Advertisment

IND vs AUS: ପ୍ରଥମ ଇନିଂସରେ ୪୦୦ ରନ୍‌ରେ ଭାରତ ଅଲ୍‌ଆଉଟ୍‌

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୧୨୦ ରନ୍‌ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Border gavaskar trophy

Border gavaskar trophy

ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୪୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଏହା ସହିତ ଦଳ ୨୨୩ ରନ୍‌ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୧୨୦ ରନ୍‌ କରିଛନ୍ତି। ସେହିପରି ଅକ୍ଷର ପଟେଲ ୮୪ ଓ ରବୀନ୍ଦ୍ର ଜାଡେଜା ୭୦ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଖବର ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସରେ ୬୮ ରନ୍ କରି ୭ଟି ୱିକେଟ୍ ହରାଇସାରିଲାଣି। 

Advertisment

ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୭ ୱିକେଟ୍ ହରାଇ ୩୨୧ ରନ୍ କରିଥିବା ବେଳେ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜା ଯଥାକ୍ରମେ ୫୨ ଓ ୬୬ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳର ଇନିଂସକୁ ଆଗେଇ ନେଇଥିଲେ। ହେଲେ ରବୀନ୍ଦ୍ର ଜାଡ଼େଜା ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ତାଙ୍କ ଖାତାରେ ଆଉ ମାତ୍ର ୪ ରନ୍ ଯୋଡ଼ି ଟଡ୍ ମର୍ଫୀ ଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ସେ ୯ଟି ଚୌକା ସହାୟତାରେ ୭୦ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ ମହମ୍ମଦ ସାମି। ଅକ୍ଷର ପଟେଲ ଓ ସାମିଙ୍କ ମଧ୍ୟରେ ୫୨ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ସାମି ୪୭ଟି ବଲ୍‌ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୭ ରନ୍ କରିଥିଲେ। ଦଳର ସ୍କୋର ୩୮୦ରେ ପହଞ୍ଚିଥିବା ବେଳେ ସେ ଆଉଟ୍ ହୋଇଯାଇଥିଲେ। ଟଡ୍ ମର୍ଫୀଙ୍କ ବଲ୍‌ରେ ସେ ଆଲେକ୍ସ କ୍ୟାରୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଦଳର ସ୍କୋର ବୋର୍ଡରେ ଆଉ ୨୦ ରନ୍ ଯୋଡ଼ି ହୋଇଥିଲା। ଏହି ରନ୍ ବାହାରିଥିଲା ଅକ୍ଷର ପଟେଲଙ୍କ ବ୍ୟାଟ୍‌ରୁ। ତେବେ ୮୪ ରନ୍‌ରେ ଅକ୍ଷର ପଟେଲ ଆଉଟ୍ ହେବା ସହିତ ଭାରତର ପ୍ରଥମ ଇନିଂସର ପରିସମାପ୍ତି ଘଟିଥିଲା। ପ୍ୟାଟ୍ କମିନ୍‌ସ ତାଙ୍କ ବୋଲ୍ଡ କରି ଦେଇଥିଲେ। ଅନ୍ୟପକ୍ଷରେ ୧୯ଟି ବଲ୍‌ରୁ ୧ ରନ୍ କରି ଅପରାଜିତ ରହିଥିଲେ ମହମ୍ମଦ ସିରାଜ।    

ଅଷ୍ଟ୍ରେଲିଆ ପକ୍ଷରୁ ଟଡ୍ ମର୍ଫୀ ସର୍ବାଧିକ ୭ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍‌ସ ୨ଟି ଓ ନାଥନ ଲିୟନ ଗୋଟିଏ ୱିକେଟ୍ ନେଇଛନ୍ତି। 

Advertisment

ଅନ୍ୟପକ୍ଷରେ ପ୍ରଥମ ଇନିଂସଠାରୁ ଦ୍ୱିତୀୟ ଇନିଂସରେ ଆହୁରି ଖରାପ ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ। ଖବର ଲେଖାଯିବା ସୁଦ୍ଧା ଦଳ ୬୮ ରନ୍‌ରେ ୭ଟି ୱିକେଟ୍ ହରାଇ ସାରିଲାଣି। ରବିଚନ୍ଦ୍ରନ ଅଶ୍ୱିନ ୭ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୨ଟି ୱିକେଟ୍ ନେଇଛନ୍ତି। 

ଉସ୍‌ମାନ ଖ୍ୱାଜା ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଡେଭିଡ ୱାର୍ଣ୍ଣର ୧୦, ମର୍ନସ ଲାବୁସେନ ୧୭, ମ୍ୟାଟ୍ ରେନ୍‌ଶୋ ୨, ପିଟର ହ୍ୟାଣ୍ଡସ୍କମ୍ବ ୬, ଆଲେକ୍ସ କ୍ୟାରୀ ୧୦ ଓ ପ୍ୟାଟ୍ କମିନ୍‌ସ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। 

ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲର୍‌ଙ୍କ ଆଗରେ ଧରାଶାୟୀ ହୋଇଥିଲା ପୂରା ଟିମ୍‌। ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍‌ କରି ପୂରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ସର୍ବାଧିକ ଓ୍ୱିକେଟ୍‌ ନେଇଥିଲେ ରବୀନ୍ଦ୍ର ଜାଡେଜା । ସେ ୫ ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ନେଇଥିଲେ।

Indian Cricket Team Cricket Border-Gavaskar Trophy