ମ୍ୟାଚ୍ ପରେ ଜେମିମା
ଭାରତୀୟ ମହିଳା ଟିମ(Indian Women Cricket Team)ର ଷ୍ଟାର ବ୍ୟାଟର ଜେମିମା ରଡ୍ରିଗ୍ସ ତାଙ୍କ କ୍ରିକେଟର କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଦିନିକିଆ ବିଶ୍ୱକପ ସେମି ଫାଇନାଲରେ ବିଶାଳ ତଥା ରେକର୍ଡ ୩୩୯ ରନକୁ ଜେମିମାଙ୍କ ଇନିଂସ ବଳରେ ଭାରତ ଚେଜ କରି ପାରିଛି।
ଜେମିମା ଅପରାଜିତ ୧୨୭ ରନର ଇନିଂସ ଖେଳି ଭାରତକୁ ମହିଳା ଦିନିକିଆ ବିଶ୍ୱକପ(ODI World Cup)ର ଫାଇନାଲରେ ପ୍ରବେଶ କରାଇଛନ୍ତି। ୧୩୪ ବଲରେ ୧୨୭ ରନର ଇନିଂସ ଖେଳିଥିବେ ଜେମିମା ୧୪ଟି ଚୌକା ମାରିଛନ୍ତି। ସେ ଅଧିନାୟକ ହରମନପ୍ରୀତ କୌର(୮୯)ଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ମ୍ୟାଚ୍ ବିଜୟୀ ୧୬୭ ରନର ଭାଗିଦାରୀ ମଧ୍ୟ କରିଥିଲେ।
ମ୍ୟାଚ ବିଜୟୀ ଇନିଂସ ପରେ ଜେମିମାକୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ମ୍ୟାଚ୍ ଜିତିବା ପରେ ଜେମିମା ନିଜ ଆଖିରୁ ଲୁହକୁ ଅଟକାଇ ପାରି ନଥିଲେ। ସେ ଷ୍ଟାଡିୟମରେ ଉପସ୍ଥିତ ଥିବା ନିଜର ବାପା ମା’ଙ୍କୁ କୃତଜ୍ଞତା ଜଣାଇବା ସହ କାନ୍ଦିକାନ୍ଦି ନିଜ ମନର ବ୍ୟଥା ପୂରା ବିଶ୍ୱକୁ ଜଣାଇଛନ୍ତି।
ଏହି ଇନିଂସ ପୂର୍ବରୁ ଜେମିମା ପ୍ରାୟ ସବୁ ଦିନ କାନ୍ଦୁଥିଲେ। ଅନେକ ଘାତପ୍ରତିଘାତର ସାମ୍ନା ତାଙ୍କୁ କରିବାକୁ ପଡ଼ିଥିଲା। ଏକଦା ତାଙ୍କୁ ବିଶ୍ୱକପର ଗୋଟିଏ ମ୍ୟାଚ୍ରୁ ଡ୍ରପ୍ ମଧ୍ୟ କରିଦିଆଯାଇଥିଲା ବୋଲି ଜେମି କହିଛନ୍ତି।
ସେ କହିଛନ୍ତି, “ମୁଁ ଜେସସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଏକାକୀ ଏପରି କେବେ ହେଲେ କରିପାରି ନଥାଆନ୍ତି। ମୁଁ ମୋ ବାପା, ମା’ ଓ ମୋ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଚଳିତ ମାସ ବେଶ କଷ୍ଟକର ଥିଲା। ଏବେ ସବୁକିଛି ସ୍ୱପ୍ନ ଭଳି ଲାଗୁଛି ଓ ଏହା ଏବେ ବି ବୁଝାପଡ଼ୁନି।”
ଗୁରୁବାର ସେମିରେ ହଠାତ୍ ଜେମିମାଙ୍କୁ ନମ୍ବର ୩ରେ ବ୍ୟାଟିଂ କରିବାକୁ କୁହାଯାଇଥିଲା ବୋଲି ମଧ୍ୟ ସେ ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ଜାଣି ନଥିଲି ଯେ ୩ ନମ୍ବରରେ ବ୍ୟାଟିଂ କରିବି। ଫିଲ୍ଡିଂ ପରେ ମୁଁ ଗାଧୋଉଥିଲି ଓ ମୋତେ ଜଣେଇବାକୁ କହିଥିଲି। ପଡ଼ିଆକୁ ଯିବାର ୫ ମିନିଟ ପୂର୍ବରୁ ମୋତେ ୩ ନମ୍ବରରେ ବ୍ୟାଟିଂ କରିବା କଥା କୁହାଯାଇଥିଲା।
ଏହା ମୋ ପାଇଁ ନୁହେଁ। ମୁଁ ଭାରତ ପାଇଁ ମ୍ୟାଚ୍ ଜତିବାକୁ ଚାହୁଁଥିଲି। ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମେ ମ୍ୟାଚ୍ ହାରିଥିଲୁ। ଆଜି ମୋ ୫୦ କିମ୍ବା ଶତକ କଥା ନଥିଲା। ଆଜି କେବଳ ଭାରତକୁ ମ୍ୟାଚ୍ ଜିତାଇବାର ସମୟ ଥିଲା। ଏହି ବିଜୟ ପାଇଁ ସବୁ କିଛି ଘଟିଥିଲା। ସବୁ କିଛି ଲାଗାତର ହୋଇଥିଲା। ମୁଁ କିଛି ବି ନିୟନ୍ତ୍ରଣ କରିପାରି ନଥିଲି। ଟିମରୁ ଡ୍ରପ୍ ହୋଇଥିଲି।
ମୁଁ ପ୍ରାୟ ସବୁଦିନ ଏହି ଟୁର୍ଣ୍ଣାମେଣ୍ଟରେ କାନ୍ଦିଛି। ମୁଁ ମାନସିକ ସ୍ତରରେ ମଧ୍ୟ ଭଲ ନଥିଲି। ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ସବୁ କିଛି ପରେ ବି ମୋତେ କିଛି କରିବାର ଥିଲା। ବାକି ସବୁ କିଛି ଭଗବାନ ବୁଝିବେ। ପ୍ରଥମେ ମୁଁ ଖେଳୁଥିଲି ଓ ନିଜ ସହ କଥା ହେଉଥିଲି।
ଶେଷ ଭାଗରେ ମୁଁ ବାଇବେଲରେ ଥିବା କିଛି କଥାକୁ କହୁଥିଲି। କେବଳ ଦୃଢ଼ ଭାବେରେ ଛିଡ଼ା ହେବାର ଥିଲା ଓ ଭଗବାନ ମୋ ପାଇଁ ଲଢ଼େଇ କରିବେ। ମୁଁ ସେଠାରେ ଛିଡ଼ା ହୋଇଥିଲି ଓ ସେ(ଭଗବାନ) ମୋ ପାଇଁ ଲଢ଼ିଥିଲେ।
ମୋ ଭିତରେ ଅନେକ କିଛି ରହିଥିଲା। କିନ୍ତୁ ମୁଁ କେବଳ ଶାନ୍ତ ରହିଥିଲି। ଭାରତ ୫ ୱିକେଟରେ ଜିତିବାର ଦେଖିବା ପରେ ମୁଁ ନିଜକୁ ଅଟକାଇ ପାରି ନଥିଲି। ଯେତେବେଳେ ହ୍ୟାରୀ ଦି(ହରମନପ୍ରୀତ କୌର) ଆସିଥିଲେ ସେତେବେଳେ କେବଳ ଗୋଟିଏ ଭଲ ଭାଗିଦାରୀର ଆବଶ୍ୟକ ଥିଲା। ଶେଷ ଭାଗରେ ମୁଁ ନିଜକୁ ଆଗକୁ ନେବାକୁ ଚାହିଁଥିଲି, ହେଲେ ମୁଁ ପାରି ନଥିଲି। ଦୀପ୍ତି ଶର୍ମା ପ୍ରତିଟି ବଲ ପରେ ମୋ ସହ କଥା ହୋଇଥିଲେ ଓ ସେ ମୋତେ ଉତ୍ସାହିତ କରିଥିଲେ।
ଯେତେବେଳେ ମୁଁ କିଛି ପାରେନାହିଁ ମୋ ଦଳର ସଦସ୍ୟମାନେ ମୋତେ ଉତ୍ସାହିତ କରନ୍ତି। ମୁଁ କୌଣସି ଜିନିଷର ଶ୍ରେୟ ନେବାକୁ ଚାହୁଁନାହିଁ। ମୁଁ ନିଜେ ନିଜେ କିଛି କରିନାହିଁ। ମୁଁ ଏକଦା ଟିମରୁ ଡ୍ରପ ହୋଇଥିଲି। ୨୦୨୨ ବିଶ୍ୱକପ ପୂର୍ବରୁ ମୁଁ ଦଳରୁ ବାଦ ପଡ଼ିଥିଲି। ତଥାପି ମୁଁ କିଛି କରିବାକୁ ପଣ କରି ସଂଘର୍ଷ କରିଥିଲି।”
ଷ୍ଟାଡିୟମରେ ଗୁରୁବାର ସେମି ଫାଇନାଲ ଦେଖିବାରୁ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଜେମିମା ମୁମ୍ବାଇର ହୋଇଥିବାରୁ ଦର୍ଶକ ତାଙ୍କୁ ଅଧିକ ଉତ୍ସାହ ଦେଇଥିଲେ। ସେମାନଙ୍କୁ ଜେମିମା ହାତ ଯୋଡ଼ି ସଲାମ କରିଛନ୍ତି।
ଜେମିମା ପ୍ରଥମଥର ମହିଳା ଦିନିକିଆ ବିଶ୍ୱକପ(Women Cricketers) ୨୦୨୫ରେ ଖେଳୁଛନ୍ତି। ଏହା ତାଙ୍କ ଦିନିକିଆ ବିଶ୍ୱକପର ପ୍ରଥମ ଶତକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/31/jemimah-rodrigues-2025-10-31-10-35-04.jpg)