Advertisment

ବିଶ୍ୱକପ୍ କ୍ରିକେଟ୍‌: କାହାକୁ ମିଳିବ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର, ରେସ୍‌ରେ ୪ ଭାରତୀୟଙ୍କ ସମେତ ୯ ଜଣଙ୍କ ନାଁ

ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରିବା ପାଇଁ ଆଇସିସି ଯେଉଁ ଖେଳାଳିମାନଙ୍କ ନାଁ ଉପରେ ବିଚାର କରୁଛି ତାହା ସାମ୍ନାକୁ ଆସିଛି।

author-image
Jitendra Garnayak
World Cup

World Cup

ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ଅହମଦାବାଦରେ ଖେଳା ଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ତେବେ ତା’ ପୂର୍ବରୁ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରିବା ପାଇଁ ଆଇସିସି ଯେଉଁ ଖେଳାଳିମାନଙ୍କ ନାଁ ଉପରେ ବିଚାର କରୁଛି, ତାହା ସାମ୍ନାକୁ ଆସିଛି। ଏହି ରେସ୍‌ରେ ୪ ଜଣ ଭାରତୀୟ ଖେଳାଳିଙ୍କ ସହିତ ମୋଟ ୯ ଜଣ ଅଛନ୍ତି।

Advertisment

ଏହି ୪ ଭାରତୀୟ ହେଉଛନ୍ତି- ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା। ଅନ୍ୟ ୫ ଖେଳାଳି ହେଉଛନ୍ତି- ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’ କକ୍, ନ୍ୟୁଜିଲ୍ୟାଣ୍ଡର ରଚିନ ରବୀନ୍ଦ୍ର ଓ ଡେରିଲ ମିଚେଲ, ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା।

ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ୧୦ଟି ମ୍ୟାଚ୍ ଖେଳି ୭୧୧ ରନ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ୮୫ ରନ୍ କରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ୫୫ ରନ୍ କରି ଅପରାଜିତ ରହିଥିଲେ। ବାଂଲାଦେଶ ବିରୋଧରେ ଅପରାଜିତ ରହି ଶତକ ମାରି ଦଳକୁ ବିଜୟୀ କରାଇଥିଲେ। ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଯଥାକ୍ରମେ ୯୫ ଓ ୮୮ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିରୋଧରେ ୧୦୧ ରନ୍ କରିଥିଲେ। ନେଦରଲ୍ୟାଣ୍ଡସ ବିରୋଧରେ ୫୧ ରନ୍ କରିଥିବା ବେଳେ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୧୭ ରନ୍ କରିଥିଲେ। ଏହା ଥିଲା ଦିନିକିଆରେ ତାଙ୍କର ୫୦ତମ ଶତକ। ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କେବଳ ଇଂଲଣ୍ଡ ବିପକ୍ଷରେ ଖାତା ଖୋଲି ପାରି ନଥିବା ବେଳେ ପାକିସ୍ତାନ ବିପକ୍ଷରେ ୧୬ ରନ୍ କରିଥିଲେ।

Advertisment

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିପାରି ନଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସେ ଦଳକୁ ଏକ ଭଲ ଆରମ୍ଭ ଦେଉଥିଲେ। ପ୍ରଥମରୁ ବିପକ୍ଷ ଟିମ୍‌ର ବୋଲରୁ ନିର୍ମମ ପ୍ରହାର କରି ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ୫୫୦ ରନ୍ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ଓ ତିନିଟି ଅର୍ଦ୍ଧଶତକ ରହିଛି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୨୪.୧୫ ରହିଛି।

ବିଶ୍ୱକପ୍ ପ୍ରାରମ୍ଭରୁ ମହମ୍ମଦ ଶାମି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ ଶାମି । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ସେ ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟି ଯାଇଛନ୍ତି। ତାଙ୍କର ପ୍ରଦର୍ଶନ ଆଶାଠାରୁ ଅଧିକ ରହିଛି ଓ ତାଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଛି। ସେ ଏଯାବତ ୬ଟି ମ୍ୟାଚ୍‌ରୁ ୨୩ଟି ୱିକେଟ୍ ହାସଲ କରିଛନ୍ତି। ସେ ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ୱିକେଟ୍ ନେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୪ଟି ଓ ଶ୍ରୀଲଙ୍କା ବିପକ୍ଷରେ ୫ଟି ୱିକେଟ୍ ନେଇଥିଲେ। ସେହିଭଳି ସେମି ଫାଇନାଲରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭ଟି ୱିକେଟ୍ ନେଇଥିଲେ।

ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଛି। ସେ ଏଯାବତ ୧୮ଟି ୱିକେଟ୍ ନେଇଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ସେ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆର ଆଡାମ ଜାମ୍ପା ୨୨ଟି ୱିକେଟ୍ ନେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ବ୍ୟାଟର କ୍ୱିଣ୍ଟନ ଡି’ କକ୍ ୫୯୪ ରନ୍ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୦ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ ଓ ବାଂଲାଦେଶ ବିପକ୍ଷରେ ୧୭୪ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ରଚିନ ରବୀନ୍ଦ୍ର ୫୭୮ ରନ୍ କରିଛନ୍ତି। ତା’ ସହିତ ସେ ୫ଟି ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ୩୯୮ ରନ୍ କରିଥିବା ବେଳେ ୫ଟି ୱିକେଟ୍ ନେଇଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚ୍‌ରେ ଏକଦା ଅଷ୍ଟ୍ରେଲିଆ ୯୧ ରନ୍ କରି ୭ ୱିକେଟ୍ ହରାଇଥିବା ବେଳେ ଏକୁଟିଆ ମ୍ୟାକ୍ସୱେଲ ମ୍ୟାଚ୍ ଜିତାଇ ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ ୫୫୨ ରନ୍ କରିଛନ୍ତି। ସେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିଲେ। ସେମି ଫାଇନାଲରେ ସେ ଭାରତ ବିପକ୍ଷରେ ୧୩୪ ରନ୍ କରିଥିଲେ।

ICC Men’s Cricket World Cup 2023 ICC World Cup 2023