Advertisment

ପାକିସ୍ତାନର ଦାବି କେହି ଶୁଣିଲେନି, ୫ ଭେନ୍ୟୁରେ ୯ ମ୍ୟାଚ୍‌ ଖେଳିବ ଦଳ

ଅକ୍ଟୋବର ୨୦ରେ ପାକିସ୍ତାନ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ ଓ ଅକ୍ଟୋବର ୨୭ରେ ଦଳ ଯଥାକ୍ରମେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ଚେନ୍ନାଇରେ ଭେଟିବ।

author-image
Hemant Lenka
Pakistan

Pakistan

ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଆଜି ମ୍ୟାଚ୍‌ ସୂଚୀ ଜାରି ହୋଇଛି। ରାଉଣ୍ଡ ରବିନ ଫର୍ମାଟରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ। ପାକିସ୍ତାନ ଏଠାକୁ ଆସିବା ନେଇ ସସପେନ୍ସ ଜାରି ରହିଥିବା ବେଳେ ଆଇସିସି କିନ୍ତୁ ମ୍ୟାଚ୍‌ ସୂଚୀ ଜାରି କରି କେଉଁ ଦଳ କେଉଁଠି ଖେଳିବ, ତା’ର ସୂଚନା ଦେଇଛି।

Advertisment

ମ୍ୟାଚ୍‌ ସୂଚୀ ଜାରି ହେବା ପୂର୍ବରୁ ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌ ଗୁଡ଼ିକ ତା’ ପସନ୍ଦର ଭାରତୀୟ ଭେନ୍ୟୁରେ ଖେଳିବାକୁ ଦାବି କରିଥିଲା। ହେଲେ ଏହାକୁ ଆଇସିସି କିମ୍ବା ବିସିସିଆଇ କେହି ବି ଶୁଣି ନାହାନ୍ତି।

ବିଶ୍ୱକପରେ ଭାଗ ନେବାକୁ ଥିବା ୧୦ ଦଳ ୯ଟି ଲେଖାଏ ଲିଗ ମ୍ୟାଚ ଖେଳିବେ। ଅଧିକାଂଶ ଦଳ ୯ଟି ମ୍ୟାଚ୍‌ ୯ଟି ଭେନ୍ୟୁରେ ଖେଳିବେ। ହେଲେ ପାକିସ୍ତାନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ପାକିସ୍ତାନ ତା’ର ୯ଟି ଯାକ ଲିଗ୍‌ ମ୍ୟାଚ୍‌ ୫ଟି ଭେନ୍ୟୁରେ ହିଁ ଖେଳିବ। ଭାରତ କିନ୍ତୁ ୯ଟି ଭେନ୍ୟୁରେ ୯ଟି ଲିଗ୍‌ ମ୍ୟାଚ୍‌ ଖେଳିବ।

Advertisment

ଆଇସିସି ଓ ବିସିସିଆଇ ମିଳିତ ଭାବେ ଜାରି କରିଥିବା ଫିକ୍ସଚର ବା ମ୍ୟାଚ୍‌ସୂଚୀ ଅନୁସାରେ, ପାକିସ୍ତାନ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୬ରେ ଆରମ୍ଭ କରିବ। ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦୁଇ ଦଳ ବିପକ୍ଷରେ ମ୍ୟାଚ୍‌ ଅକ୍ଟୋବର ୬ ଓ ଅକ୍ଟୋବର ୧୨ରେ ମ୍ୟାଚ୍‌ ଖେଳିବ।

ଏହି ଦୁଇଟି ଯାକ ମ୍ୟାଚ୍‌ ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ଏହାପରେ ପାକିସ୍ତାନ ଟିମ୍‌ ଭାରତ ବିପକ୍ଷ ଲଢ଼େଇ ପାଇଁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ମହାମୁକାବିଲା ହେବ।

ଅକ୍ଟୋବର ୨୦ରେ ପାକିସ୍ତାନ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ ଓ ଅକ୍ଟୋବର ୨୭ରେ ଦଳ ଯଥାକ୍ରମେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ଚେନ୍ନାଇରେ ଭେଟିବ।

ପିସିବି ମ୍ୟାଚ୍‌ସୂଚୀ ପୂର୍ବରୁ ଆଇସିସି ଆଗରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଯଥାକ୍ରମେ ଚେନ୍ନାଇ ଓ ବେଙ୍ଗାଲୁରୁରେ ଆୟୋଜନ କରିବାକୁ ପ୍ରସ୍ତାବ ରଖିଥିଲା। ହେଲା ପିସିବିର କୌଣସି ଦାବିକୁ ଆଇସିସି ଗ୍ରହଣ କରିନାହିଁ। ତେଣୁ ପାକିସ୍ତାନକୁ ଆଇସିସି ହିସାବରେ ହିଁ ମ୍ୟାଚ୍‌ ଖେଳିବାକୁ ପଡ଼ିବ।

ଅକ୍ଟୋବର ୩୧ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ପାକିସ୍ତାନକୁ କୋଲକାତାର ଇଡେନ ଗାର୍ଡେନକୁ ଯିବାକୁ ପଡ଼ିବ। ଏହାପରେ ଦଳ ପୁଣି ବେଙ୍ଗାଲୁରୁ ଫେରି ନଭେମ୍ବର ୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବାକୁ ହେବ। ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ନଭେମ୍ବର ୧୨ରେ ଖେଳଯିବ। ଶେଷ ଦିନରେ ପାକିସ୍ତାନ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ।

ଯଦି ପାକିସ୍ତାନ ସେମିଫାଇନାଲକୁ ଯାଉଛି, ତା’ହେଲେ ଦଳକୁ କୋଲକାତାରେ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ସେହିପରି ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ମଧ୍ୟରେ ପାକିସ୍ତାନ ଏକାଧିକ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଭାରତରେ ଖେଳିବ।

ମୋଟ ୧୦ଟି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚ୍ ୪୬ ଦିନ ଧରି ଖେଳାଯିବ। ସେହି ସ୍ଥାନ ଗୁଡ଼ିକ ହେଉଛି- ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା। ଗୌହାଟୀ, ଥିରୁଅନନ୍ତପୁରମ ଓ ହାଇଦ୍ରାବାଦରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ୱାର୍ମ-ଅପ୍ ମ୍ୟାଚ୍ ଅନୁଷ୍ଠିତ ହେବ।

ବିଶ୍ୱକପକୁ ଆଉ ୧୦୦ ଦିନ ବାକି ଥିବା ବେଳେ ମ୍ୟାଚ୍‌ ସୂଚୀ ଆଜି ମୁମ୍ବାଇରେ ରିଲିଜ କରାଯାଇଛି। ତେବେ ୨୦୧୯ରେ ଇଂଲଣ୍ଡରେ ହୋଇଥିବା ବିଶ୍ୱକପ ଓ ୨୦୧୫ରେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ୱକପ ପାଇଁ ୧୨ ମାସ ଆଗରୁ ଫିକ୍ସଚର ଜାରି କରାଯାଇଥିଲା।

Bcci Pakistan ICC ICC Men’s Cricket World Cup 2023