ରୁଟ ଓ ଷ୍ଟାର୍କ
ଆଶେଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଠାରୁ ଗାବାରେ ଆରମ୍ଭ ହୋଇଛି। ପିଙ୍କ ବଲରେ ଖେଳା ଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନରେ ଚମକିଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଇଂଲଣ୍ଡ ବ୍ୟାଟର ଜୋ ରୁଟ। ଅଭିଜ୍ଞ ରୁଟ ଶତକ ହାସଲ କରିଥିଲେ ହେଁ ଷ୍ଟାର୍କଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଇଂଲଣ୍ଡ।
ଷ୍ଟାର୍କ ଏକାକୀ ୬ ୱିକେଟ ଦଖଲ କରିବାରୁ ରୁଟଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସର ପ୍ରଥମ ଦିନରେ ୯ ୱିକେଟ ହରାଇ ୩୨୫ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଟ ୧୩୫ ଓ ଜୋଫ୍ରା ଆର୍ଚର ୩୨ ରନ କରି ଅପରାଜିତ ରହିଛନ୍ତି।
ଷ୍ଟାର୍କ ପ୍ରଥମ ଟେଷ୍ଟ(Test Cricket)ର ପ୍ରଥମ ଇନିଂସରେ ମଧ୍ୟ ୭ ୱିକେଟ ନେଇଥିଲେ। ପର୍ଥରେ ଇଂଲଣ୍ଡ ପ୍ରଥମେ ଇନିଂସରେ ଲିଡ ହାସଲ କରିବା ସତ୍ତ୍ୱେ ଟ୍ରାଭିସ ହେଡଙ୍କ ବିସ୍ଫୋରଣ ଯୋଗୁ ପରାସ୍ତ ହୋଇଥିଲା। ଏବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମଧ୍ୟ ଷ୍ଟାର୍କଙ୍କ ଜଲୱା ଦେଖା ଯାଇଛି। ସେ ମ୍ୟାଚ୍ର ପ୍ରଥମ ଓଭରରେ ହିଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡର ବେନ ଡକେଟ(୦)ଙ୍କୁ ଆଉଟ କରିଥିଲେ। ଏହାପରେ ଓଲି ପୋପ(୦) ତାଙ୍କ ଦ୍ୱିତୀୟ ଶିକାର ବନିଥିଲେ।
ଇଂଲଣ୍ଡ ୫ ରନରେ ୨ଟି ୱିକେଟ ହରାଇଥିଲା। ଏତିକି ବେଳେ ରୁଟ ଓ କ୍ରଉଲୀ ସ୍ଥିତି ସମ୍ଭାଳିଥିଲେ। କ୍ରଉଲୀ ବଡ଼ବଡ଼ ଶଟ ମଧ୍ୟ ଖେଳିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଭଲ ଲୟରେ ଥିବା ବେଳେ ବିପର୍ଯ୍ୟୟ ଘଟାଇଥିଲେ ମାଇକେଲ ନେସେର।
ସେ ୭୬ ରନ କରିଥିବା କ୍ରଉଲୀଙ୍କୁ ଆଉଟ କରି ଇଂଲଣ୍ଡକୁ ତୃତୀୟ ଝଟକା ଦେଇଥିଲେ। ହ୍ୟାରୀ ବ୍ରୁକ ୩୩ ବଲରେ ୩୧ ରନ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ତାଙ୍କ ୱିକେଟ ଷ୍ଟାର୍କଙ୍କ ଖାତାକୁ ଯାଇଛି। ଅଧିନାୟକ ବେନ ଷ୍ଟୋକ୍ସ(୧୯) ଭଲ ଲୟରେ ଥିଲେ ହେଁ ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ।
ୱିକେଟ କିପର ଜେମି ସ୍ମିଥ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ଖାତା ଖୋଲିବା ପୂର୍ବରୁ ସ୍କଟ ବୋଲାଣ୍ଡଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ୱିଲ ଜ୍ୟାକ୍ସ ୧୯ ରନ କରିଥିବା ବେଳେ ଷ୍ଟାର୍କଙ୍କ ୪ର୍ଥ ଶିକାର ବନିଥିଲେ। ଗସ ଅଟକିନସନ(୪) ଓ ବ୍ରାୟଡନ କାର୍ସେ(୦)ଙ୍କୁ ଷ୍ଟାର୍କ ସମାନ ଓଭରରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏଥିସହ ଇଂନିସରେ ନିଜର ୬ଷ୍ଠ ସଫଳତା ହାସଲ କରିଥିଲେ।
ଗୋଟିଏ ପଟେ ୱିକେଟ ଝଡ଼ୁଥିବା ବେଳେ ରୁଟ(Joe Root) ଅନ୍ୟ ପଟେ ଦମଦାର ବ୍ୟାଟିଂ କରି ପ୍ରଥମେ ନିଜର ଶତକ ହାସଲ କରିଥଲେ। ଶେଷ ୱିକେଟ ପାଇଁ ଜୋଫ୍ରା ଆର୍ଚରଙ୍କ ସହ ମିଶି ଦ୍ରୁତ ଗତିରେ କିଛି ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ରୁଟ ଚୌକା ମାରୁଥିବା ବେଳେ ଆର୍ଚର ପ୍ରଥମେ ବୋଲାଣ୍ଡଙ୍କୁ ଗୋଟିଏ ଛକା ମାରିଥିଲେ। ଏହାପରେ ସେ କ୍ୟାଚ ଦେଇଥିଲେ ହେଁ ମାର୍ନସ ଲାବୁଶେନ ଓ ଆଲେକ୍ସ କେରୀଙ୍କ ମଧ୍ୟରେ ତାଳ ମେଳ ଅଭାବରୁ ଏହା ଡ୍ରପ ହୋଇ ଯାଇଥିଲା। ଆର୍ଚର ଓ ରୁଟଙ୍କ ବ୍ୟାଟରୁ କିଛି ବଡ଼ ଶଟ ମଧ୍ୟ ଦେଖିବାକୁ ମିଳିଥିଲା। ଏପରି କି ଉଭୟ ଇଂଲଣ୍ଡର ସ୍କୋରକୁ ୩୦୦ ପାର କରାଇଥିଲେ। ରୁଟ ରିଭର୍ସ ସୁଇପରେ ଛକା ମାରି ନିଜର ଆକ୍ରମଣାତ୍ମକ ରୂପ ମଧ୍ୟ ଦେଖାଇଥିଲେ।
ଆର୍ଚର ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଆର୍ଚର ୨୬ ବଲରେ ୩୨ ଓ ରୁଟ ୧୩୫ ରନ କରିଥିବା ବେଳେ ଅମ୍ପାୟାର ପ୍ରଥମ ଦିନର ଖେଳକୁ ବନ୍ଦ ଘୋଷଣା କରିଥିଲେ। ଇଂଲଣ୍ଡ ଆଜି ୭୪ ଓଭର ବ୍ୟାଟିଂ କରି ୯ ୱିକେଟ ହରାଇ ୩୨୫ ରନ କରିଛି।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ(Mitchell Starc) ସର୍ବାଧିକ ୬ ୱିକେଟ ନେଇଥିବା ବେଳେ ବୋଲାଣ୍ଡ ଓ ନେସେର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟରୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/04/root-2025-12-04-16-42-29.jpg)