ବିଜୟ ପରେ ଭାରତୀୟ ଟିମ
ମହିଳା ଦିନିକିଆ ବିଶ୍ୱକପରେ ଭାରତର ଐତିହାସିକ ବିଜୟ। ରେକର୍ଡ ୩୩୯ ରନର ପିଛା କରି ଭାରତୀୟ ମହିଳା ଟିମ ୫ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଟିମର ଷ୍ଟାର ବ୍ୟାଟର ଜେମିମା ରଡ୍ରିଗ୍ସ ଅପରାଜିତ ୧୨୭ ରନର ଇନିଂସ ଖେଳି ଭାରତକୁ ଫାଇନାଲ ଟିକେଟ ଦେଇଛନ୍ତି।
ଜେମିମା ଓ ଅଧିନାୟକ ହରମନପ୍ରୀତ କୌର(୮୯) ତୃତୀୟ ୱିକେଟ ପାଇଁ ୧୬୭ ରନର ଭାଗିଦାରୀ କରି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲେ। ଏହି ଦମଦମାର ପାର୍ଟନଶିପ ଯୋଗୁ ଭାରତୀୟ ମହିଳା ଟିମ ୯ ବଲ ପୂର୍ବରୁ ରେକର୍ଡ ୩୩୯ ରନର ଟାର୍ଗେଟକୁ ହାସଲ କରି ନେଇଛି। ଅମନଜୋତ୍ କୌର ବିଜୟ ଚୌକା ମାରିବା କ୍ଷଣି ଇତିହାସ ପୃଷ୍ଠାରେ ଭାରତ ନିଜ ନାଁ ଲେଖି ଦେଇଛି।
ଏବେ ପ୍ରଥମଥର ପାଇଁ ଫାଇନାଲକୁ ଯାଇଥିବା ଦକ୍ଷିଣ ଆଫ୍ରିକାକୁ ଟାଇଟଲ ଟକ୍କରରେ ଭେଟିବ ଭାରତ। ୨୫ ବର୍ଷ ପରେ ମହିଳା ଦିନିକିଆରେ ବିଶ୍ୱକପୁ ନୂଆ ବିଜେତା ମଧ୍ୟ ମିଳିବେ। ଭାରତ କିମ୍ବା ଦକ୍ଷିଣ ଆଫ୍ରିକା କେବେ ବି ବିଶ୍ୱକପ ତୋଳି ଧରିବାର ସୁଯୋଗ ପାଇ ନାହାନ୍ତି। ଉଭୟ ଦଳ ଟ୍ରଫି ଦଖଲ କରିବାକୁ ରବିବାର ଜୋରଦାର ଉଦ୍ୟମ କରିବେ।
ଭାରତ ଦ୍ୱିତୀୟ ସେମି ଫାଇନାଲ ଜିତିବା ସହ ଦିନିକିଆ ବିଶ୍ୱକପରେ ପୂର୍ବରୁ ରହିଥିବା ଅନେକ ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଛି।
୧- ମହିଳା ଦିନିକିଆରେ ଏହା ସବୁଠାରୁ ବଡ଼ ରନ ଚେଜ। ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। ଚଳିତ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ୩୩୧ ରନର ଟାର୍ଗେଟକୁ ଭାରତ ବିପକ୍ଷରେ ଚେଜ କରି ନେଇଥିଲା।
୨- ପ୍ରଥମଥର ପାଇଁ ଉଭୟ ମହିଳା ଓ ପୁରୁଷ ଦିନିକିଆ ବିଶ୍ୱକପ(ODI World Cup) ନକଆଉଟ ମ୍ୟାଚ୍ରେ କୌଣସି ଟିମ ୩୦୦ କିମ୍ବା ତା’ ଠାରୁ ରୁ ଅଧିକ ରନ ଚେଜ କରିଛି। ପୂର୍ବରୁ ଦିନିକିଆ ବିଶ୍ୱକପରେ ସର୍ବାଧିକ ରନ ଚେଜ୍ ୨୯୮ ରହିଥିଲା। ୨୦୧୫ ପୁରୁଷ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ୨୯୮ ରନର ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା। କିନ୍ତୁ ୩୦୦ରୁ ଅଧିକ ରନ କେବେ ବି ଚେଜ ହୋଇ ନଥିଲା।
୩- ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ କୌଣସି ମ୍ୟାଚ୍ରେ ୬୭୯ ରନ ହୋଇଛି। ଗୁରୁବାର ସେମିରେ ଅଷ୍ଟ୍ରେଲିଆ ୩୩୮ ରନ କରିଥିବା ବେଳେ ଭାରତ ୩୪୧ ରନ କରି ବିଜୟ ହୋଇଛି। ଉଭୟ ଦଳର ସ୍କୋରକୁ ମିଶାଇଲେ ୬୭୯ ହେଉଛି। ପୂର୍ବରୁ ଏତେ ରନ ୨୦୧୭ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା। ଉଭୟ ଦଳ ବ୍ରିଷ୍ଟଲରେ ୬୭୮ ରନ କରିଥିଲେ।
୪- ମହିଳା ବିଶ୍ୱକପର କୌଣସି ନକଆଉଟ ମ୍ୟାଚ୍ରେ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ଫୋବ ଲିଚଫିଲ୍ଡ ସର୍ବକନିଷ୍ଠ ଖେଳାଳି। ସେ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।
୫- ୨୦୧୭ ବିଶ୍ୱକପ ସେମି ଭଳି ୨୦୨୫ ବିଶ୍ୱକପ ସେମିରେ ଭାରତ ହିଁ ଏକମାତ୍ର ଟିମ ଯିଏ ଅଷ୍ଟ୍ରେଲିଆକୁ ହରାଇ ପାରିଛି। ୨୦୨୨ରୁ ୨୦୨୫ ମଧ୍ୟରେ ଅଷ୍ଟ୍ରେଲିଆ ବିଶ୍ୱକପରେ କ୍ରମାଗତ ୧୫ଟି ମ୍ୟାଚ୍ ଜିତିଥିଲା। ଏବେ ଭାରତ( Indian Women Cricket Team) ଏହି ବିଜୟ ଧାରାରେ ବ୍ରେକ ଲଗାଇଛି।
୬- ଜେମିମା ରଡ୍ରିଗ୍ସ ବିଶ୍ୱକପର କୌଣସି ନକଆଉଟ ମ୍ୟାଚ୍ର ରନ ଚେଜ୍ରେ ଦ୍ୱିତୀୟ ବ୍ୟାଟର ଭାବେ ଶତକ ହାସଲ କରିଛି। ତାଙ୍କ ପୂର୍ବରୁ ୨୦୨୨ ଫାଇନାଲରେ ଇଂଲଣ୍ଡର ନାଟ ସ୍କିଭର ବ୍ରଣ୍ଟ ଅପରାଜିତ ୧୪୮ ରନର ଇନିଂସ ଖେଳିଥିଲେ।
୭- ଅଷ୍ଟ୍ରେଲିଆ ମହିଳା ବିଶ୍ୱକପରେ ୬ଥର ସେମି ଫାଇନାଲ ଖେଳିଥିବା ବେଳେ ୪ଥର ଜିତିଛି ଓ ୨ ଥର ହାରିଛି। ୨ ପରାଜୟ ଭାରତ ଠାରୁ କଙ୍ଗାରୁ ଟିମକୁ ମିଳିଛି।
୮- ଗୁରୁବାର ସେମି ପୂର୍ବରୁ ମହିଳା ଦିନିକିଆ ବିଶ୍ୱକପରେ ଭାରତୀୟ ମହିଳା ଦଳ କେବେ ବି ୨୦୦ରୁ ଅଧିକ ରନ ସଫଳତାର ସହ ଚେଜ କରି ନଥିଲା।
୯- ମହିଳା ଦିନିକିଆ ବିଶ୍ୱକପର କୌଣସି ନକଆଉଟରେ ଏତେ ବଡ଼ ରନ ଚେଜ କେବେ ବି ଦେଖିବାକୁ ମିଳି ନଥିଲା। ପୂର୍ବରୁ ୨୦୧୭ ସେମିରେ ଇଂଲଣ୍ଡ ୨୧୯ର ଟାର୍ଗେକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା। ୨୧୯ରୁ କେବେ ବି ଅଧିକ ରନ ଚେଜ ହୋଇ ନଥିଲା।
୧୦- ୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ(Women Cricket) ଖେଳା ଯାଉଛି। ସେବେଠାରୁ ୧୨ଟି ବିଶ୍ୱକପ ଫାଇନାଲ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୭ଥର, ଇଂଲଣ୍ଡ ୪ଥର ଓ ନ୍ୟୁଜିଲ୍ୟାଣ୍ଡ ଥରେ ଟ୍ରଫି ଜିତିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/31/india-2025-10-31-08-56-53.jpg)