ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ତେବେ ଟିମ୍ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ। ଆଜି ସ୍ପେନ୍ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଅମିତ ରୋହିଦାସଙ୍କର ରହିଥିଲା ବଡ଼ ଯୋଗଦାନ। ସେ ଏକାଧିକ ଗୋଲ୍ରୁ ଦଳକୁ ରକ୍ଷା କରିଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ଆଜି ବ୍ରୋଞ୍ଜ ପଦକ ଜିତିବା ସହିତ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଭାବେ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ରେ ଭାରତ ବ୍ରୋଞ୍ଜ ଜିତିଥିଲା। ତା’ପରେ ଟୋକିଓ ଅଲିମ୍ପିକ୍ସ (୨୦୨୦)ରେ ବ୍ରୋଞ୍ଜ ଜିତିଥିବା ବେଳେ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।
ସ୍ପେନ୍ ବିରୋଧରେ ଭାରତ ଦୁଇଟି ଗୋଲ କରିଥିଲା। ଏହି ଦୁଇଟି ଯାକ ଗୋଲ କରିଥିଲେ ଦଳର ଅଧିନାୟକ ହରମନପ୍ରୀତ ସିଂହ।
ସୂଚନାଯୋଗ୍ୟ, କ୍ରମାଗତ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ଅମିତ ରୋହିଦାସ ହେଉଛନ୍ତି ପ୍ରଥମ ଓଡ଼ିଶା। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅମିତ ରୋହିଦାସ ଏହାର ସଦସ୍ୟ ଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସରେ ତାଙ୍କ ସହିତ ଆଉ ଜଣେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।