ଆଇପିଏଲକୁ ନେଇ ବଡ଼ ବୟାନ ଦେଲେ ରୋହିତ୍‌

ନୂଆଦିଲ୍ଲୀ: କରୋନାଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତରେ ୨୧ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ହେବା ଦ୍ୱାରା ଏବେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ବାତିଲ ହେବା ଏକପ୍ରକାର ନିଶ୍ଚିତ ଲାଗୁଛି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ମାର୍ଚ୍ଚ ୨୯ ତାରିଖରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବିସିସିଆଇ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛି। ତେବେ ଆଇପିଏଲ୍ ଆୟୋଜନକୁ ନେଇ ବିସିସିଆଇ […]

rohit

Ranjit Kumar Jena
  • Published: Thursday, 26 March 2020
  • , Updated: 26 March 2020, 09:21 PM IST

ନୂଆଦିଲ୍ଲୀ: କରୋନାଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତରେ ୨୧ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ହେବା ଦ୍ୱାରା ଏବେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ବାତିଲ ହେବା ଏକପ୍ରକାର ନିଶ୍ଚିତ ଲାଗୁଛି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ମାର୍ଚ୍ଚ ୨୯ ତାରିଖରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବିସିସିଆଇ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛି। ତେବେ ଆଇପିଏଲ୍ ଆୟୋଜନକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଛି ବି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ୍ ଟିମର ଓପ୍ନର ରୋହିତ୍ ଶର୍ମା ଆଇପିଏଲକୁ ନେଇ ଭିନ୍ନ ମତ ଦେଇଛନ୍ତି। ରୋହିତଙ୍କ ମତରେ, ଯଦି ସବୁକିଛି ଠିକଠାକ୍ ହୋଇଯିବ, ତାହେଲେ ଆଇପିଏଲ୍ ହୋଇପାରିବ।

ଇଂଲଣ୍ଡର ପୂର୍ବତନ କ୍ରିକେଟର୍ କେଭିନ୍ ପିଟରସନ୍ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ପଚାରିଥିଲେ ଯେ ଚଳିତଥର ଆଇପିଏଲ୍ ଆୟୋଜିତ ହେବ କି ନାହିଁ। ଏହାର ଜବାବରେ ରୋହିତ୍ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। ଆଗାମୀ କିଛି ଦିନରେ ଯଦି ସ୍ଥିତିରେ ସୁଧାର ଆସେ, ତାହେଲେ ହୁଏତ ଆଇପିଏଲ୍ ହୋଇପାରିବ। ରୋହିତଙ୍କ ଏହି ମନ୍ତବ୍ୟ ନିଶ୍ଚିତ ଭାବେ ପ୍ରଶଂସକଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିବ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ରୋହିତଙ୍କୁ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଦିନିକିଆ ଓ ଟେଷ୍ଟ ସିରିଜରୁ ଓହରିଯାଇଥିଲେ। ରୋହିତଙ୍କ ଅନୁପସ୍ଥିତିରେ ଭାରତ ଉଭୟ ସୀମିତ ଓ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରିକି ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମଧ୍ୟ ଚୟନ କରାଯାଇନଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ୍ ହୋଇଥିବା ବେଳେ କରୋନାଭାଇରସ୍ ଯୋଗୁ ବାକି ଦୁଇଟି ଦିନିକିଆକୁ ସ୍ଥଗିତ କରିଦିଆଯାଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ରୋହିତ୍ ଆଇପିଏଲ୍ ଜରିଆରେ କ୍ରିକେଟକୁ କମବ୍ୟାକ୍ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ କରୋନା ଯୋଗୁ ଆଇପିଏଲକୁ ମଧ୍ୟ ସ୍ଥଗିତ କରିଦିଆଗଲା। ମାର୍ଚ୍ଚ ୨୯ ତାରିଖରେ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବାର ଥିଲା। ଆଇପିଏଲ୍ ଇତିହାସରେ ମୁମ୍ବାଇ ସବୁଠାରୁ ସଫଳ ଟିମ୍‌, ଯେଉଁଥିରେ ରୋହିତଙ୍କ ନେତୃତ୍ୱରେ ଟିମ୍ ଚାରିଥର ଟାଇଟଲ୍ ଜିତିଛି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ତିନିଥର ଟ୍ରଫି ନିଜ ନାଁରେ କରିଛି। କୋଲକାତା ନାଇଟ୍ ରାଇଡର୍ସ ଦୁଇଥର, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ଥରେ ଲେଖାଏ ଟାଇଟଲ୍ ଜିତିଛନ୍ତି।

କରୋନାଭାଇରସ୍ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ସବୁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୧୪ଜଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୪୦ରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି।

Related story