ଭାରତୀୟ ଦଳକୁ କେମିତି ଏଣ୍ଟ୍ରି କଲେ ବିରାଟ୍ କୋହଲି?

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ ପ୍ରତିଭାର ଅଭାବ ନାହିଁ । କେବଳ ସେହି ପ୍ରତିଭାକୁ ଚିହ୍ନଟ ପାଇଁ ଦରକାର ଉପଯୁକ୍ତ ବ୍ୟକ୍ତି। ଆଜି ଆମେ ଏଭଳି ଏକ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ ଭାରତୀୟ କ୍ରିକେଟକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି। ଇଏ ଆଉ କେହି ନୁହନ୍ତି, ବର୍ତ୍ତମାନ ସମୟର ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି। ତେବେ କୋହଲି ଏତେ ସଫଳ କ୍ରିକେଟର କେମିତି ହେଲେ ଏବଂ ଭାରତୀୟ କ୍ରିକେଟ୍ ଟିମରେ କେମିତି ଏଣ୍ଟ୍ରି କଲେ, […]

virat

Ranjit Kumar Jena
  • Published: Tuesday, 07 April 2020
  • , Updated: 07 April 2020, 06:55 PM IST

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ ପ୍ରତିଭାର ଅଭାବ ନାହିଁ । କେବଳ ସେହି ପ୍ରତିଭାକୁ ଚିହ୍ନଟ ପାଇଁ ଦରକାର ଉପଯୁକ୍ତ ବ୍ୟକ୍ତି। ଆଜି ଆମେ ଏଭଳି ଏକ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ ଭାରତୀୟ କ୍ରିକେଟକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି। ଇଏ ଆଉ କେହି ନୁହନ୍ତି, ବର୍ତ୍ତମାନ ସମୟର ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି। ତେବେ କୋହଲି ଏତେ ସଫଳ କ୍ରିକେଟର କେମିତି ହେଲେ ଏବଂ ଭାରତୀୟ କ୍ରିକେଟ୍ ଟିମରେ କେମିତି ଏଣ୍ଟ୍ରି କଲେ, ତାହାର ଖୁଲାସା କରିଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଦିଲ୍ଲୀପ ଭେଙ୍ଗସରକାର। ଭେଙ୍ଗସରକାର ସେହି ବ୍ୟକ୍ତି ଯିଏ କୋହଲିଙ୍କର ପ୍ରତିଭାକୁ ଚିହ୍ନି ପାରିଥିଲେ।

ଭେଙ୍ଗସରକାର ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ବିସିସିଆଇର ଚୟନକର୍ତ୍ତାର ଅଧ୍ୟକ୍ଷ ଥିଲେ ଏବଂ ଏହି ସମୟରେ ହିଁ ସେ କୋହଲିଙ୍କ ଭଳି ପ୍ରତିଭାକୁ ଚିହ୍ନଟ କରି ଭାରତୀୟ ଟିମରେ ସୁଯୋଗ ଦେଇଥିଲେ। ସୋମବାର ଭେଙ୍ଗସରକାର ନିଜର ୬୪ତମ ଜନ୍ମଦିବସ ପାଳନ କରିଥିଲେ। ଏହି ଅବସରରେ ସେ କୋହଲିଙ୍କ ପ୍ରତିଭା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ଭେଙ୍ଗସରକାର କହିଥିଲେ, ପ୍ରତିଭାକୁ ପରଖିବା ମୋର କାମ ଥିଲା। ଜଣେ ନିଶ୍ଚିତ ପ୍ରତିଭାକୁ ପରଖିବାରେ ସିଦ୍ଧହସ୍ତ ହୋଇପାରନ୍ତି, କିନ୍ତୁ ଯଦି କେହି ପ୍ରତିଭାବାନ ଥାନ୍ତି, ତାହେଲେ ତାଙ୍କୁ ନିୟମିତ ସୁଯୋଗ ମିଳିବା ଦରକାର।

ଚୟନକମିଟିର ଅଧ୍ୟକ୍ଷ ପଦରେ ଥିବା ବେଳେ ଭେଙ୍ଗସରକାର ଖୁବ୍ ସଫଳ ହୋଇଥିଲେ। ତେବେ ଏହା ପଛର କାରଣ ହେଉଛି ସେ ବିସିସିଆଇର ପ୍ରତିଭା ଅନୁସନ୍ଧାନ ବିକାଶ ବିଭାଗ (ଟିଆରଡିଡବ୍ଲ୍ୟୁ) ସହ ଜଡ଼ିତ ଥିଲେ। ତେବେ ଟିଆରଡିଡବ୍ଲ୍ୟୁର ଏବେ କୌଣସି ଅସ୍ତିତ୍ୱ ନାହିଁ। କୋହଲିଙ୍କ ସମ୍ବନ୍ଧରେ ଭେଙ୍ଗସରକାର କହିଛନ୍ତି, ଅଷ୍ଟ୍ରେଲିଆର ଇମର୍ଜିଂ ଟିମର ଗସ୍ତରେ ଚୟନକମିଟିର ଅଧ୍ୟକ୍ଷ ଭାବେ ମୁଁ କୋହଲିଙ୍କୁ ଇନିଂସ୍ ଶୁଭାରମ୍ଭ କରିବାକୁ କହିଥିଲି। କୋହଲି ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ତେଣୁ ତାଙ୍କର ଏହି ସ୍ୱଭାବ ମୋତେ ବହୁତ ପସନ୍ଦ।

ଭେଙ୍ଗସରକାର ଆହୁରି କହିଛନ୍ତି, ଟିଆରଡିଡବ୍ଲ୍ୟୁର ଅଧ୍ୟକ୍ଷ ଭାବେ ମୁଁ ଜୁନିୟର କ୍ରିକେଟରେ କୋହଲିଙ୍କୁ ଅନେକଥର ବ୍ୟାଟିଂ କରୁଥିବାର ଦେଖିଥିଲି। ଯେତେବେଳେ ମୁଁ ଚୟନକମିଟି ଅଧ୍ୟକ୍ଷ ହେଲି, ଆମେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏକ ଇମର୍ଜିଂ ଟିମ୍ ଚୟନ କରିଥିଲୁ। ମୁଁ ସେଠାରେ (ଅଷ୍ଟ୍ରେଲିଆ) ଥିଲି ଏବଂ କୋହଲିଙ୍କୁ ବ୍ୟାଟିଂ କରୁଥିବାର ଦେଖି ବହୁତ ଖୁସି ହୋଇଯାଇଥିଲି। କୋହଲି ଯେଉଁଭଳି ଭାବେ ବ୍ୟାଟିଂ କରୁଥିଲେ, ତାହା ମୋତେ ବହୁତ ପ୍ରଭାବିତ କରିଥିଲା। ସେହିଦିନଠାରୁ ମୁଁ ଜାଣିପାରିଥିଲି ଯେ ଏହି କ୍ରିକେଟର୍ ଜଣକ ନିଜ କାନ୍ଧରେ ବଡ଼ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି।

କୋହଲି ୧୫ ବର୍ଷ ଧରି ଭାରତ ପକ୍ଷରୁ ଖେଳିପାରିବେ କି ନାହିଁ, ଏହି ପ୍ରଶ୍ନରେ ଭେଙ୍ଗସରକାର କହିଛନ୍ତି, ଜଣେ କ୍ରିକେଟରଙ୍କ କ୍ୟାରିୟର କେତେ ଲମ୍ବା ହେବ, ତାକୁ ନେଇ କେହିବି ସ୍ପଷ୍ଟ ଭାବେ କହିପାରିବେ ନାହିଁ। କିନ୍ତୁ କୋହଲିଙ୍କ ଭିତରେ ମୁଁ ଜଣେ ଅସାଧାରଣ ପ୍ରତିଭା ଦେଖିବାକୁ ପାଇଥିଲି। ଯଦି ଜଣେ ଅନ୍ୟଜଣଙ୍କର ପ୍ରତିଭାକୁ ଚିହ୍ନିବାରେ ସଫଳ ହେଲେ, ତାହେଲେ ସେହି ବ୍ୟକ୍ତି ଜଣକୁ ଭଲଭାବେ ଜଣାଥିବା ଦରକାର ଯେ ଉକ୍ତ ପ୍ରତିଭା ପାଖରେ ଶୀର୍ଷ ସ୍ତରରେ ପହଞ୍ଚିବାର କେତେ ସମ୍ଭାବନା ଅଛି।

ଭେଙ୍ଗସରକାର ଆହୁରି କହିଛନ୍ତି, ଶୀର୍ଷସ୍ତରରେ ପହଞ୍ଚିବା ପାଇଁ ଜଣେ କ୍ରିକେଟରଙ୍କ ପାଖରେ ଅତିରିକ୍ତ ଟେକନିକ୍ ଥିବା ଦରକାର ଏବଂ କୋହଲିଙ୍କ ଭିତରେ ସେସବୁ କିଛି ଥିଲା। କୋହଲିଙ୍କୁ ଚୟନ କରିବା ସମୟରେ ମୋ ଉପରେ ଆଦୌ ଚାପ ନଥିଲା। ମୁଁ ଏତିକି ଆଶ୍ୱସ୍ତ ଥିଲି ଯେ ସେହି ସମୟରେ ଜଣେ ଅସାଧାରଣ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରିଥିଲି। ମୁଁ ଜାଣିଥିଲି ଯେ କୋହଲି ଜଣେ ଚମତ୍କାର ଖେଳାଳି ଥିଲେ, ଯାହାଙ୍କୁ କେବଳ ସମର୍ଥନର ଆବଶ୍ୟକତା ଥିଲା।

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ ସମ୍ବନ୍ଧରେ ଭେଙ୍ଗସରକାର କହିଛନ୍ତି, ଧୋନିଙ୍କୁ ୨୧ ବର୍ଷ ବୟସରେ ଟିଆରଡିଡବ୍ଲ୍ୟୁ ଯୋଜନାରେ ସାମିଲ୍ କରାଯାଇଥିଲା, କିନ୍ତୁ ଏଥିପାଇଁ ବୟସସୀମା ୧୯ ବର୍ଷ ଧାର୍ଯ୍ୟ ଥିଲା। ତେବେ ଏହା ପଛର କାରଣ ମଧ୍ୟ ରୋଚକ ଥିବା କହିଛନ୍ତି ଭେଙ୍ଗସରକାର। ସେ କହିଛନ୍ତି, ବେଙ୍ଗଲର ପୂର୍ବତନ କ୍ୟାପଟେନ୍ ପ୍ରକାଶ ପୋଦ୍ଦାରଙ୍କ କହିବା ଅନୁଯାୟୀ ଧୋନିଙ୍କୁ ଏଥିରେ (ଟିଆରଡିଡବ୍ଲ୍ୟୁ) ସାମିଲ୍ କରାଯାଇଥିଲା। ପୋଦ୍ଦାର ଜାମଶେଦପୁରରେ ଏକ ଅଣ୍ଡର୍‌-୧୯ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ସେହି ସମୟରେ ନିକଟସ୍ଥ କୀନନ ଷ୍ଟାଡିୟମରେ ବିହାର ଟିମ୍ ଦିନିକିଆ ମ୍ୟାଚ୍ ଖେଳୁଥିଲା ଏବଂ ବଲ୍ ବାରମ୍ବାର ଷ୍ଟାଡିୟମ ବାହାରକୁ ଯାଉଥିଲା। ତେବେ କେଉଁ ବ୍ୟାଟ୍ସମ୍ୟାନ୍ ଏମିତି ବଲକୁ ବାରମ୍ବାର ବାହାରକୁ ମାରୁଛନ୍ତି, ତାହା ଜାଣିବାକୁ ପ୍ରୟାସ କରିଥିଲେ ପୋଦ୍ଦାର। ଶେଷରେ ପୋଦ୍ଦାର ଜାଣିବାକୁ ପାଇଥିଲେ ଯେ ଏହି ସବୁଯାକ ଛକା ଧୋନି ହିଁ ମାରୁଛନ୍ତି। ଧୋନିଙ୍କ ଏହି ପ୍ରତିଭା ପାଇଁ ତାଙ୍କୁ ଟିଆରଡିଡବ୍ଲ୍ୟୁ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଥିଲା। ଟିଆରଡିଡବ୍ଲ୍ୟୁ କାର୍ଯ୍ୟକ୍ରମକୁ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆ ଆରମ୍ଭ କରିଥିଲେ। ତେବେ ସେ ନିର୍ବାଚନ ହାରିବା ପରେ ଏହାକୁ ବନ୍ଦ କରିଦିଆଯାଇଥିଲା।

Related story