/odisha-reporter/media/media_files/2025/11/25/sa-2025-11-25-17-05-45.jpg)
ଇତିହାସ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା
ଲାଗୁଛି ଗୁହାଟୀ ବାରସାପାରା ଷ୍ଟାଡିୟମର ପିଚ୍ ଲଗାତର ନିଜର ରଙ୍ଗ ବଦଳାଉଛି। ଯେତେବେଳେ ଭାରତ ବୋଲିଂ କରୁଛି ସେତେବେଳେ ଏହା ପୂରା ଫ୍ଲାଟ ରାସ୍ତା ଭଳି ବ୍ୟବହାର କରୁଛି। ଭାରତୀୟ ବୋଲରଙ୍କୁ କିଛି ବି ଫାଇଦା ଦେଉନି। ଭାରତୀୟ ବୋଲର ପ୍ରବଳ ଚେଷ୍ଟା କରୁଥିଲେ ହେଁ ପିଚ୍ ଯୋଗୁ ସଫଳତା ପାଉ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲିଂ କରିବା କ୍ଷଣି ପିଚ୍ ଜୀବନ୍ତ ହୋଇ ଉଠୁଛି। ସେମାନେ ସଫଳତା ପାଉଛନ୍ତି। ଭାରତୀୟ ବ୍ୟାଟର ଭଲ ଖେଳୁଛନ୍ତି, ତଥାପି ପିଚ୍ ଯୋଗୁ ଆଉଟ ହୋଇଯାଉଛନ୍ତି। ଭାରତୀୟ ବ୍ୟାଟରଙ୍କ ଉପରେ ପିଚ୍ ସମ୍ଭବତଃ ରାଗିଛି।
ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ‘ପିଚ୍ ରଙ୍ଗ ବଦଳାଉଥିବାରୁ’ ମାତ୍ର ୨୦୧ ରନ କରିପାରିଥିଲେ। ଦ୍ୱିତୀୟ ଇନିଂସରେ ଭାରତ ବିଶାଳ ୫୪୯ ରନର ପିଛା କରୁଥିବା ବେଳେ ପିଚ୍ ପୁଣି ନିଜର ରଙ୍ଗ ଦେଖାଇ ଦକ୍ଷିଣ ଆଫ୍ରିକାର ସାଥ ଦେଇଛି। ଭାରତୀୟ ବ୍ୟାଟରଙ୍କ ଉପରେ ଗୁହାଟୀ ପିଚ୍ ବୋଧେ ରାଗିଛି। ନହେଲେ ମୁଖ୍ୟ କୋଚ ଗୌତମ ଗମ୍ଭୀର ୧୧ ଜଣ ଷ୍ଟାରଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଚୟନ କରିଥିବା ବେଳେ ସେମାନେ କ’ଣ ଏତେ ଦୟନୀୟ ପ୍ରଦର୍ଶନ କରିଥାଆନ୍ତେ? ସବୁ ଦୋଷ ଗୁହାଟୀ ପିଚର। ଭାରତୀୟ ଖେଳାଳି କିମ୍ବା କୋଚ ଗମ୍ଭୀରଙ୍କ କୌଣସି ଭୁଲ ନାହିଁ। ପିଚ୍ କେବଳ ଦକ୍ଷିଣ ଆଫ୍ରିକାକୁ ଫାଇଦା ଦେଉଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ୟାନସେନ ଦ୍ୱିତୀୟ ଇନିଂସରେ ପ୍ରଥମ ଗୋଟିଏ ବାଉନ୍ସର ଦ୍ୱାରା ଯଶସ୍ୱୀ ଜୈସୱାଲଙ୍କୁ ଘାଇଲା କଲେ। ତା’ପରେ ତାଙ୍କୁ ସେ ପ୍ୟାଭିଲିୟନ ପଠାଇଦେଲେ। ସେହିପରି ଦମଦାର ଫର୍ମରେ ଥିବା ଅପ ସ୍ପିନର ସିମନ ହାର୍ମର ଅଭିଜ୍ଞ କେଲଏ ରାହୁଲଙ୍କ ଦଣ୍ଡା ଉଡ଼ାଇ ଦେଇଛନ୍ତି। ଭାରତୀୟ ବୋଲର ସ୍ପିନ କରାଇ ପାରୁ ନଥିବା ବେଳେ ହାର୍ମର ଟର୍ଣ୍ଣ ହାସଲ କରିବା ପିଚ୍ର ରଙ୍ଗ ବଦଳାଇବା ନୀତିକୁ ଦର୍ଶାଉଛି। ଏହା ପିଚ୍ର ଦୋଷ। ଏଥିରେ ଭାରତୀୟ ବୋଲର କିମ୍ବା ମୁଖ୍ୟ କୋଚ ଗମ୍ଭୀରଙ୍କ କୌଣସି ଭୁଲ ନାହିଁ।
ଥଟା ପରିହାସ ଛାଡ଼ନ୍ତୁ, ଆଉ ଏକ ଘରୋଇ ଟେଷ୍ଟ ସିରିଜରେ ମୂଳପୋଛ ହେବା ସ୍ଥିତିରେ ଭାରତ ପହଞ୍ଚି ଯାଇଛି। ୨୦୨୪ରେ ଦଳ ନ୍ୟୁଜିଲ୍ୟାଣ୍ଡରୁ ଘରୋଇ ପରିବେଶରେ ୦-୩ରେ ହାରିଥିଲା। ଏବେ ଦକ୍ଷିଣ ଆଫ୍ରିକା ୨-୦ରେ ଭାରତକୁ ମୂଳପୋଛ କରିବାର ସମ୍ଭାବନା ଦେଖାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ୨୬ ବର୍ଷ ପରେ ଭାରତ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି।
ପ୍ରଥମ ଇନିଂସରେ ଦୟନୀୟ ବ୍ୟାଟିଂ ପରେ ଭାରତ ଏବେ ବିଶାଳ ୫୪୯ ରନର ଟାର୍ଗେଟକୁ ପିଛା କରୁଛି। ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଭାରତ ଦ୍ୱିତୀୟ ଇନିଂସରେ ୧୫.୫ ଓଭରରେ ୨ ୱିକେଟ ହରାଇ ୨୭ ରନ କରିଛି। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଚାପରେ ଥିବା ସାଈ ସୁଦର୍ଶନ ୨୫ ବଲରେ ୨ ଓ ନାଇଟ ୱାଚ ମ୍ୟାନ କୁଲଦୀପ ଯାଦବ ୪ ରନ କରି ଅପରାଜିତ ରହିଛନ୍ତି।
ଭାରତ ବିଜୟ ଠାରୁ ୫୨୨ ରନ ପଛରେ ରହିଛି। ଶେଷରେ ଦିନରେ ଏହି ଟାର୍ଗେଟକୁ ହାସଲ କରିବା ଅସମ୍ଭବ। ଆଶା ଥିଲା ଭାରତ କ୍ଲିନ ସୁଇପ ଲଜ୍ଜାରୁ ବର୍ତ୍ତି ଯିବ। କିନ୍ତୁ ଏବେ ଭାରତ ମ୍ୟାଚ୍କୁ ଡ୍ର ରଖିବା ସମ୍ଭାବନା ମଧ୍ୟ କ୍ଷୀଣ ହୋଇଯାଇଛି।
୨ ଟିକିଆ ସିରିଜରେ ୧-୦ରେ ପଛରେ ଥିବା ଭାରତ ଏବେ ଦ୍ୱିତୀୟ ଟେଷ୍ଟ(Test Cricket)ରେ ଏମିତି ଏକ ସ୍ଥିତିରେ ପହଞ୍ଚି ଯାଇଛି, ଯେଉଁଠାରେ ଦଳ ମ୍ୟାଚ୍ ହାରିବାର ଅଧିକ ଆଶଙ୍କା ରହିଛି। କୌଣସି ଚମତ୍କାର ହିଁ ମ୍ୟାଚ୍କୁ ଡ୍ର କରିପାରିବ।
ପ୍ରଥମ ଇନିଂସରେ ପ୍ରଥମ ବୋଲର ପରେ ବ୍ୟାଟର ନିରାଶ କରିଥିଲେ। ବୋଲରମାନେ ଦକ୍ଷିଣ ଆଫ୍ରିକାର ୧୦ ୱିକେଟ ନେଇଥିଲେ ହେଁ ୪୮୯ ରନ ଖର୍ଚ୍ଚ କରିଥିଲେ। ଦକ୍ଷିଣ ଆଫ୍ରିକା ଦେଢ଼ ଦିନରୁ ଅଧିକ ସମୟ ବ୍ୟାଟିଂ କରିଥିଲା। ଏହାର ଜବାବରେ ଭାରତ ଗୋଟିଏ ଦିନ ପୂରା ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନଥିଲା। ମାର୍କୋ ୟାନସେନଙ୍କ ଘାତକୁ ବୋଲିଂ ଯୋଗୁ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା।
୨୮୮ ରନ ପଛରେ ରହିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଫଲୋଅନ ଦେଇ ନଥିଲା। ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ଜଲୱା ଦେଖାଇଥିଲା। ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୨୬୦ ରନ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ଭାରତକୁ ମିଳିଥିଲା ୫୪୯ ରନର ଟାର୍ଗେଟ। ଏହାକୁ ପିଛା କରିବାକୁ ବାହାରିଥିବା ଭାରତୀୟ ଟିମ ୨୭ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
