Advertisment

ଟନେଲ ଭିତରର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ, କହିଲେ- ମୁଢ଼ି ଖାଇ କାଟିଲୁ ୧୦ ଦିନ

ଟନେଲରୁ ବାହାରିବା ପରେ ଗତ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ ।

ଅଦ୍ୟତନ ହୋଇଛି
Tunnel Tragedy

Tunnel Tragedy

Advertisment

୧୭ ଦିନର ଅହୋରାତ୍ର ସଂଗ୍ରାମ ପରେ ଶେଷରେ ଅସମ୍ଭବ ସମ୍ଭବରେ ପରିଣତ ହେଲା। ଟନେଲର ଅନ୍ଧକାରରୁ ବାହାରି ଆଲୋକ ଦେଖିଲେ ୪୧ ଜଣ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ଗତକାଲି ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ସମଗ୍ର ଦେଶରେ ଏକପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି।। ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଅଛନ୍ତି।

Advertisment

ଟନେଲରୁ ବାହାରିବା ପରେ ଗତ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ ଧୀରେନ ନାୟକ। ମୟୂରଭଞ୍ଜ ଜିଲ୍ଲା ଉଦଳାର ଧୀରେନ ପ୍ରାୟ ୩ ବର୍ଷ ହେଲା ସେଠାରେ କାମ କରୁଥିଲେ ବି ପୂର୍ବରୁ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ। 

ଧୀରେନ କହିଛନ୍ତି, ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ। ମାତ୍ର କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଳଜାନ ପାଇପାରି ନ ଥିଲୁ । ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲୁ। ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ଆମେ ଫସି ଯାଇଥିବା ଜାଣି ପାରିଥିଲେ।

Advertisment

ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଦୁନିଆ ସହ ଯୋଗାଯୋଗ ହୋଇଥିଲା। ସେହି ପାଇପରେ ମୁଢ଼ି, କାଜୁ, କିସମିସ୍ ଓ ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା। ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲୁ। ପରେ ୬ ଇଞ୍ଚର ପାଇପ ପକାଇ ଆମ ପାଖକୁ ଭାତ, ରୁଟି ଓ ଡାଲି ପଠା ଯାଇଥିଲା। ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟି ନଥିଲା ବୋଲି କହିଛନ୍ତି ଧୀରେନ। 

ସେ କହିଛନ୍ତି, ଟନେଲ ଭିତରେ ଆମେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା। ଉଦ୍ଧାର ହୋଇଯିବୁ ବୋଲି ଆଶା ଥିଲା। ପ୍ରାୟ ୧୦/୧୨ ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲୁ।

୧୭ ଦିନର ଅପେକ୍ଷା ପରେ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା। ଆମକୁ ଉଦ୍ଧାର କରିବା ନିମନ୍ତେ ସଂଯୋଗ କରାଯାଇଥିବା ପାଇପ୍‌କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲୁ। ଟନେଲ ବାହାରେ ଆମ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଉପସ୍ଥିତ ଥିବା ଦେଖି ଖୁବ୍‌ ଖୁସି ଲାଗିଥିଲା। ଉଦ୍ଧାର ହେବା ପରେ ଆମକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଗାଁକୁ ଫେରିବାକୁ ପାଖାପାଖି ଆହୁରି ସପ୍ତାହେ ଲାଗିଯିବ ବୋଲି କହିଛନ୍ତି ଧୀରେନ।

Uttarakhand Mayurbhanj Tunnel Collapses In Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe