Advertisment

ଖାଲି ଉଦ୍‌ଘାଟନ, ସ୍ପପ୍ନରେ ଚାଲିଛି ଲିଭର ଟ୍ରାନସପ୍ଲାଣ୍ଟ

ଓଡ଼ିଶାର ଗରିବ ରୋଗୀ ଦିଲ୍ଲୀ ଓ ବମ୍ବେ ଯାଇ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଭର ଟ୍ରାନସପ୍ଲାଣ୍ଟ କରିପାରୁନାହାନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
SCBMCH

SCBMCH

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନସପ୍ଲାଣ୍ଟ ଏବେ ଖବରର ଶିରୋନାମା ପାଲଟିଛି। ଓଡ଼ିଶାରେ ଯକୃତ ପ୍ରତିରୋପଣ ପାଇଁ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ତାଙ୍କୁ ମଙ୍ଗଳବାର ଦିଲ୍ଲୀ ନବାକୁ ପଡ଼ିଛି। ଦଶ ବର୍ଷ ତଳେ ଓଡ଼ିଶା ସରକାର କଟକ ଏସସିବି କଲେଜରେ ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଦିବଂଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ପ୍ରଥମେ ୨୦୨୧ ଓ ୨୦୨୨ରେ ଆଉଥରେ ଏହାର ଉଦଘାଟନ କରିଥିଲେ। ହେଲେ ବର୍ତମାନ ସୁଦ୍ଧା ଏସସିବିରେ ୨୭୦ ଯକୃତ ରୋଗୀ ଅପରେସନ ପାଇଁ ପଂଜୀକରଣ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିଲା ନାହିଁ। ପିଣ୍ଟୁଙ୍କ ଚିକିତ୍ସା ପାଇଁ ସହଯୋଗ କରୁଥିବା ଅଭିନେତା ଶ୍ରୀତମ ଦାସ କହିଛନ୍ତି- ଦିଲ୍ଲୀ, ବମ୍ବେ ଓ ଚେନ୍ନାଇରେ ହାର୍ଟ, କିଡନୀ, ଲିଭର ଟ୍ରାନ୍ସପ୍ଲାଣ୍ଟ କରୁଥିବା ସବୁ ବିଶିଷ୍ଟ ଡାକ୍ତର ହେଉଛନ୍ତି ଓଡ଼ିଆ, ହେଲେ ସେମାନେ ଏଠାରେ କାହିଁକି ସେହି କାମ କରିପାରୁନାହାନ୍ତି?

Advertisment

କଟକ ବାରଙ୍ଗ ଅଞ୍ଚଳର କବିରାଜ ରାଉତ। ଦୀର୍ଘ ଏକ ବର୍ଷ ହେଲା ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଏସସିବି ଆସୁଛନ୍ତି। ଧୀରେ ଧୀରେ ତାଙ୍କର ଅଧାରୁ ଅଧିକ ଲିଭର ଖରାପ ଅବସ୍ଥାକୁ ଆସିଲାଣି। ଲିଭର ପ୍ରତିରୋପଣ ପାଇଁ ଡାକ୍ତର କହିଦେଇଛନ୍ତି। ହେଲେ ଉପାୟଶୂନ୍ୟ କବିରାଜ ଅର୍ଥାଭାବରୁ ଚିକିତ୍ସା କରାଇ ପାରୁନାହାନ୍ତି। କାରଣ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ବମ୍ବେ ଯିବାକୁ ହେବ, ଆଉ ସେଥିପାଇଁ ଦରକାର ୪୦ ଲକ୍ଷ ଟଙ୍କା। ସେଥିପାଇଁ କଟକ ଏସସିବି ମେଡିକାଲ କୁ ଆସି କେବଳ ମେଡିସିନ ଖାଇ ବଞ୍ଛିଛନ୍ତି। କାରଣ ଏସସିବି ମେଡିକାଲରେ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା। କେବଳ କବିରାଜ ନୁହନ୍ତି ଏହିଭଳି ଅନେକ ରୋଗୀ ଏବେ ଭାଗ୍ୟକୁ ଆଦରି ରହିଛନ୍ତି। ଓଡ଼ିଶାରେ ଏହି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗରିବ ରୋଗୀ ଦିଲ୍ଲୀ ଓ ବମ୍ବେ ଯାଇ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଭର ଟ୍ରାନସପ୍ଲାଣ୍ଟ କରିପାରୁନାହାନ୍ତି।

୨୦୧୩ ମସିହାରେ ସରକାର କଟକ ଏସସିବିରେ ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା ଚାଲୁ କରିବା ପାଇଁ ୨୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଅନେକ ସମୟରେ ପ୍ରଫେସରମାନଙ୍କୁ ବାହାରକୁ ପଠାଯାଇ ତାଲିମ ଦିଆଗଲା। ହେଲେ ଯନ୍ତ୍ରାଂଶ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଆଉ ୟା ଭିତରେ ତାଲିମ ନେଇଥିବା ଅନେକ ପ୍ରଫେସର, ପାରା-ମେଡିକାଲ ଷ୍ଟାଫ୍ ଅବସର ନେଇଗଲେ। ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨୦୨୧ରେ ଏହାକୁ ଉଦଘାଟନ କଲା ପରେ ବି ତାହା କାର୍ଯ୍ୟକାରୀ ହେଲା ନାହିଁ। ତେଣୁ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥା ସହ ଚୁକ୍ତି କରି ପ୍ରତିରୋପଣ ବ୍ୟବସ୍ଥା ଚଳାଇବାକୁ ୨୦୨୨ରେ ପୁଣି ଥରେ ସେ ନୂଆ ୟୁନିଟ ଉଦଘାଟନ କଲେ। ଦୁଇ ଦୁଇ ଥର ଉଦଘାଟନ ପରେ ବି ଏପର୍ଯ୍ୟନ୍ତ ଗୋଟିଏ ଯକୃତ ପ୍ରତିରୋପଣ ହୋଇପାରିଲା ନାହିଁ।

Advertisment

ଏ ନେଇ ଏସସିବି ମେଡିକାଲ କଲେଜ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଏ ନେଇ ନିକଟରେ ବୈଠକ ହୋଇଥିଲା। ସମସ୍ୟା ସଂପର୍କରେ ଆଲୋଚନା ହୋଇଛି। ଆଉ ଦୁଇ ମାସ ଭିତରେ ଲିଭରଟ୍ରାନସପ୍ଲାଣ୍ଟ ହେବ।

୨୦୨୦ ମସିହାରେ ଓଡ଼ିଶାରେ ପ୍ରଥମ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ଭୁବନେଶ୍ବରର ଘରୋଇ ହସ୍ପିଟାଲ ସମ୍ ହାଇଦ୍ରାବାଦର ଏକ ଟିମ୍ ସହ ମିଶି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଥିଲା। ତେବେ ରାଜ୍ୟର ବଡ଼ ସରକାରୀ ହସ୍ପିଟାଲ ଏସସିବି ୧୦ ବର୍ଷ ତଳୁ ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ନ ହୋଇପାରିବା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଛିଡ଼ା କରୁଛି।

Odisha Cuttack Scb Medical Pintu Nanda Liver Transplant