Advertisment

ଟି-ଟ୍ୱେଣ୍ଟିରୁ ଅବସର ନେଲେ ରୋହିତ ଓ ବିରାଟ

ଶନିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା କହିଥିଲେ ଯେ ଏହି ଟ୍ରଫି ଜିତିବା ପାଇଁ ସେ ଖୁବ୍ ବ୍ୟଗ୍ର ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Virat and Rohit

Virat and Rohit

୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ତେବେ ଏହା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ମଧ୍ୟ ଆସିଛି। ଉଭୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ସେମାନଙ୍କର କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି।

Advertisment

ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ।  ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଏହି ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ଏବେ ସମୟ ଆସିଛି ନୂଆ ପିଢ଼ିକୁ ଆଗକୁ ଯିବାର।

Advertisment

ସେହିଭଳି ରୋହିତ ଶର୍ମା କହିଥିଲେ, ଏହା ମୋର ଶେଷ ମ୍ୟାଚ୍‌। ବିଦାୟ ନେବା ପାଇଁ ଏହାଠାରୁ ବଡ଼ ଅବସର ଆଉ କ’ଣ ହୋଇପାରେ। ମୁଁ ଏହି ଟ୍ରଫି ଜିତିବା ପାଇଁ ଖୁବ୍ ବ୍ୟଗ୍ର ଥିଲି। 

ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କେବଳ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି। ସେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ।  

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ ବିରାଟ କୋହଲି। ଆଉ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଟି-ଟ୍ୱେଣ୍ଟି କ୍ୟାରିୟରର ଶେଷ ମ୍ୟାଚ୍‌। ସେ ୧୨୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୧୮୮ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧ ଶତକ ରହିଛି।   

ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଟି-ଟ୍ୱେଣ୍ଟି କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୫୯ଟି ମ୍ୟାଚ୍ ଖେଳି ୪୨୩୧ ରନ୍ ସଂଗ୍ରହ କରିଛନ୍ତି। ତା’ ଭିତରେ ୫ଟି ଶତକ ଓ ୩୨ଟି ଅର୍ଦ୍ଧ ଶତକ ରହିଛି। 

Virat Kohli Rohit Sharma T 20 World Cup