୁତ ଥିଲେ। କିନ୍ତୁ ଲକ୍ଷ୍ମୀ ରାଜି ହୋଇ ନଥିଲେ। ସେ ନିଜେ ଲେଖିବେ ବୋଲି କହିଛନ୍ତି। ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଚାହୁଁଛନ୍ତି।
ଲକ୍ଷ୍ମୀଙ୍କ ପରିବାର ଗରିବ ଶ୍ରେଣୀର। ତାଙ୍କୁ ସ୍କୁଲକୁ ନେବାଆଣିବା କରିବା ପାଇଁ ସେମାନଙ୍କ ପାଖରେ କୌଣସି ସାଧନ ନାହିଁ। କେତେବେଳେ ଅଟୋରେ ତ ଆଉ କେତେବେଳେ କାହା ବାଇକ ମାଗି ସେମାନେ ଲକ୍ଷ୍ମୀଙ୍କୁ ସ୍କୁଲକୁ ନେବା ଆଣିବା କରୁଛନ୍ତି। ଲକ୍ଷ୍ମୀଙ୍କ ନିତ୍ୟକର୍ମ ତାଙ୍କ ମାଆ ଓ ବାପା କରିଆସୁଛନ୍ତି।
/filters:format(webp)/odisha-reporter/media/media_files/2026/02/18/lekha-2026-02-18-17-24-18.jpg)
ଗୋଡ଼ ସାହାଯ୍ୟରେ ଲକ୍ଷ୍ମୀ କେବଳ ଯେ ଲେଖୁଛନ୍ତି, ତାହା ନୁହେଁ; ଗୋଡ଼ରେ ଚାମଚ ସହାୟତାରେ ସେ ଖାଇପାରନ୍ତି। କିନ୍ତୁ ଶୌଚ ହେବା ଓ ଗାଧୋଇବା ଭଳି କାର୍ଯ୍ୟ ପାଇଁ ମାଆଙ୍କ ଉପରେ ନିର୍ଭର କରିଥା’ନ୍ତି।
ପାଠପଢ଼ା ପ୍ରତି ଲକ୍ଷ୍ମୀଙ୍କର ଆଗ୍ରହ ଦେଖି ପରିବାର ଲୋକେ ଗରିବ ହେଲେ ମଧ୍ୟ ତାଙ୍କ ଶିକ୍ଷାଦାନରେ କେବେ ହେଳା କରିନାହାନ୍ତି। ବାପା କୁଲି ମଜୁରି କରି ପରିବାର ପୋଷୁଥିବା ବେଳେ ମାଆ ଜଣେ ଗୃହିଣୀ। ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ଲକ୍ଷ୍ମୀଙ୍କୁ ଉଚ୍ଚ ଶିକ୍ଷିତା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ମାଲକାନଗିରିରୁ ଯିତେନ୍ଦ୍ର ବେଉରାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
