କୋହଲିଙ୍କ ରାଜୁତି ଶେଷ କଲେ ଏହି ଇଂଲିଶ ଅଲରାଉଣ୍ଡର

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଲଗାତାର ତିନିବର୍ଷ ଧରି ରହିଆସିଥିବା ଦବଦବାରେ ବ୍ରେକ୍ ଲାଗିଛି। କୋହଲିଙ୍କ ଏହି ଆଧିପତ୍ୟରେ ବିରାମ ଲଗାଇଛନ୍ତି ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ। ଷ୍ଟୋକ୍ସ ୨୦୧୯ ବର୍ଷ ପାଇଁ କ୍ରିକେଟର ବାଇବେଲ୍ କୁହାଯାଉଥିବା ‘ୱିଜଡେନ’ର ସର୍ବଶ୍ରେଷ୍ଠ କ୍ରିକେଟର୍ (ୱିଜଡେନ୍ ଲିଡିଙ୍ଗ୍ କ୍ରିକେଟର୍ ଇନ୍ ଦି ୱାର୍ଲ୍ଡ) ସମ୍ମାନ ହାସଲ କରିଛନ୍ତି। ୨୦୧୯ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଯୋଗୁ ଷ୍ଟୋକ୍ସଙ୍କୁ ୱିଜଡେନ୍ କ୍ରିକେଟର୍ସ ଅଲମାନକ୍ ୨୦୨୦ ସଂସ୍କରଣରେ ଏହି ସମ୍ମାନ ପ୍ରଦାନ […]

virat-and-stokes

Ranjit Kumar Jena
  • Published: Wednesday, 08 April 2020
  • , Updated: 08 April 2020, 05:19 PM IST

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଲଗାତାର ତିନିବର୍ଷ ଧରି ରହିଆସିଥିବା ଦବଦବାରେ ବ୍ରେକ୍ ଲାଗିଛି। କୋହଲିଙ୍କ ଏହି ଆଧିପତ୍ୟରେ ବିରାମ ଲଗାଇଛନ୍ତି ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ। ଷ୍ଟୋକ୍ସ ୨୦୧୯ ବର୍ଷ ପାଇଁ କ୍ରିକେଟର ବାଇବେଲ୍ କୁହାଯାଉଥିବା 'ୱିଜଡେନ'ର ସର୍ବଶ୍ରେଷ୍ଠ କ୍ରିକେଟର୍ (ୱିଜଡେନ୍ ଲିଡିଙ୍ଗ୍ କ୍ରିକେଟର୍ ଇନ୍ ଦି ୱାର୍ଲ୍ଡ) ସମ୍ମାନ ହାସଲ କରିଛନ୍ତି। ୨୦୧୯ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଯୋଗୁ ଷ୍ଟୋକ୍ସଙ୍କୁ ୱିଜଡେନ୍ କ୍ରିକେଟର୍ସ ଅଲମାନକ୍ ୨୦୨୦ ସଂସ୍କରଣରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଗତ ତିନିବର୍ଷ ଧରି କୋହଲି ଏହି ସମ୍ମାନ ଲାଗ କରିଆସୁଥିଲେ।

ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି ୨୦୧୬, ୨୦୧୭ ଓ ୨୦୧୮ରେ ଲଗାତର ତିନିବର୍ଷ ପାଇଁ ୱିଜଡେନର ଲିଡିଙ୍ଗ୍ କ୍ରିକେଟର୍ ବିବେଚିତ ହୋଇଥିଲେ, ଯାହାକି ଏକ ରେକର୍ଡ। ତେବେ ଏଥର ୱିଜଡେନ୍ ତାଲିକାରେ କୌଣସି ଭାରତୀୟ ପୁରୁଷ କିମ୍ବା ମହିଳା ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଷ୍ଟୋକ୍ସ ପ୍ରଥମଥର ଲାଗି ଏହି ସମ୍ମାନ ଲାଭ କରିଛନ୍ତି। ଏହି ପୁରସ୍କାର ୨୦୦୩ରୁ ଆରମ୍ଭ ହୋଇଥିଲା, ଯାହା ପରେ ଷ୍ଟୋକ୍ସ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ ଏହି ସମ୍ମାନର ହକଦାର ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୫ରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍ କ୍ରିକେଟର୍ ଅଫ୍ ଦି ଇୟର୍ ଭାବେ ବିବେଚିତ ହୋଇଥିଲେ। ୨୦୧୯ରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା। ୨୦୧୯ରେ ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇବାରେ ଷ୍ଟୋକ୍ସ ପ୍ରମୁଖ ଭୂମିକା ବହନ କରିଥିଲେ। ଏହାବ୍ୟତୀତ ସେ ହେଡିଂଲେରେ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ଟେଷ୍ଟ ମ୍ୟାଚରେ ଚମତ୍କାର ଇନିଂସ୍ ଖେଳି ଇଂଲଣ୍ଡକୁ ବିଜୟୀ କରାଇଥିଲେ।

ୱିଜଡେନ୍ ଏହାବ୍ୟତୀତ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଲରାଉଣ୍ଡର ଏଲିସ୍ ପେରୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ବିବେଚିତ କରିଛି। ପେରୀ ସେହି ପାଞ୍ଚଜଣ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଅଛନ୍ତି, ଯେଉଁମାନଙ୍କୁ ୱିଜଡେନର କ୍ରିକେଟର୍ ଅଫ୍ ଦି ଇୟର ଭାବେ ଚୟନ କରାଯାଇଛି। ପେରୀ ତୃତୀୟ ଅଷ୍ଟ୍ରେଲୀୟ କ୍ରିକେଟର୍ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ପେରୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପୁରୁଷ ଟିମର ଷ୍ଟାର୍ ପେସ୍ ବୋଲର ପ୍ୟାଟ୍ କମିନ୍ସ ଏବଂ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ତଥା ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚର୍ ଓ ଦକ୍ଷିଣ ଆଫ୍ରିକାର ସିମୋନ୍ ହାର୍ମରଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲଙ୍କୁ ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍ ଭାବେ ଚୟନ କରାଯାଇଛି।

ୱିଜଡେନ୍ ପକ୍ଷରୁ କୁହାଯାଇଛି ଯେ "ବେନ୍ ଷ୍ଟୋକ୍ସ କିଛି ସପ୍ତାହ ମଧ୍ୟରେ ଦୁଇଥର ଚମକପ୍ରଦ ପ୍ରଦର୍ଶନ କରିଥିଲେ। ପ୍ରଥମେ ସେ ନିଜର ଅସାଧାରଣ ପ୍ରତିଭା ଏବଂ ଭାଗ୍ୟର ଦମରେ ବିଶ୍ୱକପ୍ ଫାଇନାଲରେ ଲକ୍ଷ୍ୟର ପିଛା କରିବାରେ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିଥିଲେ ଏବଂ ସୁପର୍ ଓଭରରେ ମଧ୍ୟ ତାଙ୍କ ଦମରେ ଘରୋ ଟିମ୍ ୧୫ ରନ୍ କରିଥିଲା। ଏହା ପରେ ହେଡିଂଲେରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ କ୍ୟାରିୟରର ଅନ୍ୟତମ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିଲେ। ସେ ଅପରାଜିତ ୧୩୫ ରନ୍ କରି ଇଂଲଣ୍ଡକୁ ୧ ୱିକେଟରେ ବିଜୟୀ କରାଇଥିଲେ।"

ପେରୀ ପ୍ରଥମଥର ଲାଗି ୱିଜଡେନର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର୍ ହୋଇନାହାନ୍ତି। ଏହା ପୂର୍ବରୁ ସେ ୨୦୧୬ରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ସେ ସପ୍ତମ ମହିଳା କ୍ରିକେଟର୍ ଭାବେ ୱିଜଡେନର ପାଞ୍ଚଜଣ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରଥମ ବିଦେଶୀ ମହିଳା ଖେଳାଳି ଭାବେ ଏହି ତାଲିକାରେ ଦୁଇଥର ସ୍ଥାନ ହାସଲ କରିଛନ୍ତି।

ଏ ନେଇ ୱିଜଡେନ୍ ପକ୍ଷରୁ କୁହାଯାଇଛି, ପେରୀ ମହିଳା ଆଶେସରେ ଯେଉଁଭଳି ଦବଦବା କାଏମ ରଖିଥିଲେ, ଯାହା ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା। ସେ ନିଜର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ସେ କ୍ୟାଣ୍ଟରବରୀରେ ଚମତ୍କାର ବୋଲିଂ କରି ମାତ୍ର ୨୨ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ସେହିପରି ଟଣ୍ଟନରେ ଏକମାତ୍ର ଟେଷ୍ଟ ମ୍ୟାଚରେ ନିଜ ବ୍ୟାଟରେ କମାଲ୍ କରି ୧୧୬ ଏବଂ ଅପରାଜିତ ୭୬ ରନର ଇନିଂସ୍ ଖେଳିଥିଲେ।

ୱିଜଡେନ୍ ଅଲମାନକ୍ ତା'ର ମୁଖ୍ୟ ପୃଷ୍ଠାରେ ସେହି ଫଟୋଚିତ୍ର ଦେଇଛି, ଯେଉଁଥିରେ ଗତବର୍ଷ ବିଶ୍ୱକପ୍ ଫାଇନାଲରେ ଜୋସ୍ ବଟଲର୍ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲଙ୍କୁ ରନଆଉଟ୍ କରିଥିଲେ। ଏହି ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା, ଯାହା ବଳରେ ଇଂଲଣ୍ଡର ପ୍ରଥମଥର ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ୍ ହେବାର ସ୍ୱପ୍ନ ସାକାର ହୋଇଥିଲା।

Related story