Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଆଜିଙ୍କ୍ୟ ରାହାଣେ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ। ଲଣ୍ଡନର ଓଭାଲରେ ଜୁନ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Ajinkya Rahane

Ajinkya Rahane

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି।

Advertisment

ଦଳରେ ଆଜିଙ୍କ୍ୟ ରାହାଣେଙ୍କୁ ସାମିଲ କରାଯାଇଛି। ଏହାକୁ ଆଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ କୁହାଯାଇପାରେ। କାରଣ ୨୦୨୨ରେ ଦକ୍ଷିଣ ଆଫ୍ରିକା ଗସ୍ତ ପରଠୁ ସେ ଆଉ ଟିମରେ ସ୍ଥାନ ପାଇ ନଥିଲେ। ତେବେ ଘରୋଇ କ୍ରିକେଟ ଓ ଆଇପିଏଲରେ ଲଗାତାର ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଏଥର ଦଳରେ ସାମିଲ କରାଯାଇଛି। ୨୦୨୨-୨୩ ରଣଜୀ ଟ୍ରଫିରେ ମୁମ୍ବାଇ ତରଫରୁ ରାହାଣେ ୭ଟି ମ୍ୟାଚ୍ ଖେଳି ୬୩୪ ରନ କରିଥିଲେ। ତା’ ମଧ୍ୟରେ ୨ଟି ଶତକ ରହିଛି। ସେହିଭଳି ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ରାହାଣେ ଭଲ ପ୍ରଦର୍ଶନ କରୁଛନ୍ତି।

ସେହିପରି ଦଳରେ ଅଲ-ରାଉଣ୍ଡର ଶାର୍ଦ୍ଦୁଲ ଠାକୁର ସାମିଲ ହୋଇଛନ୍ତି। ଗତ ଫେବ୍ରୁଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସେମିତି ଖାସ୍ ପ୍ରଦର୍ଶନ କରି ନଥିଲେ ମଧ୍ୟ କେଏସ ଭରତ ଦଳରେ ସ୍ଥାନ ପାଇଛନ୍ତି। ୱିକେଟକିପର ଭାବେ ସେ ଦଳର ପ୍ରଥମ ପସନ୍ଦ ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦବ ଓ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇ ନାହାନ୍ତି। ଆହତ କାରଣରୁ ଶ୍ରେୟସ ଆୟରଙ୍କୁ ମଧ୍ୟ ଟିମ୍‌ରେ ନିଆଯାଇ ନାହିଁ।

ଦଳରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଦକଟ ଟିମ୍‌ରେ ସାମିଲ ହୋଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ। ଲଣ୍ଡନର ଓଭାଲରେ ଜୁନ ୭ ତାରିଖରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ।

ନିକଟରେ ଭାରତରେ ଖେଳାଯାଇଥିବା ୪ଟି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଅଷ୍ଟ୍ରେଲିଆ ଏଥର ପ୍ରଥମ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯାଇଥିବା ବେଳେ ଭାରତ ଦ୍ୱିତୀୟ ଥର ପାଇଁ ଯାଇଛି।

ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଦଳ ଘୋଷଣା କରିସାରିଛି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରୀ, କ୍ୟାମରୁନ ଗ୍ରୀନ, ମାରକସ ହ୍ୟାରିସ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍, ଜୋଶ ଇଙ୍ଗଲିସ, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ମିଚେଲ ମାର୍ଶ, ଟୋଡ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ (ଉପ-ଅଧିନାୟକ), ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣନର ଦଳରେ ସାମିଲ ହୋଇଛନ୍ତି।

Bcci Ajinkya Rahane WTC Team India