/odisha-reporter/media/post_attachments/uploads/2021/08/ind-vs-eng-1.jpg)
ind-vs-eng
ଲିଡ୍ସ: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୩୨ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୪ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଏଭଳି ସ୍ଥିତିରେ ଭାରତ ପକ୍ଷେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କାରଣ ମ୍ୟାଚରେ ଆହୁରି ତିନି ଦିନ ସମୟ ବାକି ରହିଛି। ମ୍ୟାଚ୍ ବଞ୍ଚାଇବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅତି କମରେ ଦୁଇ ଦିନ ବ୍ୟାଟିଂ କରିବାକୁ ପଡ଼ିବ। ତା’ଛଡ଼ା ଇଂଲଣ୍ଡ ଭଳି ପିଚରେ ଘରୋଇ ଦଳର ପେସ୍ ଆଟାକକୁ ସାମ୍ନା କରିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଠିକର ପାଠ। ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଥିଲା। ତେଣୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ବ୍ୟାଟ୍ସମ୍ୟାନ୍ ଚ୍ୟାଲେଞ୍ଜିଂ ହେବ।
ମ୍ୟାଚର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ ହରାଇ ୪୨୩ ରନ୍ କରିଥିଲା। ତୃତୀୟ ଦିବସରେ ଇଂଲଣ୍ଡର ଶେଷ ଦୁଇ ୱିକେଟ୍ ନେବାକୁ ଭାରତକୁ ବେଶୀ କଷ୍ଟ କରିବାକୁ ପଡ଼ିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ରେଗ୍ ଓଭରଟନ୍ ୩୨ (୪୨ ବଲ୍, ୬ ଚୌକା) ରନ୍ କରି ମହମ୍ମଦ ଶାମିଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଯଶପ୍ରୀତ ବୁମ୍ରା ଓଲି ରବିନସନ୍ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।
ଏହା ପୂର୍ବରୁ ଦ୍ୱିତୀୟ ଦିବସରେ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ (୧୨୧) ଶତକ ମାରିଥିବା ବେଳେ ଦୁଇ ଓପ୍ନର ଜୋ ବର୍ନସ୍ (୬୧) ଓ ହସୀବ ହମୀଦ (୬୮) ଏବଂ ଡାୱିଡ୍ ମଲାନ୍ (୭୦) ଅର୍ଦ୍ଧଶତକ ହାସଲ କରିଥିଲେ। ସିରିଜରେ ରୁଟଙ୍କର ଏହା ତୃତୀୟ ଥିଲା। ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୁଟ୍ ଶତକ ହାସଲ କରିଥିଲେ। ତେବେ ଆଉଟ୍ ଅଫ୍ ଫର୍ମ ଥିବା ବର୍ନସ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି ଏବଂ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
