/odisha-reporter/media/media_files/2025/10/25/rohit-2025-10-25-17-14-19.jpg)
ବିରାଟ ଓ ରୋହିତ
ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତର ଏକତରଫା ବିଜୟ। ଅଷ୍ଟ୍ରେଲିଆକୁ ଭାରତ ୯ ୱିକେଟରେ ହରାଇ ଦିନିକିଆ ସିରିଜ ମୂଳପୋଛ କରିବାକୁ ଦେଇନାହିଁ। ୨୩୭ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ୩୮.୩ ଓଭରରେ ମ୍ୟାଚ୍କୁ ଶେଷ କରି ଦେଇଛି।
ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି ଭେଟରାନ ରୋହିତ ଶର୍ମା(Rohit Sharma)। ସେ ୧୦୫ ବଲରେ ଅପରାଜିତ ୧୨୧ ରନର ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୩୩ତମ ଦିନିକିଆ ଶତକ। ତାଙ୍କ ଇନିଂସରେ ନିୟନ୍ତ୍ରଣ, ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ଚେଜକୁ ପିଛା କରିବାର କଳା ରହିଥିଲା।
ତାଙ୍କ ସହ ବିରାଟ କୋହଲି(Virat Kohli) ମଦ୍ୟ ସିଡନୀରେ ନିଜର ଜଲୱା ଦେଖାଇଛନ୍ତି। ସେ ୭୪ ରନର ଇନିଂସ ଖେଳି ନିଜ ରନ ମରୁଡ଼ିରେ ରୋକ ଲଗାଇଛନ୍ତି। ପ୍ରଥମ ଦୁଇଟି ଦିନିକିଆରେ ବିରାଟ ଖାତା ଖୋଲି ପାରି ନଥିଲେ। କିନ୍ତୁ ଆଜି ସେ ରୋହିତଙ୍କ ସହ ମିଶି ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଦୁଇ ଭେଟରାନଙ୍କ ମ୍ୟାଚ୍ ବିଜୟୀ ଇନିଂସ ପରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି।
ରୋକୋଙ୍କ ରେକର୍ଡ ବର୍ଷା
୧- ରୋହିତ ଶର୍ମା ଭାରତର ଦ୍ୱିତୀୟ ବୟସ୍କ ପୁରୁଷ କ୍ରିକେଟର ଭାବେ ୩୮ ବର୍ଷ ୧୭୮ ଦିନ ବୟସରେ ଦିନିକିଆରେ ଶତକ ହାସଲ କରିଛନ୍ତି। ବୟସ୍କ ଖେଳାଳି ଭାବେ ଦିନିକିଆରେ ଶତକ ହାସଲ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୨୦୧୨ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିବ ବେଳେ ତାଙ୍କୁ ୩୮ ବର୍ଷ ୩୨୭ ଦିନ ବୟସ୍କ ହୋଇଥିଲା। ତେବେ ବିଶ୍ୱ କ୍ରିକେଟରେ ବୟସ୍କ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ୟୁଏଇର ଖୁରାମ ଖାନଙ୍କ ନାଁରେ ରହିଛି। ସେ ୪୩ ବର୍ଷ ୧୬୨ ଦିନ ବୟସରେ ଶତକ ମାରିଥିଲେ।
୨- ପୁରୁଷ ଦିନିକିଆରେ ରନକୁ ପିଛା କରିବା ବେଳେ ସଚିନ ତେନ୍ଦୁଲକରଙ୍କ ନାଁରେ ଥିବା ରେକର୍ଡକୁ ବିରାଟ କୋହଲି ଅତିକ୍ରମ କରି ଯାଇଛନ୍ତି। ଚେଜ୍ କରିବା ବେଳେ ସଚିନ ୬୯ ଥର ୫୦ରୁ ଅଧିକ ରନ କରିଥିଲେ। ହେଲେ ଆଜିର ଇନିଂସକୁ ମିଶାଇ ବିରାଟ ୭୦ ଥର ଏପରି କରିପାରିଛନ୍ତି।
୩- ରନ ପିଛା କରିବା ବେଳେ ବ୍ୟକ୍ତିଗତ ୬ ହଜାର ରନ ହାସଲ କରିବାର ରେକର୍ଡ ବିରାଟ ନିଜ ନାଁରେ କରିଛନ୍ତି। ବିରାଟ ଚେଜ କରିବା ବେଳେ ୬୦୭୨ ରନ କରି ସାରିଲେଣି। ୧୨୭ ମ୍ୟାଚ୍ରେ ୫୪୯୦ ରନ ସହ ସଚିନ ଦ୍ୱିତୀୟରେ ରହିଛନ୍ତି।
୪- ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ସଚିନଙ୍କ ଭଳି ବିରାଟ ମଧ୍ୟ ସମାନ ୨୪ ଥର ୫୦ରୁ ଅଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇପାରିଛନ୍ତି।
୫- ଦିନିକିଆ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି ବିରାଟ। ସେ କୁମାର ସାଙ୍ଗାକାରାଙ୍କ ୧୪୨୩୪ ରନକୁ ପଛରେ ପକାଇ ଦେଇଛନ୍ତି। ଏବେ ଦିନିକିଆରେ ବିରାଟଙ୍କ ରନ ୧୪,୨୫୫ ରନରେ ପହଞ୍ଚି ଯାଇଛି। ତାଙ୍କ ଉପରେ ୧୮୪୨୬ ରନ ସହ କେବଳ ସଚିନ ତେନ୍ଦୁଲକର ରହିଛନ୍ତି।
୬- ଦିନିକିଆରେ ମ୍ୟାନ ଅଫ ଦ ସିରିଜ ଜିତିବାରେ ରୋହିତ ସବୁଠାରୁ ବୟସ୍କ କ୍ରିକେଟର ବନିଛନ୍ତି। ସେ ୩୮ ବର୍ଷ ୧୭୮ ଦିନ ବୟସରେ ଆଜି ମ୍ୟାନ ଅଫ ଦି ସିରିଜ ଜିତିଛନ୍ତି। ୩୭ ବର୍ଷ ୧୯୪ ଦିନ ବୟସରେ ମହେନ୍ଦ୍ର ସିଂହ ଓ ସୁନୀଲ ଗାଭାସ୍କର ୩୭ ଦିନ ୧୯୦ ଦିନ ବୟସରେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ।
୭- ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ରୋହିତ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏଯାଏ ୯ଟି ଶତକ ହାସଲ କରି ସାରିଲେଣି। ସଚିନ ତେନ୍ଦୁଲକର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ହାସଲ କରିଥିଲେ। ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଶତକ ହାସଲ କରିଛନ୍ତି।
/filters:format(webp)/odisha-reporter/media/media_files/2025/10/25/rohit1-2025-10-25-17-15-11.jpg)
୮- ଅଷ୍ଟ୍ରେଲିଆରେ ଭ୍ରମଣକାରୀ ବ୍ୟାଟର ଭାବେ ସର୍ବାଧିକ ଶତକ ମାରିବାର ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ସେ ୩୩ଟି ଇନିଂସରେ ୬ଟି ଶତକ ମାରିଥିବା ବେଳେ ତାଙ୍କ ପଛକୁ ୩୨ଟି ଇନିଂସରେ ୫ଟି ଶତକ ସହ ବିରାଟ କୋହଲି ଓ ୪୯ଟି ଇନିଂସରେ ୫ଟି ଶତକ ସହ କୁମାର ସାଙ୍ଗାକାରା ରହିଛନ୍ତି।
୯- ପୁରୁଷ ଦିନିକିଆରେ ଭାରତ ପାଇଁ ସବୁଠାରୁ ଅଧିକ ଥର ୧୫୦ ରନର ଭାଗିଦାରୀ କରିବାର ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ ଓ ରୋହିତ। ୧୨ ଥର ପାଇଁ ଦୁଇ ଜଣଙ୍କ ମଧ୍ୟରେ ୧୫୦ କିମ୍ବା ତା’ଠାରୁ ଅଧିକ ରନର ଭାଗିଦାରୀ ହୋଇଛି। ରୋହିତ ଓ ବିରାଟଙ୍କ ଭଳି ସଚିନ ଓ ସୌରଭ ଗାଙ୍ଗୁଲି ମଧ୍ୟ ୧୨ଥର ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।
୧୦- ରୋହିତ ଶର୍ମା ପ୍ରଥମ ଭାରତୀୟ ଯିଏ ସିଡନୀରେ ଖେଳା ଯାଉଥିବା କୌଣସି ଦିନିକିଆରେ ଦୁଇ ଥର ଶତକ ମାରିଛନ୍ତି। ଏପରି କରି ସେ ସନଥ ଜୟସୁରିୟାଙ୍କ ସମକକ୍ଷ ହୋଇପାରିଛନ୍ତି। ଜୟସୁରିୟା ମଧ୍ୟ ସିଡ୍ନୀରେ ଦୁଇଟି ଶତକ ମାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
