Advertisment

ବିଜୟରୁ ଭାରତର ଅଭିଯାନ ଆରମ୍ଭ, ୬ ୱିକେଟ୍‌ରେ ଜିତିଲା

ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଅଦ୍ୟତନ ହୋଇଛି
Rinku

Rinku

Advertisment

ଆଜି ଠାରୁ ଆରମ୍ଭ ହୋଇଛି ଭାରତ ଓ ଆଫଗାନିସ୍ତାନ ମଧ୍ୟସ୍ଥ ୩ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌। ମୋହାଲିରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୬ ୱିକେଟରେ ବିଜୟୀ ହୋଇଛି। ଆଫଗାନିସ୍ତାନ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିବା ବେଳେ ଭାରତ ୧୭.୩ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। 

Advertisment

ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆଫଗାନିସ୍ତାନ ପାଇଁ ଓପନର ରହମାନୁଲ୍ଲାହ ଗୁରବାଜ ଓ ଅଧିନାୟକ ଇବ୍ରାହିମ ଜାଦରାନ ଏକ ଭଲ ଆରମ୍ଭ ଦେବାକୁ ପ୍ରୟାସ କରିଥିଲେ। ତେବେ ଦଳୀୟ ସ୍କୋର ୫୦ରେ ପହଞ୍ଚିଥିବା ବେଳେ ଦୁହେଁ ଆଉଟ୍ ହୋଇଯାଇଥିଲେ। ୭.୬ ଓଭରରେ ଗୁରବାଜ ଓ ୮.୨ ଓଭରରେ ଜାଦରାନ ଆଉଟ୍ ହୋଇଯାଇଥିଲେ। ଗୁରବାଜ ୨୩ ରନ୍ କରିଥିବା ବେଳେ ଜାଦରାନ ୨୫ ରନ୍ କରିଥିଲେ। ଅଜମତୁଲ୍ଲାହ ଉମରଜଈଙ୍କ ୨୯ ଓ ମହମ୍ମଦ ନବିଙ୍କ ୪୨ ରନ୍ ଫଳରେ ଦଳର ସ୍କୋର ୨୦ ଓଭରରେ ୧୫୮ରେ ପହଞ୍ଚିଥିଲା। ନାଜିବୁଲ୍ଲାହ ଜାଦରାନ ଅପରାଜିତ ୧୯ ରନ୍ କରିଥିଲେ।

ଭାରତ ପକ୍ଷରୁ ମୁକେଶ କୁମାର ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶିବମ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ।

Advertisment

୧୫୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ସେ ରନ୍ ଆଉଟ୍ ହୋଇଥିଲେ। ତେବେ ଶୁବମନ ଗିଲ୍ ଓ ତିଲକ ବର୍ମା ଏକ ଭଲ ଆରମ୍ଭ ଦେବାକୁ ପ୍ରୟାସ କରିଥିଲେ। ଶୁବମନ ୧୨ଟି ବଲ୍‌ରୁ ୨୩ ରନ୍ କରି ଓ ତିଲକ ବର୍ମା ୨୨ଟି ବଲ୍‌ରୁ ୨୬ ରନ୍ କରି ଆଉଟ୍ ହୋଇଥିଲେ। ୭୨ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ଶିବମ ଦୁବେ ଓ ଜିତେଶ ଶର୍ମା ବଢ଼ିଆ ଖେଳ ପ୍ରଦର୍ଶନ କରିଥିଲେ। ଜିତେଶ ୨୦ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୩୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ରିଙ୍କୁ ସିଂହଙ୍କୁ ସାଥୀ କରି ଖେଳିଥିଲେ ଶିବମ ଦୁବେ। ଦୁହେଁ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।

ଶିବମ ଦୁବେ ୪୦ଟି ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୬୦ ରନ୍ କରିଥିବା ବେଳେ ରିଙ୍କୁ ସିଂହ ୯ଟି ବଲ୍‌ରୁ ୧୬ ରନ୍ କରିଥିଲେ। ଶିବମ ଦୁବେଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।  ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍ ରହମାନ ୨ଟି ୱିକେଟ୍ ନେଇଥିବା ବେଳେ ଅଜମତୁଲ୍ଲାହ ଉମରଜଈ ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe