Advertisment

ସିରିଜ ମୂଳପୋଛ ପରେ ସବୁ ଭୁଲ ନିଜର ବୋଲି କହିଲେ ରୋହିତ ଶର୍ମା

ଭାରତ ୧୪୭ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ୨୫ ରନରେ ମ୍ୟାଚ୍‌ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଭାରତ ମାଟିରେ ଐତିହାସିକ ବିଜୟ ହାସଲ କରିଛି।

author-image
Hemant Lenka
Rohit

Rohit

ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ୍‌ ୦-୩ରେ ମୂଳପୋଛ ହେବା ପରେ ଭାରତୀୟ ଟିମ ନାଁରେ ଅନେକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ସମସ୍ତେ ଭାରତୀୟ ଟିମର ପ୍ରଦର୍ଶନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଭାରତ ୧୪୭ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ୨୫ ରନରେ ମ୍ୟାଚ୍‌ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଭାରତ ମାଟିରେ ଐତିହାସିକ ବିଜୟ ହାସଲ କରିଛି।

Advertisment

ଏହି ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ସେ ନିଜେ ସବୁ ଭୁଲ କରିଥିବା ମଧ୍ୟ ସର୍ବସମ୍ମୁଖରେ ସ୍ୱୀକାର କରିଛନ୍ତି। ଜଣେ ଅଧିନାୟକ ଓ ବ୍ୟାଟର ଭାବେ ସେ ଆଦୌ ନିଜର ବଳିଷ୍ଠତା ଦେଖାଇ ପାରି ନଥିବା କହିବା ସହ ପରାଜୟର ସବୁ ଦୋଷ ସେ ନିଜ ମୁଣ୍ଡକୁ ମଧ୍ୟ ନେଇଛନ୍ତି। 

ଭାରତ ପ୍ରଥମଥର ପାଇଁ ଘରୋଇ ମାଟିରେ ୨ରୁ ଅଧିକ କୌଣସି ଟେଷ୍ଟ ସିରିଜ୍‌ରେ ମୂଳପୋଛ ହୋଇଛି। ୨୦୧୨ ଡିସେମ୍ବର ଠାରୁ ଘରୋଇ ମାଟିରେ କ୍ରମାଗତ ୧୮ଟି ସିରିଜ ଜିତିଥିବା ଭାରତୀୟ ଟିମକୁ ନ୍ୟୁଜିଲ୍ୟାଣ୍ଡ ମୂଳପୋଛ କରିଦେଇଛି।

Advertisment

ପ୍ରଥମେ ବେଙ୍ଗାଲୁରୁରେ ଭାରତୀୟ ଟିମକୁ ନ୍ୟୁଜିଲ୍ୟାଣ୍ଡ ନିଜର ପେସ୍‌ ବୋଲିଂ ଆଟାକରେ ଘାଇଲା କରିଥିଲା। ଏହାପରେ ପୁଣେରେ ଭାରତୀୟ ଟିମ ସ୍ପିନ ଯାଦୁରେ ଫସିଥିଲା। ଏହାପରେ ମୁମ୍ବାଇରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସ୍ପିନ ବୋଲିଂ ବଳରେ ଭାରତକୁ ହରାଇ ଦେଇଛି।

ମ୍ୟାଚ୍‌ ପରେ ରୋହିତ ଶର୍ମା କହିଛନ୍ତି, “ଏହା ଏକ କଠିନ ସମୟ। ଏହା ଆପଣଙ୍କୁ ଦର୍ଶାଉଛି ଯେ ଜୀବନରେ କିଛି ବି ସହଜ ନୁହେଁ। ଗୋଟି ଦିନ ଆପଣ ପୂରା ଉଚ୍ଚରେ ରହିବେ ଓ ଆଉ ଗୋଟିଏ ଦିନ ଆପଣଙ୍କ ପାଖରେ କିଛି ନଥିବ। ଏହାକୁ ମୁଁ ମୋର ପିଲା ଦିନରୁ ଶିଖି ଆସିଛି।

ଜୀବନ କେବଳ ଉଚ୍ଚ ହୋଇ ନଥାଏ। ଏହା ତଳକୁ ମଧ୍ୟ ଖସିଥାଏ। ଘରୋଇ ମାଟିରେ ୩ଟି ଟେଷ୍ଟ ମ୍ୟାଚ୍‌ ହାରିବା ମୋ କ୍ୟାରିୟରର ସବୁ ଠାରୁ ଖରାପ ସମୟ। ଏହାର ସବୁ ଉତ୍ତରଦାୟିତ୍ୱ ମୁଁ ନିଜେ ଗ୍ରହଣ କରୁଛି। ଏହି ସିରିଜ ଆରମ୍ଭରୁ ଜଣେ ଅଧିନାୟକ ଓ ଜଣେ ଲିଡର ହିସାବରେ ମୁଁ ମୋର ବଳିଷ୍ଠତା ପ୍ରଦର୍ଶନ କରିପାରି ନାହିଁ। ସେହିପରି ଜଣେ ବ୍ୟାଟର ହିସାବରେ ମଧ୍ୟ ମୁଁ ଆଦୌ ଭଲ ଖେଳ ଦେଖାଇ ନାହିଁ। ତେଣୁ ପରାଜୟ ପାଇଁ ମୁଁ ମୋ ନିଜକୁ ଦାୟୀ କରୁଛି।”

ରୋହିତ ଶର୍ମା ରଣନୀତି ପ୍ରସ୍ତୁତ କରିବାରେ ତ୍ରୁଟି ଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି। ବେଙ୍ଗାଲୁରୁ ସ୍ଥିତି ପ୍ରଥମ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ କରିବା ଓ ସ୍କୋର ବୋର୍ଡରେ ରନ ଯୋଡ଼ିବା ଯୋଗୁ ସ୍ଥିତି ଆଜି ୦-୩ ବୋଲି ସେ କହିଛନ୍ତି।

ରୋହିତ କହିଛନ୍ତି, “‌ଆମକୁ ପ୍ରୋଆକ୍ଟିଭ ହେବାକୁ ପଡ଼ିବ। ବିଗତ ୩ରୁ ୪ ବର୍ଷ ହେଲାଣି ଆମେ ଏପରି ପିଚ୍‌ଗୁଡ଼ିକରେ ଖେଳି ଆସୁଛୁ। ଏହା ଏକ ଦୁର୍ଭାଗ୍ୟଜନକ ସିରିଜ ଯେଉଁଠାରେ ଆମେ କିଛି ନିର୍ଦ୍ଦିଷ୍ଟ ରଣନୀତି କରିଥିଲେ ମଧ୍ୟ , ତା’ହା ସଫଳ ହୋଇନାହିଁ।

କ୍ୟାପ୍ଟେନ ଭାବେ ଦଳର ନେତୃତ୍ୱ ନେବା କିମ୍ବା ବ୍ୟାଟର ଭାବେ ବ୍ୟାଟିଂ କରିବାରେ ମୁଁ ଆଦୌ ଭଲ ପ୍ରଦର୍ଶନ କରିପାରି ନାହିଁ। ସାମୂହିକ ଭାବେ ଗୋଟିଏ ୟୁନିଟ ଭାବେ ପ୍ରଦର୍ଶନ କରିବାରେ ବିଫଳ ହୋଇଛୁ।”

Rohit Sharma Test Cricket Test Match