/odisha-reporter/media/post_attachments/uploads/2022/02/langer.jpg)
langer
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଶନିବାର ହଠାତ୍ ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ସମ୍ପର୍କରେ ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।
ତାଙ୍କ କୋଚିଂରେ ଅଷ୍ଟ୍ରେଲିଆ ନିକଟରେ ଇଂଲଣ୍ଡକୁ ଆଶେସ ସିରିଜରେ ୪-୦ରେ ପରାସ୍ତ କରିଥିଲା। ଏହାପୂର୍ବରୁ ଦଳ ଟି-୨୦ ବିଶ୍ୱକପ ଜିତିବାର ଗୌରବ ପାଇଥିଲା। ତେବେ ହଠାତ୍ ୫୧ ବର୍ଷୀୟ ଲାଙ୍ଗର କାହିଁକି ମୁଖ୍ୟ କୋଚ୍ ପଦ ଛାଡ଼ିଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କୁହାଯାଉଛି କିଛି ଖେଳାଳି ଓ କ୍ରିକେଟ ଅଷ୍ଟ୍ରେଲିଆର ଗଭର୍ଣ୍ଣିଂ ବଡି ସହ ଲାଙ୍ଗରଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ଏଥିପାଇଁ ଶୁକ୍ରବାର ଲାଙ୍ଗରଙ୍କ ଭବିଷ୍ୟତକୁ ନେଇ ବୋର୍ଡ ବୈଠକ କରିଥିଲା। ବୈଠକରେ ଲାଙ୍ଗର ଓ ବୋର୍ଡ ମଧ୍ୟରେ ନୂଆ ଡିଲ୍ ଚୂଡ଼ାନ୍ତ ହୋଇପାରି ନଥିଲା। ଏହି କାରଣରୁ ସେ ଶନିବାର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେହିପରି ଅନେକ ସଫଳତା ସତ୍ତ୍ୱେ ଲାଙ୍ଗର ସହ କ୍ରିକେଟ ଅଷ୍ଟ୍ରେଲିଆ ସ୍ୱଳ୍ପ ସମୟର ଚୁକ୍ତି କରିବାକୁ ପ୍ରସ୍ତାବ ରଖିଥିଲା। ଯାହା ତାଙ୍କୁ ଆଘାତ ଦେଇଥିବା ମଧ୍ୟ ଜଣାପଡ଼ିଛି।
ସ୍ପୋର୍ଟସ ମ୍ୟାନେଜମେଣ୍ଟ କମ୍ପାନୀ DSEG କହିଛି ଯେ “ଆମର କ୍ଲାଇଣ୍ଟ ଜଷ୍ଟିସ ଲାଙ୍ଗର ଆଜି ସକାଳେ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି।” କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଲାଙ୍ଗର ଇସ୍ତଫା ଦେଇଥିବା କଥା ସ୍ୱୀକାର କରିଛି। ହେଲେ କୌଣସି ବିଧିବଦ୍ଧ ବିବୃତି ଏଯାଏ ଜାରି କରିନି।
୨୦୧୮ରେ ଲାଙ୍ଗର କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ହୋଇଥିଲେ। ଏହି ସମୟରେ ଦଳର ଏକାଧିକ ଖେଳାଳି ଚିଟିଂ ଜନିତ ସମସ୍ୟାରେ ଫସିଥିଲେ। ଦଳର ପ୍ରଦର୍ଶନ ମଧ୍ୟ ଦିନକୁ ଦିନ ନିମ୍ନଗାମୀ ହେଉଥିଲା। ଏହା ସତ୍ତ୍ୱେ ସେ ଦଳକୁ ସମ୍ଭାଳି ଆଗକୁ ନେଇଥିଲେ। ତାଙ୍କ ଅଧୀନରେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛି। ସେହିପରି ଟି-୨୦ ବିଶ୍ୱକପ ଓ ଆଶେସ ସିରିଜ ମଧ୍ୟ ଜିତିଥିଲା।
ଲାଙ୍ଗର କୋଚ ହେବା ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ୧୯୯୩ରୁ ୨୦୦୭ ଯାଏ ଖେଳିଥିଲେ। ଏହି ସମୟରେ ସେ ୧୦୫ ଟେଷ୍ଟରେ ୨୩ ଶତକ ସହ ୭,୬୯୬ ରନ୍ ହାସଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
