ସର୍ଭେ ରିପୋର୍ଟ: ଭାରତ-ପାକିସ୍ତାନ ଫାଇନାଲ ସପକ୍ଷରେ ନାହାନ୍ତି ଫ୍ୟାନ୍ସ

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ ଭଳି ୨୦୨୨ରେ ମଧ୍ୟ ଟ୍ରଫି ପାଇଁ ପୁଣିଥରେ ଭାରତ-ପାକିସ୍ତାନ ଲଢ଼େଇ କରିବେ କି? କାରଣ ଏସିଆ ମହାଦେଶର ଏହି ଦୁଇ ଶକ୍ତିଶାଳୀ ଦଳ ଫାଇନାଲ ଠାରୁ ମାତ୍ର ଗୋଟିଏ ପାହାଚ ପଛରେ ରହିଛନ୍ତି। ଅର୍ଥାତ ଉଭୟ ଦଳ ସେମି ଫାଇନାଲ ଖେଳିବେ। ପାକିସ୍ତାନ ଟି-୨୦ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଭାରତର ଲଢ଼େଇ ଇଂଲଣ୍ଡ ସହ ହେବ। ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲି ସିଡ୍‌ନୀରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ। […]

india

  • Published: Tuesday, 08 November 2022
  • , Updated: 08 November 2022, 02:07 PM IST

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ ଭଳି ୨୦୨୨ରେ ମଧ୍ୟ ଟ୍ରଫି ପାଇଁ ପୁଣିଥରେ ଭାରତ-ପାକିସ୍ତାନ ଲଢ଼େଇ କରିବେ କି? କାରଣ ଏସିଆ ମହାଦେଶର ଏହି ଦୁଇ ଶକ୍ତିଶାଳୀ ଦଳ ଫାଇନାଲ ଠାରୁ ମାତ୍ର ଗୋଟିଏ ପାହାଚ ପଛରେ ରହିଛନ୍ତି। ଅର୍ଥାତ ଉଭୟ ଦଳ ସେମି ଫାଇନାଲ ଖେଳିବେ। ପାକିସ୍ତାନ ଟି-୨୦ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଭାରତର ଲଢ଼େଇ ଇଂଲଣ୍ଡ ସହ ହେବ।

ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲି ସିଡ୍‌ନୀରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ। ସେହିପରି ଗୁରୁବାର ଆଡିଲେଡ ଓଭାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଲଢ଼େଇ ପୂର୍ବରୁ ଗୋଟିଏ ଗଣମାଧ୍ୟମ ସଂସ୍ଥା ଜନମତ ସର୍ଭେ କରିଛି। ଏହି ସର୍ଭେ ବେଳେ ଏକାଧିକ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କୁ ପଚରା ଯାଇଥିଲା। ଏତିକି ବେଳେ ଅଧିକାଂଶ ଫ୍ୟାନ୍ସ ଚଳିତ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଲଢ଼େଇ ହେବନି ବା ସେମାନେ ଦୁଇ ଦଳର ଫାଇନାଲ ମ୍ୟାଚ୍‌ ଦେଖିବାକୁ ଚାହୁଁ ନଥିବା ମତ ରଖିଛନ୍ତି।

ସଂସ୍ଥା ପକ୍ଷରୁ ପ୍ରଥମ ପ୍ରଶ୍ନ ଥିଲା ଯେ କିଏ ଚଳିତ ବର୍ଷ ବିଶ୍ୱକପ ଜିତିବ?

ସର୍ଭେରେ ସାମିଲ ହୋଇଥିବା ୮୧୨୨ ଜଣ ଲୋକ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତ ସପକ୍ଷରେ ମତ ରଖିଛନ୍ତି। ରୋହିତ ଶର୍ମା ଆଣ୍ଡ କୋ ଚଳିତ ବିଶ୍ୱକପର ଗ୍ରୁପ୍‌ ୨ରେ ୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସେମି ଫାଇନାଲକୁ ଯାଇଛି। ତେଣୁ ଭାରତ ଏଥର ଟ୍ରଫି ଜିତିବ ବୋଲି ୮,୧୨୨ ଜଣ ଆଶା ରଖିଛନ୍ତି।

ଏଯାଏ କୌଣସି ବିଶ୍ୱକପ ଜିତି ନଥିବା ନ୍ୟୁଜିଲ୍ୟାଣ୍ଡ ଚଳିତ ବର୍ଷ ଟ୍ରଫି ଜିତିବ ବୋଲି ୨୦୪୮ ଜଣ ଭୋଟ ଦେଇଛନ୍ତି। ୨୦୦୯ରେ ଟି-୨୦ ବିଶ୍ୱକପ ଜିତିଥିବା ପାକିସ୍ତାନ ଟାଇଟଲ ହାତେଇବ ବୋଲି ୧୦୩୩ ଜଣ ଓ ଇଂଲଣ୍ଡ ସପକ୍ଷରେ ୧୦୦୬ ଜଣ ଭୋଟ ଦେଇଛନ୍ତି।

କ’ଣ ଭାରତ-ପାକିସ୍ତାନ ଟ୍ରଫି ପାଇଁ ଲଢ଼େଇ କରିବେ?

ଭାରତ-ପାକିସ୍ତାନ ଚଳିତ ବିଶ୍ୱକପରେ ଗୋଟିଏ ଥର ମୁହାଁମୁହିଁ ହୋଇ ସାରିଛନ୍ତି। ଏହି ମ୍ୟାଚ୍‌ରେ ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ପାକିସ୍ତାନକୁ ହରାଇଥିଲା। ଭାରତ-ପାକ୍‌ ମ୍ୟାଚକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏଥର ଅଧିକାଂଶ ଫ୍ୟାନ୍ସ ଚଳିତ ବିଶ୍ୱକପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ୍‌ ସପକ୍ଷରେ ଭୋଟ କରିନାହାନ୍ତି। ସର୍ଭେ ବେଳେ ୭,୯୧୬ ଜଣ ଲୋକ ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବିରୋଧରେ ଭୋଟ ଦେଇଛନ୍ତି। ସେହିପରି ୪,୨୬୮ ଜଣ ଲୋକ ଆସନ୍ତା ୧୩ରେ ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ ବୋଲି କହିଛନ୍ତି।

୨୦୧୯ ଦିନିକିଆ ବିଶ୍ୱକପ ଭଳି ନ୍ୟୁଜିଲ୍ୟାଣ୍ତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ?

୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲା। ଶେଷରେ ସୁପର ଓଭରରେ ଇଂଲଣ୍ଡ ମ୍ୟାଚ୍‌ ଜିତି ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ଏଥର ମଧ୍ୟ କ’ଣ ସେମିତି ସ୍ଥିତି ଉପୁଜିବ କି? ଏହାର ଉତ୍ତରେ ଅଧିକାଂଶ ଫ୍ୟାନ୍ସ ନାରେ ଦେଇଛନ୍ତି। ୧୦,୨୦୩ ଜଣ ଲୋକ ୨୦୧୯ର ପୁନରାବୃତ୍ତି ହେବନି ବୋଲି କହିଥିବା ବେଳେ କେବଳ ୧୯୭୯ ଜଣ ସପକ୍ଷରେ ମତ ରଖିଛନ୍ତି।

ଚଳିତ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ କ’ଣ ଥିଲା?

ଚଳିତ ଟି-୨୦ ବିଶ୍ୱକପରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ତିଜ ଗ୍ରୁପ ଷ୍ଟେଜରେ ସ୍କଟଲ୍ୟାଣ୍ଡ ଠାରୁ ହାରି ସୁପର ୧୨ରେ ପହଞ୍ଚି ପାରି ନଥିଲା। କିନ୍ତୁ ସୁପର ୧୨ରେ ନେଦରଲ୍ୟାଣ୍ଡ୍ସ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପରୁ ବିଦା କରିବା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି ସର୍ଭେ ବେଳେ ଲୋକମାନେ କହିଛନ୍ତି।

୯୫୭୫ ଜଣ ଲୋକ ଏହାକୁ ବିଶ୍ୱକପର ସବୁଠାରୁ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରିଛନ୍ତି। ୧୨୯୧ ଜଣ ଲୋକ ଜିମ୍ବାୱେ ୧ ରନରେ ପାକିସ୍ତାନକୁ ହରାଇବା ବଡ଼ ବିପର୍ଯ୍ୟୟ ବୋଲି କହିଥିବା ବେଳେ ୧୧୦୭ ଜଣ ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟରେ ଆୟର୍ଲ୍ୟାଣ୍ଡକୁ ହରାଇବା ଘଟଣାକୁ ବଡ଼ ବିପର୍ଯ୍ୟୟ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଟି-୨୦ ବିଶ୍ୱକପରେ ଶ୍ରେଷ୍ଠ ଖେଳାଳି କିଏ?

ଚଳିତ ବିଶ୍ୱକପରେ ବିରାଟ କୋହଲି ଏଯାଏ ୫ଟି ମ୍ୟାଚରେ ୨୪୬ ରନ କରି ସାରିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଏଯାଏ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନିଛନ୍ତି। ତାଙ୍କ ପଛକୁ ସୂର୍ଯ୍ୟ କୁମାର ଯାଦବ ୨୨୫ ରନ ସହ ରହିଛନ୍ତି। ତେବେ ଚଳିତ ବିଶ୍ୱକପରେ ଶ୍ରେଷ୍ଠ ଖେଳାଳି ପ୍ରଶ୍ନର ଉତ୍ତରରେ ଲୋକମାନେ ସୂର୍ଯ୍ୟ କୁମାରଙ୍କ ସପକ୍ଷରେ ଅଧିକ ଭୋଟ ଦେଇଛନ୍ତି। ସୂର୍ଯ୍ୟଙ୍କ ସପକ୍ଷରେ ୬,୫୧୯ ଜଣ ଭୋଟ ଦେଇଥିବା ବେଳେ ବିରାଟଙ୍କୁ ୫,୩୩୫ ଜଣ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ୧୫୭ ଭୋଟ ଓ ନେଦରଲ୍ୟାଣ୍ଡ୍ସର ବାସ ଡେ ଲିଡେ ୧୦୦ ଭୋଟ ପାଇଛନ୍ତି।

Related story