୪୫୦ ୱିକେଟ୍ କ୍ଲବ୍‌ରେ ଅଶ୍ୱିନ, କୁମ୍ବଲେଙ୍କୁ ପଛରେ ପକାଇଲେ

ଅନୀଲ ୯୩ଟି ଟେଷ୍ଟରୁ ୪୫୦ଟି ୱିକେଟ୍ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି

ରବିଚନ୍ଦ୍ରନ ଅଶ୍ୱିନ

  • Published: Thursday, 09 February 2023
  • , Updated: 09 February 2023, 06:54 PM IST

ନାଗପୁରରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍। ଏହି ସିରିଜ୍‌ରେ ୪ଟି ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ରେକର୍ଡ କରିଛନ୍ତି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ। ସେ ଟେଷ୍ଟ୍ କ୍ରିକେଟ୍‌ରେ ୪୫୦ ୱିକେଟ୍ ନେଇଥିବା ବୋଲରଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀଙ୍କୁ ଆଉଟ୍ କରି ସେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି।

ଟେଷ୍ଟରେ ୪୫୦ଟି ୱିକେଟ୍ ନେବାରେ ଅଶ୍ୱିନ ହେଉଛନ୍ତି ଭାରତର ଦ୍ୱିତୀୟ ବୋଲର। ସେହିପରି ଟେଷ୍ଟରେ ଦ୍ରୁତ ୪୫୦ଟି ୱିକେଟ୍ ନେବାରେ ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବୋଲର। ସେ ୮୯ଟି ମ୍ୟାଚ୍‌ ଖେଳି ୪୫୦ଟି ୱିକେଟ୍ ନେଇଥିବା ବେଳେ ଶ୍ରୀଲଙ୍କାର ମୁଥୈୟା ମୁରଲୀଧରନ ୮୦ଟି ମ୍ୟାଚ୍‌ରୁ ୪୫୦ଟି ୱିକେଟ୍ ନେଇଥିଲେ।

ଟେଷ୍ଟରେ ଭାରତୀୟ ବୋଲର ଭାବେ ଅନୀଲ କୁମ୍ବଲେ ସବୁଠୁ ଅଧିକ ୱିକେଟ୍ ନେଇଛନ୍ତି। ତାଙ୍କ ରେକର୍ଡ ଏବେବି ବଜାୟ ରହିଛି। ସେ ୬୧୯ଟି ୱିକେଟ ହାସଲ କରିଛନ୍ତି। ତେବେ ଅନୀଲ ୯୩ଟି ଟେଷ୍ଟରୁ ୪୫୦ଟି ୱିକେଟ୍ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ରେକର୍ଡ ଭାଙ୍ଗଛନ୍ତି।

ଟେଷ୍ଟରେ ସର୍ବାଧିକ ୱିକେଟ୍ ହାସଲ କରିଥିବା ବୋଲରଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ଏବେ ନବମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କାର ମୁଥୈୟା ମୁରଲୀଧନର ୧୩୩ଟି ଟେଷ୍ଟରୁ ୮୦୦ଟି ୱିକେଟ ନେଇଥିବା ବେଳେ ଅଷ୍ଟ୍ରେଲିଆର ସେନ୍ ୱାର୍ଣ୍ଣ ୧୪୫ଟି ଟେଷ୍ଟରୁ ୭୦୮, ଇଂଲଣ୍ଡର ଜେମ୍‌ସ ମାଇକେଲ୍ ଆଣ୍ଡରସନ୍ ୧୭୭ଟି ଟେଷ୍ଟରୁ ୬୭୫, ଅନୀଲ କୁମ୍ବଲେ ୧୩୨ଟି ଟେଷ୍ଟରୁ ୬୧୯, ଷ୍ଟୁଆର୍ଟ ବ୍ରୋଡ୍ ୧୫୯ଟି ଟେଷ୍ଟରୁ ୫୬୬, ଅଷ୍ଟ୍ରେଲିଆର ମ୍ୟାକ୍‌ଗ୍ରାଥ୍ ୧୨୪ଟି ଟେଷ୍ଟରୁ ୫୬୩, ୱେଷ୍ଟଇଣ୍ଡିଜ୍‌ର ୱାଲ୍‌ସ ୧୩୨ଟି ଟେଷ୍ଟରୁ ୫୧୯, ଅଷ୍ଟ୍ରେଲିଆର ନାଥନ ଲିୟନ ୧୧୬ଟି ଟେଷ୍ଟରୁ ୪୬୦ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୮୯ଟି ଟେଷ୍ଟରୁ ୪୫୨ଟି ୱିକେଟ୍ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ୩ଟି, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।  ସେହିଭଳି ଭାରତ ପ୍ରଥମ ଇନିଂସରେ ୭୭ ରନ୍ କରି ଗୋଟିଏ ୱିକେଟ୍ ହରାଇଛି। ଆସନ୍ତାକାଲି ଦଳ ପୁଣି ତା’ର ପାଳିକୁ ଆଗେଇ ନେବ। 

Related story