Advertisment

IND vs WI: ନୂଆ ଅଧିନାୟକ ଗିଲଙ୍କ ଭାରତ ଜିତିଲା ପ୍ରଥମ ଟେଷ୍ଟ ସିରିଜ୍‌

ଦିଲ୍ଲୀ ପରାଜୟ ସହ ୱେଷ୍ଟଇଣ୍ଡି କ୍ରମାଗତ ୧୦ଟି ଟେଷ୍ଟ ଭାରତ ଠାରୁ ହାରିବାର ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି। ୨୦୦୨ରୁ ୨୦୨୫ ମଧ୍ୟରେ ଦଳ ୧୦ଟି ଟେଷ୍ଟ ଭାରତ ସହ ଖେଳି ସବୁଥିରେ ହାରିଛି।

India

ଟ୍ରଫି ସହ ଭାରତୀୟ ଟିମ

Advertisment

ଅଧିନାୟକ ଭାବେ ପ୍ରଥମ ଟେଷ୍ଟ ସିରିଜ ଜିତିଛନ୍ତି ଶୁବମନ ଗିଲ। ଜୁନ ମାସରେ ଭାରତର ଟେଷ୍ଟ କ୍ୟାପ୍ଟେନ ପଦ ପାଇଥିବା ଗିଲ ଇଂଲଣ୍ଡ ବିପକ୍ଷ ସିରିଜରୁ ନିଜର ଅଭିଯାନ ଆରମ୍ଭ କରିଥିଲେ। ଏହି ସିରିଜ ୨-୨ରେ ଡ୍ର ରହିଥିଲା। କିନ୍ତୁ ଘରୋଇ ମାଟିରେ ଭାରତ ଗିଲଙ୍କ କ୍ୟାପ୍ଟେନ୍ସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନସୁଇପ କରିଛି। 

Advertisment

ପ୍ରଥମ ଟେଷ୍ଟ(Test Cricket)କୁ ଟିମ ଇଣ୍ଡିଆ ଗୋଟିଏ ଇନିଂସ ଓ ୧୪୦ ରନରେ ଜିତିଥିଲା। ଏବେ ଦ୍ୱିତୀୟ ଟେଷ୍ଟକୁ ଦଳ ୭ ୱିକେଟରେ ଜିତି ସିରିଜ କ୍ଲିନସୁଇପ କରିଛି। ଅଭିଜ୍ଞ କେଏଲ ରାହୁଲ ନିଜର ଦମ ଦେଖାଇ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶେଷ ଦିନରେ ଭାରତକୁ ଜିତିବା ପାଇଁ ୫୮ ରନ ଦରକାର ଥିବା ବେଳେ ସାଈ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ ଆଉଟ ହୋଇଥିଲେ। କିନ୍ତୁ ରାହୁଲ ଶେଷ ଯାଏ ଅପରାଜିତ ୫୮ ରନର ଇନିଂସ ଖେଳିବା ସହ ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଛନ୍ତି। 

ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳିବା ବେଶ କଷ୍ଟକର। କାରଣ ଏଠାରେ ବଲ ଟର୍ଣ୍ଣ କରିବା ସହ ତଳୁଆ ରହିଥାଏ। ତଥାପି ରାହୁଲ ନିଜର ଦବଦବା ଦେଖାଇଛନ୍ତି। ରାହୁଲଙ୍କ ଯୋଗୁ ୫ମ ଦିନର ପ୍ରଥମେ ସେସନ୍ସରେ ହିଁ ଭାରତ ମ୍ୟାଚ୍‌କୁ ଜିତି ନେଇଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଇନିଂସରେ ଯଶସ୍ୱୀ ଜୈସୱାଲଙ୍କ ୧୭୫, ଗିଲଙ୍କ ଅପରାଜିତ ୧୨୯, ସୁଦର୍ଶନଙ୍କ ୮୭, ଧ୍ରୁବ ଜୁରେଲଙ୍କ ୪୩ ଓ ରାହୁଲଙ୍କ ୩୮ ରନ ବଳରେ ୫୧୮/୫ରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୨୪୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୫, ରବୀନ୍ଦ୍ର ଜାଡେଜା ୩, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। 

ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ଭାରତର ସ୍କୋର ଠାରୁ ୨୭୦ ରନ ପଛରେ ରହିଥିବାରୁ ଗିଲ ଫଲୋଅନ ଡାକିଥିଲେ। ଲାଗୁଥିଲା ମ୍ୟାଚ୍ ୪ର୍ଥ ଦିନ ସୁଦ୍ଧା ଶେଷ ହୋଇଯିବ। କିନ୍ତୁ ୱେଷ୍ଟଇଣ୍ଡିଜ ଟିମ କଡ଼ା ଟକ୍କର ଦେବା ସହ ମ୍ୟାଚ୍‌କୁ ୫ମ ଦିନକୁ ନେଇଯିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୩୯୦ ରନ କରିବାରୁ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୧୨୧ ରନର ଟାର୍ଗେଟ ମିଳିଥିଲା। 

୪ର୍ଥ ଦିନରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୧୮ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ୬୩ ରନ କରି ନେଇଥିଲା। ଦଳ ବିଜୟ ଠାରୁ ୫୮ ରନ ଦୂରରେ ରହିଥିଲା। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ କେଏଲ ରାହୁଲ ୨୫ ଓ ସାଈ ସୁଦର୍ଶନ ୩୦ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ୧୭୫ ରନ କରିଥିବା ଯଶସ୍ୱୀ ଜୈୱାଲ ୮ ରନ କରି ୪ର୍ଥ ଦିନରେ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ଆଉଟ ହୋଇଥିଲେ। 

ଆଜି ସୁଦର୍ଶନ ଓ ରାହୁଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଗତକାଲିର ସ୍କୋରରେ ଆଉ ୯ ରନ ଯୋଡ଼ି ସୁଦର୍ଶନ ଦିବସର ପ୍ରଥମ ଖେଳାଳି ଭାବେ ରୋଷ୍ଟନ ଚେଜଙ୍କ ଶିକାର ବନିଥିଲେ। ଗିଲ ମଧ୍ୟ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ଚେଜଙ୍କ ଖାତାକୁ ଯାଇଛି।

ଗିଲ ଆଉଟ ହେବା ବେଳକୁ ଭାରତକୁ ଜିତିବା ପାଇଁ ମାତ୍ର ୧୩ ରନ ଦରକାର ଥିଲା। ଇତି ମଧ୍ୟରେ ରାହୁଲ ୧୦୧ ବଲରେ ନିଜ ଟେଷ୍ଟ କ୍ୟାରିୟରରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଜୁରେଲ ସାଥ ଦେଇଥିଲେ। ଉଭୟ ବାକି ରନ ଭାରତ ଖାତାରେ ଯୋଡ଼ି ଦଳକୁ ୭ ୱିକେଟରେ ବିଜୟ ଭେଟି ଦେଇଥିଲେ। ରାହୁଲ ଅପରାଜିତ ୫୮ ଓ ଜୁରେଲ ଅପରାଜିତ ୬ ରନ କରିଛନ୍ତି। 

ମ୍ୟାଚ୍‌ରେ ୮ ୱିକେଟ ଦଖଲ କରିଥିବା କୁଲଦୀପ ଯାଦବ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ନେଇଥିଲେ। ସେହିପରି ପ୍ରଥମ ଟେଷ୍ଟରେ ଶତକ ସହ ସିରିଜରେ ୮ ୱିକେଟ ନେଇଥିବା ରବୀନ୍ଦ୍ର ଜାଡେଜା ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। 

ଏହାପୂର୍ବରୁ ପ୍ରଥମ ଇନିଂସରେ ଫଲୋଅନ ଖାଇଥିବା ୱେଷ୍ଟଇଣ୍ଡିଜ ଦମଦାର ପ୍ରଦର୍ଶନ କରିଥିଲା। ତୃତୀୟ ଦିନ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୭୩ ରନ୍ ସଂଗ୍ରହ କରି ନେଇଥିଲା। ତଥାପି ଦଳ ଭାରତଠାରୁ ୯୭ ରନ୍ ପଛରେ ରହିଥିଲା। ପ୍ରଥମ ଇନିଂସରେ ଇଣ୍ଡିଜ ଟିମ ୨୪୮ ରନ୍‌ରେ ଅଲ୍‌ଆଉଟ୍ ହୋଇଥିବାରୁ ଭାରତକୁ ୨୭୦ ରନ୍‌ର ଅଗ୍ରଣୀ ମିଳିଥିଲା।

ଫଲୋଅନ ଖାଇବା ପରେ ପ୍ରଥମ ଇନିଂସର ଭୁଲ୍‌କୁ ପୁଣି ଦୋହରାଇ ଥିଲା ଇଣ୍ଡିଜ। ଆରମ୍ଭରୁ ଦଳ ଚନ୍ଦ୍ରପଲ(୧୭) ଓ ଅଲିକ ଅଥାଞ୍ଜେ(୧୦)ଙ୍କୁ ହରାଇଥିଲା। ୩୫ ରନରେ ଦୁଇ ୱିକେଟ ହରାଇ ଇନିଂସ ପରାଜୟ ଅଭିମୁଖେ ଯାଇଥିଲା ଦଳ। ହେଲେ କ୍ୟାମ୍ପବେଲ ଓ ଅଭିଜ୍ଞ ସାଇ ହୋପ ଦମଦାର ବ୍ୟାଟିଂ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି କ୍ଷତିରେ ଦଳୀୟ ସ୍କୋରକୁ ୧୭୩ରେ ପହଞ୍ଚାଇ ଦେଇଥିଲେ।

ଆଜି ୪ର୍ଥ ଦିନରେ ଏହି ସ୍କୋରକୁ ଉଭୟ ଆଗକୁ ନେଇଥିଲେ। କ୍ୟାମ୍ପବେଲ ତାଙ୍କ ଟେଷ୍ଟ କ୍ୟାରିୟର(Test Match)ର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୨୧୨ ଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ୧୧୫ ରନ ଆଉଟ ହୋଇଥିଲେ କ୍ୟାମ୍ପବେଲ। ସେ ଏହି ଇନିଂସରେ ୧୨ଟି ଚୌକା ଓ ୩ଟି ଛକା ମାରିଛନ୍ତି। 

କ୍ୟାମ୍ପବେଲ ଆଉଟ ହୋଇଥିଲେ ହେଁ ସାଇ ହୋପ ହାର ମାନି ନଥିଲେ। ସେ ଅଧିନାୟକ ରୋଷ୍ଟନ ଚେଜଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ନିଜର ଶତକ ହାସଲ କରିବା ସହ ପ୍ରଥମେ ଇଣ୍ଡିଜକୁ ଇଂନିସ ପରାଜୟ ଲଜ୍ଜାରୁ ରକ୍ଷା କରିଥିଲେ। ଇଣ୍ଡିଜ ଦ୍ୱିତୀୟ ଇନିଂସରେ ପ୍ରଥମେ ଭାରତର ୨୭୦ ରନ ସୁଝିଥିଲା।

କିନ୍ତୁ ଦଳୀୟ ସ୍କୋର ୨୭୧ ଅର୍ଥାତ ଇଣ୍ଡିଜର ଲିଡ ମାତ୍ର ୧ ରନ ଥିବା ବେଳେ ମହମ୍ମଦ ସିରାଜଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ ହୋପ। ୨୧୪ ବଲରେ ୧୦୩ ରନର ଇନିଂସ ଖେଳିଥିବା ହୋପ ୧୨ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ହୋପଙ୍କ ପରେ ଇଣ୍ଡିଜ ନିୟମିତ ୱିକେଟ ହରାଇବା ଆରମ୍ଭ କରିଥିଲା। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ଆଉ ବେଶୀ ବିପର୍ଯ୍ୟୟ ଘଟାଇବାକୁ ଇଣ୍ଡିଜ ଟିମକୁ କୌଣସି ସୁଯୋଗ ଦେଇ ନଥିଲେ। ଚେଜ(୪୦), ତେଭିନ ଇମଲାଚ(୧୨) ଓ ଖାରୟ ପେର(୦)ଙ୍କ ୱିକେଟ କୁଲଦୀପଙ୍କ ଖାତାକୁ ଯାଇଥିଲା।

ଜଷ୍ଟିସ ଗ୍ରେଭସ ଗୋଟିଏ ପଟୁ ବଡ଼ ଶଟ ଖେଳି ୫୦ ରନ କରିଥିଲେ ହେଁ ଏପଟେ ବୁମ୍ରା ଗୋଟିଏ ପରେ ଗୋଟିଏ ୱିକେଟ ନେଇ ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେ ୱାରିକାନ(୩), ଆଣ୍ଡରସନ ଫିଲିପ ଓ ଶେଷ ବ୍ୟାଟର ଭାବ ୩୨ ରନ କରିଥିବା ଜୟଡେନ ସେଲ୍ସଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଦ୍ୱିତୀୟ ଇନିଂସରେ କୁଲଦୀପ ଓ ବୁମ୍ରା ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା। ଇଣ୍ଡିଜ ଦ୍ୱିତୀୟ ଇନିଂସରେ ୩୯୦ ରନରେ ଅଲଆଉଟ ହେବାରୁ ଭାରତକୁ ଜିତିବା ପାଇଁ ୧୨୧ ରନର ଟାର୍ଗେଟ ମିଳିଥିଲା। ଏହାକୁ ଭାରତ ୩ ୱିକେଟ ହରାଇ ହାସଲ କରିନେଇଛି। 

ଦିଲ୍ଲୀ ପରାଜୟ ସହ ୱେଷ୍ଟଇଣ୍ଡି(India Vs West Indies) କ୍ରମାଗତ ୧୦ଟି ଟେଷ୍ଟ ଭାରତ ଠାରୁ ହାରିବାର ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି। ୨୦୦୨ରୁ ୨୦୨୫ ମଧ୍ୟରେ ଦଳ ୧୦ଟି ଟେଷ୍ଟ ଭାରତ ସହ ଖେଳି ସବୁଥିରେ ହାରିଛି। 

India Vs West Indies Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe