ଅଖତରଙ୍କ ପ୍ରସ୍ତାବ ଉପରେ କ'ଣ ଜବାବ ରଖିଲେ କପିଲ୍ ଦେବ ଓ ମଦନ ଲାଲ୍?

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର୍ ଶୋଏବ ଅଖତର କରୋନାଭାଇରସ୍ ସହାୟତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଖାରଜ କରିଛନ୍ତି ଭାରତକୁ ପ୍ରଥମ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କପିଲ୍ ଦେବ ଓ ପୂର୍ବତନ କ୍ରିକେଟର୍ ମଦନ ଲାଲ୍। କପିଲ୍ ଦେବ କହିଛନ୍ତି, ଭାରତକୁ ଅର୍ଥର ଆବଶ୍ୟକତା ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଅର୍ଥଠାରୁ ସମସ୍ତଙ୍କର ଘରେ ରହିବା ହିଁ ନିହାତି ଜରୁରୀ। ଏକ ସାକ୍ଷାତକାରରେ କପିଲ୍ କହିଛନ୍ତି, […]

kapil-and-madan-lal

Ranjit Kumar Jena
  • Published: Thursday, 09 April 2020
  • , Updated: 09 April 2020, 08:21 PM IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର୍ ଶୋଏବ ଅଖତର କରୋନାଭାଇରସ୍ ସହାୟତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଖାରଜ କରିଛନ୍ତି ଭାରତକୁ ପ୍ରଥମ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କପିଲ୍ ଦେବ ଓ ପୂର୍ବତନ କ୍ରିକେଟର୍ ମଦନ ଲାଲ୍। କପିଲ୍ ଦେବ କହିଛନ୍ତି, ଭାରତକୁ ଅର୍ଥର ଆବଶ୍ୟକତା ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଅର୍ଥଠାରୁ ସମସ୍ତଙ୍କର ଘରେ ରହିବା ହିଁ ନିହାତି ଜରୁରୀ।

ଏକ ସାକ୍ଷାତକାରରେ କପିଲ୍ କହିଛନ୍ତି, "ଅଖତରଙ୍କ ପାଖରେ ନିଜ ମତ ଉପସ୍ଥାପନା କରିବାର ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ସେ ଯେଉଁ ଅର୍ଥ କଥା ଉଠାଇଛନ୍ତି, ସେଥିରେ ମୁଁ ସହମତ ନୁହେଁ। ଭାରତକୁ ଅର୍ଥର ଆବଶ୍ୟକତା ନାହିଁ, ତେଣୁ ଏହି ସିରିଜ୍ ଆୟୋଜନ ଅନାବଶ୍ୟକ। ତା' ଛଡ଼ା ଆମେ କାହିଁକି ନିଜ ଖେଳାଳିଙ୍କ ଜୀବନକୁ ରିସ୍କରେ ପକାଇବା। ଏଥିପାଇଁ ଘରେ ରହିବା ହିଁ ଏକମାତ୍ର ବିକଳ୍ପ।" ରାୱଲପିଣ୍ଡି ନାମରେ ପ୍ରଖ୍ୟାତ ଶୋଏବ ଅଖତରଙ୍କ ପ୍ରସ୍ତାବ ଉପରେ କପିଲ୍ ଆହୁରି କହିଛନ୍ତି, "ବିସିସିଆଇ ୫୧ କୋଟି ଟଙ୍କାର ବଡ଼ ସହାୟତା ଦାନ କରିଛି ଏବଂ ଯଦି ଆବଶ୍ୟକ ପଡ଼େ, ତାହେଲେ ବୋର୍ଡ ଆହୁରି ଦେବାକୁ ସକ୍ଷମ।"

୧୯୮୩ରେ ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିୟନ୍ କରାଇଥିବା କ୍ୟାପଟେନ୍ ଆଗାମୀ ୬ମାସ ପର୍ଯ୍ୟନ୍ତ କ୍ରିକେଟ୍ ଆୟୋଜନ ନକରାଇବାକୁ ପରାମର୍ଶ ଦେଇଛନ୍ତି। କପିଲ୍ କହିଛନ୍ତି, "ମୋ ମତରେ ବର୍ତ୍ତମାନର ପରିସ୍ଥିତି ଆଦୌ ଭଲ ନାହିଁ ଏବଂ ଆଗାମୀ ଦିନରେ ମଧ୍ୟ ଏହି ସ୍ଥିତି ଜାରି ରହିବ। ତେଣୁ ଅତିକମରେ ୬ମାସ ପର୍ଯ୍ୟନ୍ତ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଆୟୋଜନ ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ଉପରେ ଯତ୍ନବାନ ହେବା ଦରକାର। ସ୍ଥିତି ସୁଧୁରିବା ପରେ କ୍ରିକେଟ୍ ପୁଣି ଆରମ୍ଭ କରାଯାଇପାରିବ। କୌଣସି ଖେଳ ଦେଶଠାରୁ ବଡ଼ ହୋଇପାରିବ ନାହିଁ।"

ସେହିପରି ମଦନ୍ ଲାଲ୍ କହିଛନ୍ତି, "ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ ହେବ କି ନାହିଁ, ତାହା ଅଖତର ନେବେ ନାହିଁ। ଏହା ଉପରେ ସବୁ ନିଷ୍ପତ୍ତି ଉଭୟ ଦେଶର ସରକାର ନେବେ। ଏହା ପୂର୍ବରୁ ମଧ୍ୟ ଏହି କ୍ରିକେଟ୍ ସିରିଜ୍ ଭାରତ ସରକାରଙ୍କ ଉପରେ ନିର୍ଭର ଥିଲା।" ମଦନ ଲାଲ ଆହୁରି କହିଛନ୍ତି, "ବର୍ତ୍ତମାନ ଆମେ ସମସ୍ତେ କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼ୁଛୁ। ଏଭଳି ସଙ୍କଟ ସମୟରେ କ୍ରିକେଟ୍ ସିରିଜ୍ ହେବାର ପ୍ରଶ୍ନ ଉଠୁନାହିଁ। ଏହି ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନାଭାଇରସର ପ୍ରକୋପ କମିବା ପରେ ହିଁ ସରକାର ନିଷ୍ପତ୍ତି ନେବେ ଯେ ପାକିସ୍ତାନ ବିପକ୍ଷରେ ଖେଳାଯିବା ଦରକାର କି ନାହିଁ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ବାକି ବିଷୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।"

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପେସ୍ ଅଖତର କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତ ଓ ପାକିସ୍ତାନକୁ ଏକାଠି ହେବାକୁ କହିଥିଲେ। ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, ଭାରତରେ ଶୋ' ଆୟୋଜନରୁ ମୁଁ ଯେତିକି ଆୟ କରିଥିଲି, ତା'ର ୩୦ପ୍ରତିଶତ ଏଠାକାର ଲୋକଙ୍କ ସହାୟତାର ଖର୍ଚ୍ଚ କରିଛି। ଭାରତ ଯଦି ଆମକୁ ୧୦ହଜାର ଭେଣ୍ଟିଲେଟର୍ ଦାନ କରେ, ତାହେଲେ ପାକିସ୍ତାନ ସର୍ବଦା ଏହାକୁ ମନେ ରଖିବ। ଏହାଛଡ଼ା ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜର ଆୟୋଜନ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ସେ କହିଥିଲେ, ଏହି ମ୍ୟାଚରୁ ହେବାକୁଥିବା ଆୟକୁ କରୋନାଭାଇରସ୍ ଲଢ଼େଇରେ ବିନିଯୋଗ କରାଯାଇପାରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ୧୩ ବର୍ଷ ଧରି କୌଣସି ପୂର୍ଣ୍ଣ କ୍ରିକେଟ୍ ସିରିଜ୍ ଆୟୋଜିତ ହୋଇନାହିଁ। ୨୦୧୨ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଆସିଥିଲା। ଏହା ପୂର୍ବରୁ ୨୦୦୭ରେ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଖେଳିଥିଲା। ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉନଥିଲେ ହେଁ, ଦୁଇ ଦେଶ ପରସ୍ପରକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପରେ ପରସ୍ପରକୁ ଭେଟୁଛନ୍ତି।

Related story