/odisha-reporter/media/media_files/2025/11/30/virat-2025-11-30-18-12-00.jpg)
ବିରାଟ କୋହଲି
ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହାରିବା ପରେ ଆଜିଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି ଭାରତ। ରାଞ୍ଚିରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦଳ ବଡ଼ ସ୍କୋର କରିଛି। ବ୍ୟାଟରମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଦାୟିତ୍ୱ ରହିବ ବୋଲରଙ୍କ ଉପରେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ କରିଛି। ତା’ ମଧ୍ୟରେ ରହିଛି ବିରାଟ କୋହଲିଙ୍କ ୧୩୫ ରନ୍ ସହିତ ରୋହିତ ଶର୍ମାଙ୍କ ୫୭, କେଏଲ ରାହୁଲଙ୍କ ୬୦ ଓ ରବୀନ୍ଦ୍ର ଜାଡେଜାଙ୍କ ୩୨ ରନ୍। ଯଶସ୍ୱୀ ଜୈସୱାଲ (୧୮), ଋତୁରାଜ ଗାଏକ୍ୱାଡ୍ (୮) ଓ ୱାଶିଂଟନ ସୁନ୍ଦର (୧୩)ଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଛି।
ଭାରତକୁ ପ୍ରଥମ ଝଟକା ଲାଗିଥିଲା ୩.୧ ଓଭରରେ। ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୮ ରନ୍ କରି ଆଉଟ୍ ହୋଇଥିଲେ ଯଶସ୍ୱୀ ଜୈସୱାଲ। ସେତେବେଳକୁ ଦଳର ସ୍କୋର ୨୫ରେ ପହଞ୍ଚିଥିଲା। ଏହା ପରେ କ୍ରିଜ୍ରେ ବେଶ୍ ଜମି ଯାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ସେମାନଙ୍କ ମଧ୍ୟରେ ୧୩୬ ରନ୍ର ପାର୍ଟନରଶିପ ହୋଇଥିଲା। ଏହି ଯୋଡ଼ି ୮୨ ବଲ୍ରେ ୧୦୦ ରନ୍ କରିଥିଲେ।
୨୧.୨ ଓଭରରେ ଭାଙ୍ଗିଥିଲା ଏହି ଯୋଡ଼ି। ମାର୍କୋ ଜାନସେନଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ ରୋହିତ ଶର୍ମା। ସେ ୫୧ଟି ବଲ୍ରେ ୫ ଚୌକା ଓ ୩ ଛକା ସହାୟତାରେ ୫୭ ରନ୍ କରି ଆଉଟ୍ ହୋଇଥିଲେ। ସେ ୪୮ଟି ବଲ୍ରୁ ୫୦ ରନ୍ ପୂରଣ କରିଥିଲେ। ଏହା ହେଉଛି ତାଙ୍କ ଦିନିକିଆ କ୍ୟାରିୟରର ୭୬ତମ ଅର୍ଦ୍ଧଶତକ। ଆଜି ୩ଟି ଛକା ମାରିଥିବା ରୋହିତ ଏକ ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଛି। ସେ ଏଯାତବ ୩୫୨ଟି ଛକା ମାରିଛନ୍ତି। ଆଜି ୨୧.୨ ଓଭରରେ ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୬୧ରେ ପହଞ୍ଚି ଯାଇଥିଲା।
ରୋହିତ ଆଉଟ୍ ହେବା ପରେ ଦଳ ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦର ସହଳ ଆଉଟ୍ ହୋଇଯାଇଥିଲେ। ଏହି ଦୁଇ ବ୍ୟାଟର ଯଥାକ୍ରମେ ୮ ଓ ୧୩ ରନ୍ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ତେବେ ଏଥିଯୋଗୁ କୋହଲି ଚାପଗ୍ରସ୍ତ ହୋଇନଥିଲେ। ସେ ଧୈର୍ଯ୍ୟର ସହିତ ଖେଳି ତାଙ୍କ ଦିନିକିଆ କ୍ୟାରିୟରର ୫୨ତମ ଶତକ ହାସଲ କରିଥିଲେ। ସେ ୧୨୦ଟି ବଲ୍ରୁ ୧୩୫ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ଥିଲା ୧୧ଟି ଚୌକା ଓ ୭ଟି ଛକା।
ବିରାଟ ଆଉଟ୍ ହେବା ପରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଡ଼ି ଭାରତର ସ୍କୋରକୁ ଆଗେଇ ନେଇଥିଲା। ରାଲ ୫୬ଟି ବଲ୍ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୬୦ ରନ୍ କରିଥିଲେ। ଜାଡେଜା ୨୦ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୨ ରନ୍ କରିଥିଲେ। ହର୍ଷିତ ରାଣା ୩ ରନ୍ କରି ଅପରାଜିତ ରହିଥିବା ବେଳେ ଅର୍ଶଦୀପ ସିଂହ ଖାତା ଖୋଲିପାରି ନଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ନାନ୍ଦ୍ରେ ବର୍ଗର, କୋରବିନ ବଚ୍ ଓ ଓଟନୀଲ ବାର୍ଟମ୍ୟାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
