/odisha-reporter/media/media_files/2025/11/03/team-india-2025-11-03-14-31-58.jpg)
ଭାରତୀୟ ମହିଳା କ୍ରିକେଟ ଟିମ
ମହିଳା କ୍ରିକେଟ(Women Cricket) ଇତିସରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଛି। ପ୍ରଥମଥର ପାଇଁ ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛି ହରମନପ୍ରୀତ କୌରଙ୍କ ଭାରତୀୟ କ୍ରିକେଟ ଟିମ। ୫୨ ବର୍ଷ ଧରି ରହିଥିବା ବିଶ୍ୱକପ ଜିତିବା ସ୍ୱପ୍ନ ଭାରତୀୟ ମହିଳା କ୍ରିକେଟର(Indian Women Cricket Team) ସାକାର ହୋଇଛି। ଟ୍ରଫି ଜିତି ଭାରତୀୟ ବୀରଙ୍ଗନାମାନେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ହେଲେ ବିସିସିଆଇ ବିଜୟୀ ଟିମ ସହ କରିଛି ପାତରଅନ୍ତର।
ସବୁବେଳେ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସାମାନ ଦୃଷ୍ଟିରେ ଦେଖୁଥିବା କଥା କହୁଥିବା ବିସିସିଆଇ ଘୋର ପାତରଅନ୍ତର କରିଛି। ଜୟ ଶାହ ବିସିସିଆଇ ସମ୍ପାଦକ ଥିବା ବେଳେ ପୁରୁଷ ଟିମର ଖେଳାଳିଙ୍କ ଭଳି ମହିଳା ଟିମର କ୍ରିକେଟରଙ୍କୁ ମଧ୍ୟ ସମାନ ମ୍ୟାଚ୍ ଫି’ ସୁବିଧା ସୁଯୋଗ ମିଳିବ ବୋଲି କହିଥିଲେ। ଏବେ ଜୟ ଶାହ ଆଇସିସି ଅଧ୍ୟକ୍ଷ। ସେ ରବିବାର ବିଜୟୀ ଭାରତୀୟ ଟିମକୁ ବିଶ୍ୱକପ ଟ୍ରଫିରେ ସମ୍ମାନୀତ କରିଛନ୍ତି। କିନ୍ତୁ ବିଜୟୀ ଟିମ ପାଇଁ ବିସିସିଆଇ ଘୋଷଣା କରିଥିବା କ୍ୟାଶ ପ୍ରାଇଜ ସମସ୍ତଙ୍କୁ ଚକିତ କରିଛି।
ବିସିସିଆଇ ପକ୍ଷରୁ ସମ୍ପାଦକ ଦେବଜିତ ସାଇକିଆ ବିଶ୍ୱକପ ଜିତିଥିବା ମହିଳା ଟିମ ପାଇଁ ୫୧ କୋଟି ଟଙ୍କା(BCCI 51 Crore Reward)ର ପୁରସ୍କାର ଘୋଷଣା କରିଛନ୍ତି। ଏହି ଅର୍ଥକୁ ୧୫ ଜଣିଆ ସ୍କ୍ୱାଡ, ସପୋର୍ଟ ଷ୍ଟାଫ, କୋଚ ଓ ଅନ୍ୟମାନଙ୍କୁ ମିଳିବ। କିନ୍ତୁ ଏହା ପୁରୁଷ ଟିମ ପାଇଁ ଘୋଷଣା ହୋଇଥିବା ୧୨୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଠାରୁ ଯଥେଷ୍ଟ କମ।
୨୦୨୪ରେ ରୋହିତ ଶର୍ମାଙ୍କ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକୁ ହରାଇ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ପୂରା ଭାରତୀୟ ଟି-୨୦ ବିଜେତା କଣ୍ଟିଜେଣ୍ଟ ପାଇଁ ବିସିସିଆଇ ୧୨୫ କୋଟି ଟଙ୍କାର କ୍ୟାଶ ପ୍ରାଇଜ ଘୋଷଣା କରିଥିଲା। ଏବେ ଦିନିକିଆ ବିଶ୍ୱକପ ଜିତିଥିବା ମହିଳା ଦଳ ପାଇଁ ବିସିସିଆଇ ଏହାର ଅଧାରୁ କମ ଆର୍ଥିକ ପୁରୁସ୍କାର ଘୋଷଣା କରିଛି।
ଭାରତୀୟ ମହିଳା ଦଳ ଟ୍ରଫି ଜିତିବା ପରେ ସାଇକିଆ କହିଛନ୍ତି, “୧୯୮୩ରେ କପିଲ ଦେବ ନୂଆ ଯଗର ଆରମ୍ଭ କରିଥିଲେ ଓ ଭାରତ ପାଇଁ ବିଶ୍ୱକପ ଜିତି ଭାରତରେ କ୍ରିକେଟର ଉତ୍ସାହ ବଢ଼ାଇଥିଲେ। ଏବେ ସମାନ ଉତ୍ସାହ ଓ ଖୁସି ଆଜି ମହିଳାମାନେ ଆଣିଛନ୍ତି। ହରମନପ୍ରୀତ କୌର ଓ ତାଙ୍କ ଟିମ କେବଳ ଟ୍ରଫି ଜିତି ନାହାନ୍ତି, ବରଂ ସେମାନେ ସମସ୍ତ ଭାରତୀୟଙ୍କ ହୃଦୟ ଜିତି ପାରିଛନ୍ତି। ସେମାନେ ପରବର୍ତ୍ତୀ ପିଢ଼ି ପାଇଁ ମାର୍ଗ ପ୍ରସ୍ତୁତ କରିଛନ୍ତି। ଆମ ଟିମ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବା କ୍ଷଣି ମହିଳା କ୍ରିକେଟ ପରବତ୍ତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା।
ଜୟ ଶାହ ବିସିସିଆଇର ଦାୟିତ୍ୱ(ସମ୍ପାଦକ ଭାବେ ସେ ୨୦୧୯ରୁ ୨୦୨୪ ଯାଏ କାର୍ଯ୍ୟ କରିଥିଲେ) ନେବା କ୍ଷଣି ମହିଳା କ୍ରିକେଟରେ ଅନେକ ସଂସ୍କାର କରିଥିଲେ। ଫି’ ପାତରଅନ୍ତରରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଗତ ମାସରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ମହିଳା ବିଶ୍ୱକପ ରାଶି ୩୦୦ ଗୁଣା ବଢ଼ାଇଥିଲେ।
ପୂର୍ବରୁ ପୁରସ୍କାର ରାଶି ୨.୮୮ ମିଲିୟନ ଡଲାର ଥିଲା। ଏବେ ଏହା ୧୪ ମିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି ସବୁ ପଦକ୍ଷେପ ମହିଳା କ୍ରିକେଟକୁ ପ୍ରଚାର ପ୍ରସାର କରିବାରେ ସହାୟତା କରିଛି। ବିସିସିଆଇ(BCCI Reward) ମଧ୍ୟ ପୂରା ଟିମ, କୋଚ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୫୧ କୋଟି ଟଙ୍କା ଘୋଷଣା କରୁଛି।”
ବିଶ୍ୱକପ ଜିତିଥିବାରୁ ଆଇସିସି ପକ୍ଷରୁ ଭାରତୀୟ ଟିମ(Women Cricketers)କୁ ୩୯ କୋଟି ଟଙ୍କା ମିଳିଛି। ବିସିସିଆଇ(Bcci) ୫୧ କୋଟି ଟଙ୍କା ଦେବାକୁ ଥିବାରୁ ମୋଟ ପୁରସ୍କାର ରାଶି ୯୦ କୋଟିରେ ପହଞ୍ଚିଛି। ତଥାପି ଏହା ପୁରୁଷ ଟିମର ୧୨୫ କୋଟି ଟଙ୍କାରୁ ଯଥେଷ୍ଟ କମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
